‘ଶଙ୍ଖ’ ଚିହ୍ନରେ ଲଢିବେ ସ୍ୱୟଂ ସହାୟକ ମହିଳା । ଆସ୍କାରୁ ପ୍ରାର୍ଥୀ ହେଲେ ପ୍ରମିଳା ବିଶୋୟୀ, ୭୦ ଲକ୍ଷ ସ୍ୱୟଂ ସହାୟକ ମହିଳାଙ୍କ ଉପରେ ବିଜେଡିର ନଜର ।

861

କନକ ବ୍ୟୁରୋ : ଦ୍ୱନ୍ଦ୍ୱ, ବିରୋଧ, ଚର୍ଚ୍ଚା, ଆଲୋଚନା ଭିତରେ ଏପ୍ରିଲ ୧୧ ଓ ୧୮ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜୁ ଜନତା ଦଳ । ପୂର୍ବରୁ ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ପାଇଁ ଘୋଷଣା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ହୋଇଥିବା ୯ଟି ଲୋକସଭା ଆସନରୁ ୩ଟିରେ ମହିଳାଙ୍କୁ ପ୍ରାର୍ଥୀ କରି କଥା ରଖିଛନ୍ତି ନବୀନ । ଆଉ ଏହାରି ଭିତରେ ଏବେ ଚର୍ଚ୍ଚାର ପରିସରରେ ରହିଛି ଆସ୍କା ନିର୍ବାଚନ ମଣ୍ଡଳୀ ।

ଏସଏଚଜିଙ୍କୁ ସମ୍ମାନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭୦ ଲକ୍ଷ ସ୍ୱୟଂ ସହାୟକ ମହିଳାଙ୍କ ଉପରେ ଫୋକସ କରିଛି ବିଜୁ ଜନତା ଦଳ । ଏସଏଚଜି ଗ୍ରୁପ ଗୁଡିକ ପାଇଁ ରାଜ୍ୟ ସରକାର ପୂର୍ବରୁ ବିଭିନ୍ନ ପ୍ରକାର ଯୋଜନାମାନ ଘୋଷଣା କରିଥିବା ବେଳେ, ଆଗାମୀ ନିର୍ବାଚନ ପାଇଁ ଏସଏଚଜି ଗ୍ରୁପର ଜଣେ ସଦସ୍ୟାଙ୍କୁ ଲୋକସଭା ପ୍ରାର୍ଥୀ କରିଛନ୍ତି ନବୀନ । ଆସ୍କା ଲୋକସଭା ଆସନ ପାଇଁ ପ୍ରମିଳା ବିଶୋୟୀଙ୍କୁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ । ପ୍ରମିଳା ବିଶୋୟୀ, ନଳବନ୍ତର ସତସଙ୍ଗ ଏସଏଚଜି ଗ୍ରୁପର ଜଣେ ସଦସ୍ୟା ଅଟନ୍ତି ।

ମିଶନ ଶକ୍ତି ଅଭିଯାନର ଜଣେ ପ୍ରମୁଖ କାର୍ଯ୍ୟକର୍ତା ପ୍ରମିଳା ବିଶୋଇଙ୍କୁ ଆସ୍କା ଲୋକସଭା ଆସନର ଟିକଟ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ନବୀନ । ପ୍ରମିଳାଙ୍କ ସ୍ୱୟଂ ସହାୟକ ଗୋଷ୍ଠୀ ‘ସାତ ଶଙ୍ଖ’, ଚେରମାରିଆ ୟୁପି ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିଥାଏ । ଗତ ୧୮ ବର୍ଷ ଧରି ଏସଏଚଜିର ନେତୃତ୍ୱ ନେଉଥିବା ଏହି ମହିଳାଙ୍କ ଚାଷ ଜମିର ପରିମାଣ ୧ ଏକରରୁ କମ୍ ଏବଂ ମାସକୁ ରୋଜଗାର ୧୦ ହଜାରରୁ ୧୨ ହଜାର ଟଙ୍କା । ତେବେ କୁହାଯାଉଛି, ବିଜେଡି ପୂର୍ବରୁ ମହିଳା ଭୋଟ୍ ବ୍ୟାଙ୍କ ଉପରେ ଫୋକସ କରିଥିବା ବେଳେ, ଏସଏଚଜି ଗ୍ରୁପର ଜଣେ ସଦସ୍ୟାଙ୍କୁ ଲୋକସଭା ପ୍ରାର୍ଥୀ କରିବା ଏବେ ବିରୋଧୀଙ୍କୁ ଚିନ୍ତାରେ ପକାଇଛି । ସେପଟେ ଆସ୍କା ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ସିପିଏମ୍ । ରାମକୃଷ୍ଣ ପଣ୍ଡା ସିପିଏମରୁ ଆସ୍କା ଲୋକସଭା ଆସନ ପାଇଁ ନିର୍ବାଚନ ଲଢିବେ । ଅନ୍ୟପଟେ ବିଜେପି ଓ କଂଗ୍ରେସ ପକ୍ଷରୁ ଏଯାଏଁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ ।

୨୦୧୪ ସାଧାରଣ ନିର୍ବାଚନରେ ଏହି ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ସ୍ୱର୍ଗତ ଲଡୁ କିଶୋର ସ୍ୱାଇଁ ବିପୁଳ ସମର୍ଥନ ପାଇ ବିଜୟୀ ହୋଇଥିଲେ । ତେବେ ଗତ ଫେବୃଆରୀ ୫ ତାରିଖରେ ଆପୋଲ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା । ଏହା ପରେ ଏହି ଆସନରୁ କିଏ ଲଢିବେ ସେନେଇ ଚର୍ଚ୍ଚା ଜୋର ଧରିଥିଲା । ଏପରିକି କିଛି ନେତା ଏହି ଆସନ ପାଇଁ ଲବି କରିଥିବା ବେଳେ, ଏଠାରେ ମହିଳା କାର୍ଡ ଖେଳିଛନ୍ତି ବିଜେଡି ସୁପ୍ରିମୋ । ପୂର୍ବରୁ ମହିଳାଙ୍କ ପାଇଁ ଅନେକ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଶେଷ କରି ରାଜ୍ୟରେ କାର୍ଯ୍ୟରତ ଥିବା ବିଭିନ୍ନ ଏସଏଚଜି ଗ୍ରୁପର ସଦସ୍ୟାଙ୍କ ପାଇଁ ମଧ୍ୟ ନିକଟରେ ଅନେକ ଘୋଷଣା କରାଯାଇଥିଲା । ତେବେ ନବୀନଙ୍କ ଏହି ନିଷ୍ପତ୍ତି, ବିଜେଡିକୁ କେତେ ଫାଇଦା ଦେଉଛି ତାହା ସମୟ ହିଁ କହିବ ।