କନକ ବ୍ୟୁରୋ: ବିହାରରେ ଜନ୍ମ କିନ୍ତୁ ଓଡ଼ିଶାରେ କର୍ମ । ବିହାରରେ ଶୈଶବ କଟିଛି, ହେଲେ ଓଡ଼ିଶା ଦେଇଛି ନୂଆ ପରିଚୟ । ଆଜି ଆମେ ଆପଣଙ୍କୁ ଟୋକିଓ ପାରାଲିମ୍ପିକ୍ସର ବ୍ୟାଡମିଣ୍ଟନରେ ସ୍ଵର୍ଣ୍ଣ ପଦକ ଜିତିଥିବା ପ୍ରମୋଦ ଭଗତଙ୍କ କାହାଣୀ କହିବୁ । ବିହାରର ହାଜିପୁରରେ ଜନ୍ମ ହୋଇଥିଲେ ପ୍ରମୋଦ । ତେବେ ଜନ୍ମ ହେବାର କିଛି ବର୍ଷ ପରେ ପୋଲିଓରେ ସେ ଆକ୍ରାନ୍ତ ହୋଇଥିଲେ । ଆଉ ମାତ୍ର ୫ ବର୍ଷ ବୟସରେ ତାଙ୍କ ଭଉଣୀ ଉନ୍ନତ ଚିକିତ୍ସା ପାଇଁ ପ୍ରମୋଦଙ୍କୁ ଓଡ଼ିଶା ଆଣିଥିଲେ । ଆଉ ଓଡ଼ିଶାରେ ହିଁ ସେ ନିଜର ଦୁର୍ବଳତାକୁ ଏକ ଶକ୍ତି କରି ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କଲେ ।
ପିଲାବେଳେ ଯେତେବେଳେ ଘରପାଖରେ ସେ ଲୋକଙ୍କୁ ବ୍ୟାଡମିଣ୍ଟନ ଖେଳିବାର ଦେଖୁଥିଲେ, ତାଙ୍କ ମନରେ ବି ଖେଳିବା ପାଇଁ ଅନେକ ଆଗ୍ରହ ସୃଷ୍ଟି ହୁଏ । କିନ୍ତୁ ସେଠାରେ ତାଙ୍କୁ କେହି ଖେଳିବାକୁ ସୁଯୋଗ ଦିଅନ୍ତି ନାହିଁ । ବରଂ ଦିବ୍ୟାଙ୍ଗ ହୋଇଥିବାରୁ ତାଙ୍କୁ ସେତେବେଳେ ଲୋକେ ଥଟ୍ଟା କରୁଥିଲେ । ତେଣୁ ଛାତ ଉପରେ ସମ୍ପର୍କୀୟଙ୍କ ସହ ଖେଳୁଥିଲେ ପ୍ରମୋଦ । ଆଉ ଖେଳ ପ୍ରତି ଥିବା ନିଷ୍ଠା ଏବଂ ଆଗ୍ରହ ତାଙ୍କୁ ଏହି ସଫଳତା ଆଣିଦେଇଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଟଙ୍କାର ଅଭାବ ଥିବାରୁ ଗୋଟିଏ ଫ୍ୟାନ୍ ଦୋକାନରେ ଫ୍ୟାନ୍ ମରାମତି କାରିଗର ଭାବେ କାମ କରୁଥିଲେ ପ୍ରମୋଦ । ଏପରିକି ୱାର୍ଲଡ ଚାମ୍ପିୟନ୍ ହେବା ପରେ ମଧ୍ୟ ସେ ଏହି କାମ ଜାରି ରଖିଥିଲେ । ମାତ୍ର ୬୦ ଟଙ୍କାରେ ଜୀବନର ପ୍ରଥମ ରାକେଟ୍ କିଣିଥିଲେ ପ୍ରମୋଦ ।
ପ୍ରମୋଦଙ୍କ ବାପା-ମା’ ଗାଁରେ ରହନ୍ତି ଏବଂ ଚାଷ କରନ୍ତି। ତାଙ୍କ ବାପା ରାମ ଭଗତ କହନ୍ତି ଯେ “ପ୍ରମୋଦ ପିଲାଦିନରୁ କ୍ରୀଡା ପ୍ରତି ଆଗ୍ରହୀ ଥିଲେ। ସେ ଖେଳରେ ସମସ୍ତଙ୍କୁ ହରାଇ ଦେଉଥିଲେ । ତା’ପରେ ସେ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିଲା। ଫଳରେ ସମସ୍ତେ ଏଥିରେ ନିରାଶ ହୋଇ ପଡ଼ିଥିଲେ’। ତାଙ୍କ ଭଉଣୀ କିଶୁନି ଦେବୀ ଏବଂ ଭିଣୋଇ କୈଳାସ ଭଗତଙ୍କର କୌଣସି ସନ୍ତାନ ନଥିବାରୁ ସେମାନେ ପ୍ରମୋଦଙ୍କୁ କୋଳେଇ ନେଇଥିଲେ । ଆଉ ଭଉଣୀ ପ୍ରମୋଦଙ୍କୁ ଭୁବନେଶ୍ୱର ନେଇଆସିଥିଲେ ।
ଭୁବନେଶ୍ୱରରେ ସେ ପାଠ ପଢ଼ିଥିଲେ ଓ ଯୁକ୍ତ ଦୁଇ ପରେ ଆଇଟିଆଇ କରିଥିଲେ। ବର୍ତ୍ତମାନ ୨୮ ବର୍ଷୀୟ ପ୍ରମୋଦ ସ୍ୱାସ୍ଥ୍ୟ ବିଭାଗରେ କାର୍ୟ୍ୟ କରୁଛନ୍ତି। ପ୍ରମୋଦଙ୍କ ବଡ ଭାଇ ଗାଁରେ ଇଲେକ୍ଟ୍ରି ମିସ୍ତ୍ରୀ ଭାବରେ କାମ କରୁଥିବାବେଳେ ସାନଭାଇ ଶେଖର ଭୁବନେଶ୍ୱରରେ ଏକ ଇଲେକ୍ଟ୍ରିକାଲ ଦୋକାନ କରିଛନ୍ତି । ପ୍ରମୋଦଙ୍କର ଖେଳ ପ୍ରତି ଥିବା ନିଷ୍ଠା ଓ ଆଗ୍ରହ ତାଙ୍କୁ ଏହି ସଫଳତା ଦେଇଛି । ସେ ୨୦୧୯ରେ ଜାତୀୟ ଦଳରେ ମନୋନୀତ ହୋଇଥିଲେ। ପ୍ରମୋଦ ୨୦୧୯ ରେ ଅର୍ଜୁନ ପୁରସ୍କାର ଏବଂ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇଥିଲେ। ସୂଚନା ଥାଉ କି ପ୍ରମୋଦ ମୋଟ ୪୫ଟି ଅନ୍ତର୍ଜାତୀୟ ମେଡାଲ ଜିଣିଛନ୍ତି । ସେ ମୋଟ ୪ଟି ବିଶ୍ବ ଚାମ୍ପିଅନସିପ ଓ ୨୦୧୮ ଏସୀୟ ପାରା ଗେମ୍ସରେ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ଜିତିଥିଲେ ।