ଗାଁକୁ ଫେରୁଛନ୍ତି ସୁନା ପୁଅ ପ୍ରମୋଦ ଭଗତ : ସ୍ୱାଗତ ପାଇଁ ଗାଁରେ ଜୋରଦାର ପ୍ରସ୍ତୁତି

ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ସ୍ୱାଗତ ପାଇଁ ଅପେକ୍ଷା କରିଛି ଗାଁ ମାଟି

174

କନକ ବ୍ୟୁରୋ : ଗାଁକୁ ଫେରୁଛନ୍ତି ସୁନା ପୁଅ ପ୍ରମୋଦ ଭଗତ । ସ୍ୱାଗତ ପାଇଁ ବରଗଡ଼ ଅତାବିରା ଓ ଗୋଡ଼ଭଗା ଗାଁରେ ଚାଲିଛି ଜୋରଦାର ପ୍ରସ୍ତୁତି । ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ସ୍ୱାଗତ ପାଇଁ ଅପେକ୍ଷା କରିଛି ଗାଁ ମାଟି । ବିଭିନ୍ନ ସଂଗଠନ ପକ୍ଷରୁ ଅତାବିରା ଓ ଗୋଡ଼ଭଗା ଗାଁରେ ବ୍ୟାପକ ପ୍ରସ୍ତୁତି ଆୟୋଜନ କରାଯାଇଛି ।  ଟୋକିଓ ପାରା ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ପ୍ରମୋଦ । ଦେଶ ପାଇଁ ଆଣିଛନ୍ତି ସୁନା ପଦକ । ପାରା ଅଲିମ୍ପିକ୍ସ ବ୍ୟାଡମିଂଟନ ଏସଏଲ-ଥ୍ରୀ ବର୍ଗର ଏକକ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତି ଭାରତୀୟ କ୍ରୀଡ଼ା ଜଗତରେ ନୂଆ ଇତିହାସ ରଚିଛନ୍ତି ପାରା ବ୍ୟାଡମିଂଟନରେ ବିଶ୍ୱର ଏକ ନମ୍ବର ମାନ୍ୟତା ପ୍ରାପ୍ତ ପ୍ରମୋଦ ଭଗତ ।

ବିହାରର ହାଜିପୁରରେ ଜନ୍ମ ହୋଇଥିଲେ ପ୍ରମୋଦ ଭଗତ । ଜନ୍ମ ହେବାର କିଛି ବର୍ଷ ପରେ ସେ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିଲେ । ଆଉ ତାଙ୍କର ଉନ୍ନତ ଚିକିତ୍ସା ପାଇଁ ମାତ୍ର ୫ ବର୍ଷ ବୟସରେ ତାଙ୍କ ଭଉଣୀ ତାଙ୍କୁ ଓଡ଼ିଶା ନେଇଆସିଥିଲେ । ଭଉଣୀ କିଶୁନି ଦେବୀ ଏବଂ ଭିଣୋଇ କୈଳାସ ଭଗତଙ୍କର କୌଣସି ସନ୍ତାନ ନଥିବାରୁ ସେମାନେ ପ୍ରମୋଦଙ୍କୁ କୋଳେଇ ନେଇଥିଲେ । ଆଉ ତାଙ୍କୁ ଭୁବନେଶ୍ୱର ନେଇଆସିଥିଲେ । ଭୁବନେଶ୍ୱରରେ ପାଠ ପଢିଥିଲେ ପ୍ରମୋଦ । ଯୁକ୍ତ ୨ ପରେ ଆଇଟିଆଇ କରିଥିଲେ । ୨୮ ବର୍ଷୀୟ ପ୍ରମୋଦ ବର୍ତମାନ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ମଧ୍ୟ ଅଛନ୍ତି ।

ଗରିବ ଘରେ ଜନ୍ମ ହୋଇଥିବା ପ୍ରମୋଦ ପିଲାଟି ବେଳୁ ଅନେକ ସଂଘର୍ଷ କରିଛନ୍ତି । ପ୍ରମୋଦଙ୍କ ବାପା ମା’ ଗାଁରେ ରୁହନ୍ତି ଏବଂ ଚାଷ କରନ୍ତି । ପିଲାଟି ବେଳୁ ଖେଳ ପ୍ରତି ରହିଥିଲା ପ୍ରମୋଦଙ୍କର ଅହେତୁକ ଦୁର୍ବଳତା । ବିଶେଷ କରି ବ୍ୟାଡମିଂଟନ ଖେଳିବାକୁ ଭଲପାଉଥିଲେ ପ୍ରମୋଦ । ଆଉ ଖେଳ ପ୍ରତି ଥିବା ନିଷ୍ଠା ଏବଂ ଆଗ୍ରହ ତାଙ୍କୁ ଏହି ସଫଳତା ଆଣିଦେଇଛି । ୨୦୧୯ରେ ଅର୍ଜୁନ ପୁରସ୍କାର ଏବଂ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ମଧ୍ୟ ପାଇଥିଲେ ପ୍ରମୋଦ । ଏବେ ସୁଦ୍ଧା ପ୍ରମୋଦ ମୋଟ୍ ୪୫ଟି ଅନ୍ତର୍ଜାତୀୟ ମେଡାଲ ଜିତିଛନ୍ତି । ମୋଟ୍ ୪ଟି ବିଶ୍ୱ ଚାମ୍ପିଅନସିପ୍ ଓ ୨୦୧୮ ଏସୀୟ ପାରା ଗେମ୍ସରେ ସେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ଜିତିଥିଲେ ।