ଯିଏ ଦୋଷୀ ତାଙ୍କୁ ଦଣ୍ଡ ମିଳିବ, ବିରୋଧୀ ତ ଅନେକ କଥା କହିବେ । ସରକାର ସାଧାରଣ ଲୋକଙ୍କ ପାଖରେ ଉତ୍ତରଦାୟୀ । ବିଜେପି ଅଭିଯୋଗର ଜବାବ ରଖିଲା ବିଜେଡି ।

194

କନକ ବ୍ୟୁରୋ : ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ ଆଜି ଝାରସୁଗୁଡାର ଜେଏମଏଫସି କୋର୍ଟରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ହତ୍ୟାକାଣ୍ଡର ୧୧୮ ଦିନ ପରେ ଚାର୍ଜସିଟ୍ ଦାଖଲ ହୋଇଛି । ତଦନ୍ତକାରୀ ଡିଏସପି ଏହାର ଚାର୍ଜସିଟ ଦାଖଲ କରିଥିବା ବେଳେ କାହିଁକି ନବ ଦାସଙ୍କୁ ପୋଲିସ ଏଏସଆଇ ଗୋପାଳ ଦାସ ହତ୍ୟା କରିଥିଲେ ତାହା ଉଲ୍ଲେଖ ରହିଛି । ତେବେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ବିରୋଧୀ ବିଜେପି ଚାର୍ଜସିଟରେ ମିଛ କଥା ଲେଖାଯାଇଥିବା କହିବା ସହ ଘଟଣାକୁ ଘଣ୍ଟ ଘୋଡାଇବାରେ କ୍ରାଇମବ୍ରାଞ୍ଚ ସଫଳ ହୋଇଥିବା କହିଛି । ଏପରିକି ନବଙ୍କ ସହ ଗୋପାଳଙ୍କର ବ୍ୟକ୍ତିଗତ ଶତ୍ରୁତା କାହିଁକି ହୋଇଥିଲା ତାହା ଚାର୍ଜସିଟରେ କାହିଁକି ଉଲ୍ଲେଖ ନାହିଁ ବୋଲି ପ୍ରଶ୍ନ କରିଛି । ଏଭଳି କହି ସରକାରଙ୍କୁ ଘେରିଛି ବିଜେପି ।

ଅନ୍ୟପଟେ ଚାର୍ଜସିଟ୍ ଦାଖଲ ପରେ ବିରୋଧୀ ଆଣିଥିବା ଅଭିଯୋଗର ଜବାବ ରଖିଛି ବିଜେଡି । ଦଳର ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ବିରୋଧୀ ଅନେକ କଥା କହିବେ । ସରକାର ଯେତେ ଭଲ କାମ କଲେ ବି ବିରୋଧୀ କହିବେ । ବିରୋଧୀ ତାଙ୍କ କାମ କରନ୍ତୁ, ସରକାର ଲୋକଙ୍କ ପାଖରେ ଉତ୍ତରଦାୟୀ । ସାଧାରଣ ଲୋକଙ୍କ ପାଇଁ ଯାହା କରିବା କଥା ସରକାର କରିବେ । ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଭଲ ଅଛି । ଉତ୍ତରପ୍ରଦେଶ, ଗୁଜୁରାଟ ଠାରୁ ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତି ଭଲ ଅଛି । କ୍ରାଇମବ୍ରାଞ୍ଚ ଯାହା ତଦନ୍ତ କରିବେ ନ୍ୟାୟ ସମସ୍ତଙ୍କୁ ମିଳିବ । ଯେଉଁମାନେ ଦୋଷୀ ସେମାନଙ୍କୁ ଦଣ୍ଡ ମିଳିବ ।