ଗୁରୁମନ୍ତ୍ର ମନେପକାଇଲେ ସୁନାପୁଅ ପ୍ରମୋଦ ଭଗତ । କହିଲେ ରାଗ ଉପରେ ନିୟନ୍ତ୍ରଣ ରଖିବାର ସୂତ୍ର ଶିଖାଇଛନ୍ତି ତେନ୍ଦୁଲକର ।

144

କନକ ବ୍ୟୁରୋ: ଟୋକିଓ ପାରା ଅଲମ୍ପିକ୍ସିର ଏସଏଲ-ଥ୍ରୀ ବର୍ଗରେ ସ୍ୱର୍ଣ୍ଣପଦକ ଜିତିବା ପରେ ପ୍ରମୋଦ ଭଗତ ଏବେ ଦେଶର ବଡ ସେଲିବ୍ରିଟି ।  ହେଲେ କ୍ରିକେଟର ଭଗବାନ ସଚିନ ହେଉଛନ୍ତି ପ୍ରମୋଦଙ୍କ ଆଦର୍ଶ । ସ୍ୱର୍ଣ୍ଣ ଜିତି ଦିଲ୍ଲୀ ଫେରିବା ପରେ ସଚିନଙ୍କୁ ଭେଟିବାର ଆଗ୍ରହ ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ ସୁନାପୁଅ ପ୍ରମୋଦ ଆଉ ସଚିନଙ୍କ ନିମନ୍ତ୍ରଣ ପାଇ ମୁମ୍ବାଇ ଯାଇ ମାଷ୍ଟରବ୍ଲାଷ୍ଟରଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ଉଭୟ ଷ୍ଟାର ଖେଳାଳିଙ୍କ ଭିତରେ ହୋଇଥିବା ବାର୍ତ୍ତାଳାପ ବିଷୟରେ ବଖାଣିଛନ୍ତି ପ୍ରମୋଦ । ଖେଳବେଳେ ନିଜ କ୍ରୋଧ ଉପରେ ସଚିନ କେମିତି ନିୟନ୍ତ୍ରଣ ରଖୁଥିଲେ ସେ କଥା ତାଙ୍କଠାରୁ ପଚାରି ବୁଝିଥିଲେ ଓଡିଶାର ବ୍ୟାଡମିଣ୍ଟନ ତାରକା ।

ସଚିନଙ୍କ ସହ ତାଙ୍କ ଘରେ ପ୍ରାୟ ୩ ଘଣ୍ଟା ସମୟ କାଟିଥିଲେ ପ୍ରମୋଦ ଭଗତ । ନିଜ ଆଦର୍ଶର ଖେଳାଳିଙ୍କୁ ପାଖରେ ପାଇ ଚରମ ଖୁସି ପ୍ରକାଶ କରିବା ସହ ରାତିସାରା ଶୋଇପାରିବେ ନାହିଁ ବୋଲି ପ୍ରକାଶ କରିଥିଲେ । ନିଜର ଏକ ବ୍ୟାଡମିଣ୍ଟନ ରାକେଟ ସଚିନଙ୍କୁ ଉପହାର ଦେଇଥିଲେ ପ୍ରମୋଦ । ଜବାବରେ ପ୍ରମୋଦ ଭଗତଙ୍କ ଜର୍ସିରେ ସଚିନ ଦେଇଥିଲେ ଅଟୋଗ୍ରାଫ । କ୍ରିକେଟ ପଡିଆ ହେଉ ବା ବ୍ୟାଡମିଣ୍ଟନ କୋର୍ଟ, ନିଜର ତ୍ରୁଟି ବିଷୟରେ ଜାଣିବା ପରେ ଖେଳାଳି ହତୋତ୍ସାହିତ ହୁଏ ଓ ବେଳେ ବେଳେ ରାଗିଯାଏ ମଧ୍ୟ । ହେଲେ ମହାନ ଖେଳାଳି ସଚ୍ଚିନ ତେନ୍ଦୁଲକରଙ୍କଠାରୁ କ୍ରୋଧ ଉପରେ ନିୟନ୍ତ୍ରଣର ସୂତ୍ର ପାଇସାରିଛନ୍ତି ପ୍ରମୋଦ, ଯାହା ତାଙ୍କୁ ଆଗାମୀ ଦିନରେ ବେଶ ସହାୟକ ହେବ ।