କନକ ବ୍ୟୁରୋ : ମୌସୁମୀ ଅଧିବେଶନର ତୃତୀୟ ଦିନରେ ବି ଗୃହ ଅଚଳ । ଷ୍ଟାଫ ସିଲେକ୍ସନ ଦୁର୍ନୀତିକୁ ନେଇ କଂଗ୍ରେସର ହଟ୍ଟଗୋଳ ପରେ ଗୃହକୁ ଦିନ ୪ଟା ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି । ତେବେ ଏଭଳି ଅଚାନକ ଗୃହ ମୁଲତବୀକୁ ନେଇ ବିଜେପି-କଂଗ୍ରେସ ପରସ୍ପରକୁ ଦୋଷ ଦେଉଥିବା ବେଳେ ଶାସକ ବିଜେଡିକୁ ଟାର୍ଗେଟ କରିବାକୁ ପଛାଇନାହାନ୍ତି । ତେବେ ମୁଲତବୀକୁ ନେଇ ମୁହଁ ଖୋଲିଛି ବିଜେଡି । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ବିରୋଧୀଙ୍କ ଭିତରେ ବାଗୁଡି ଖେଳ ଚାଲିଛି। ସେମାନେ ଆଲୋଚନା କରି ପ୍ରସଙ୍ଗ ଆଣିବା କଥା। ନିର୍ଦ୍ଧିଷ୍ଟ ଭାବେ କିଛି କଥା ନକହି ଲୋକଙ୍କ କାମରେ ଲାଗୁନଥିବା କଥାକୁ ଉଠାଉଛନ୍ତି। ଯେଉଁ ପ୍ରସଙ୍ଗ ଆସିବା କଥା ଆଣୁନାହାନ୍ତି। ଲୋକଙ୍କ ପ୍ରସଙ୍ଗ ଉଠାନ୍ତୁ। ବିରୋଧୀ ଥାନା କୋର୍ଟ କଚେରୀ ହୋଇ ନିଷ୍ପତ୍ତି ନେଉଛନ୍ତି। ଲୋକଙ୍କ ସ୍ୱାର୍ଥ ପାଇଁ ଯେଉଁ କଥା ଆସିବ ସରକାର ଆଲୋଚନା କରିବା ପାଇଁ ପ୍ରସ୍ତୁତ।

Advertisment

ଏହାସହ ପ୍ରମିଳା କହିଛନ୍ତି, ଯେଉଁ ପ୍ରସଙ୍ଗରେ ଓଡ଼ିଶାବାସୀଙ୍କର କୌଣସି ସ୍ୱାର୍ଥ ନାହିଁ,  ସେ ପ୍ରସଙ୍ଗ ଆଣି ଗୃହର ସମୟ ବରବାଦ କରିଛନ୍ତି ବିରୋଧୀ । ଚାଷୀ,କୋଭିଡ ଓ ମରୁଡି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି । ସାଧାରଣ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଥିବା ବିଭିନ୍ନ ସମସ୍ୟାର କଥା ଗୃହରେ ନ ଉଠାଇ ଅପରାଧ ଏବଂ ବିଭିନ୍ନ ଛୋଟମୋଟ ପ୍ରସଙ୍ଗ ଉଠାଉଛନ୍ତି ବିରୋଧୀ । ଯାହାର କୌଣସି ଆବଶ୍ୟକତା ନାହିଁ । ବିରୋଧୀଙ୍କ ଏଭଳି କାର୍ଯ୍ୟକଳାପକୁ ପୂରା ରାଜ୍ୟବାସୀ ଦେଖୁଛନ୍ତି । ଆଉ ଏହାର ବିଚାର ମଧ୍ୟ କରିବେ ।

ସରକାର ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ । ସଠିକ୍ ଫୋରମରେ ପ୍ରସଙ୍ଗ ଆଣିଲେ ସରକାର ଆଲୋଚନା କରିବାକୁ ସବୁବେଳେ ପ୍ରସ୍ତୁତ ଅଛନ୍ତି । କିନ୍ତୁ ବିରୋଧୀ କିଛି କ୍ରିମିନାଲ ଓ ଛୋଟମୋଟ କେସ୍ ଧରି ଗୃହକୁ ଅଚଳ କରୁଛନ୍ତି । ଯାହା ଆଦୌ ଠିକ୍ ନୁହେଁ ।