ମମିତାଙ୍କୁ ନ୍ୟାୟ ଦେବା ନୁହେଁ କେସକୁ ବୁଲାଇ ବଙ୍କେଇ ଯାତ୍ରା କରିବା ବିଜେପିର ଉଦ୍ଦେଶ୍ୟ । ଲେଖାଶ୍ରୀଙ୍କୁ ଟାର୍ଗେଟ କଲେ ପ୍ରମିଳା ।

330

କନକ ବ୍ୟୁରୋ : ମମିତା ହତ୍ୟାକାଣ୍ଡକୁ ନେଇ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ମାମଲାରେ ଗୃହରାଷ୍ଟ୍ର ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦାବି କରୁଛନ୍ତି । ଅନ୍ୟପଟେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ଆଉ ଏହି ବୟାନକୁ ନେଇ ଏବେ ମୁହାଁମୁହିଁ ହୋଇଛନ୍ତି ଉଭୟ ପ୍ରମିଳା ଓ ଲେଖାଶ୍ରୀ ।

ମମିତା ହତ୍ୟାକାଣ୍ଡରେ ଗୋବିନ୍ଦ ସାହୁ ଗିରଫ ହେବା ପରେ ଆଇନ ତା ବାଟରେ ଯିବ ଓ ଦୋଷୀ ନିଶ୍ଚୟ ଦଣ୍ଡ ପାଇବ ବୋଲି ପ୍ରମିଳା ମଲ୍ଲିକ କହିଥିଲେ ।  ଏପରିକି ଆଇନ ଉପରେ ତାଙ୍କର ଭରସା ଅଛି ବୋଲି କହିଥିଲେ ପ୍ରମିଳା । କିନ୍ତୁ ଏହାକୁ ନେଇ ଆଜି ଲେଖାଶ୍ରୀ ଟାର୍ଗେଟ କରିବା ସହ କହିଛନ୍ତି, ଯିଏ  ପୂର୍ବରୁ ଡାଲି ଚୋରି ଓ ଛତୁଆ ଚୋରି ମାମଲାରେ ମନ୍ତ୍ରୀପଦରୁ ବିଦା ହୋଇଥିଲେ, ଯାହାଙ୍କ ସାମାଜିକ ଜୀବନ ଉପରେ ପ୍ରଶ୍ନ ଆଗରୁ ଉଠିଛି ସେ କିଭଳି ଦୋଷୀ ଦଣ୍ଡ ପାଇବ ବୋଲି କହୁଛନ୍ତି ।

ଆଉ ଏଭଳି ପ୍ରତିକ୍ରିୟାକୁ ନେଇ ଲେଖାଶ୍ରୀଙ୍କୁ କଡା ଜବାବ ଦେଇଛନ୍ତି ପ୍ରମିଳା । ଡାଲି ଚୋରି ନେଇ ସେ କେଉଁ ଥାନାରେ ମାମଲା ଅଛି, କେଉଁ କୋର୍ଟରେ କେସ ରହିଛି ତାହା ସାମ୍ନାକୁ ଆଣନ୍ତୁ ଲେଖାଶ୍ରୀ । ଯଦି ସାହସ ଅଛି ତେବେ ଏହାକୁ ପ୍ରମାଣ କରି ଦେଖାନ୍ତୁ । ମମିତା ନ୍ୟାୟ ପାଆନ୍ତୁ ଏକଥା ସେ ଚାହାଁନ୍ତି ନାହିଁ ବରଂ ପ୍ରସଙ୍ଗକୁ ବୁଲାଇ ଗୋଟିଏ ଯାତ୍ରା କରୁଛନ୍ତି । ମିଛ କହିବା ବିଜେପି ଦଳର ଚରିତ୍ର । ପ୍ରଧାନମନ୍ତ୍ରୀ କହିଥିଲେ ଅଚ୍ଛେ ଦିନ ଆସିବ, କିନ୍ତୁ ଏବେ ତେଲ ଦର ବଢୁଛି, ଲୋକେ ହନ୍ତସନ୍ତ ହେଉଛନ୍ତି । ତାଙ୍କ ଦଳ ମିଛ, ନେତା ମିଛ ଓ କଥା ବି ମିଛ ।

ଏହାସହ ପ୍ରମିଳା କହିଛନ୍ତି, ମୋ ସାମାଜିକ ଜୀବନରେ କଣ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତାଙ୍କ ସାମାଜିକ ଜୀବନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବ । ସେ କେଉଁଠୁ ସାମାଜିକ ବାସନ୍ଦ ହୋଇଥିବେ, ପରିବାରରୁ ବାସନ୍ଦ ହୋଇଥିବେ । ମୋ ବିରୋଧରେ ଆଣିଥିବା ଅଭିଯୋଗକୁ ପ୍ରମାଣ କରି ଦେଖାନ୍ତୁ । ମମିତାଙ୍କୁ ନ୍ୟାୟ ଦେବା ବଦଳରେ ବ୍ୟକ୍ତିଗତ ଆକ୍ଷେପ ନ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରମିଳା ମଲ୍ଲିକ ।