ଅନୁଗୁଳ ନାଲକୋର ହେବ ସମ୍ପ୍ରସାରଣ । ଧର୍ମେନ୍ଦ୍ରଙ୍କ ପତ୍ରର ଉତ୍ତର ରଖିଲେ କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

144

କନକ ବ୍ୟୁରୋ: ଅନୁଗୁଳ ଜିଲ୍ଲାର ନାଲକୋ ଆଲୁମିନିୟମ ପ୍ଲାଂଟ ସଂପ୍ରସାରଣ ପାଇଁ ଭାରତ ସରକାରଙ୍କ ଖଣି ଓ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ସବୁ ପଦକ୍ଷେପ ନେଉଛନ୍ତି । ଗତ ଜାନୁଆରୀ ୪ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଥିବା ପତ୍ରର ଉତ୍ତରରେ ଦେଇ କେନ୍ଦ୍ର ଖଣି, କୋଇଲା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏପରିି କହିଛନ୍ତି । ଅନ୍ୟପଟେ  ଅନୁଗୁଳ ନାଲକୋ ପ୍ଲାଂଟର ସଂପ୍ରସାରଣ ପାଇଁ  ଏବେ ପୁଞ୍ଜିନିବେଶର ଦ୍ୱାର ଫିଟିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗତ ଜାନୁଆରୀ ୪ରେ ଅନୁଗୁଳ ନାଲକୋ ଆଲୁମିନିୟମ ପ୍ଲାଂଟର ଉତ୍ପାଦନ କ୍ଷମତା ବାର୍ଷିକ ୦.୪୬ ମିଲିୟନ ଟନରୁ ୧ ମିଲିୟନ ଟନ୍ ବୃଦ୍ଧି କରିବା ପାଇଁ କେନ୍ଦ୍ର ଖଣି, କୋଇଲା ଓ ସଂସଦ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତ୍ର ଲେଖିଥିଲେ । ଏହାର ପ୍ରତି ଉତ୍ତରରେ ପ୍ରହଲ୍ଲାଦ ଯୋଶୀ କହିଛନ୍ତି, ନାଲକୋର ଏହି ପ୍ରକଳ୍ପ ଭାରତ ସରକାରଙ୍କ ପ୍ରାଥମିକତାରେ ରହିଛି ।  ଏହି ପ୍ରକଳ୍ପ କମ୍ପାନୀର କ୍ଷମତା ସଂପ୍ରସାରଣ ପ୍ରକଳ୍ପରେ ପରିସରଭୃକ୍ତ ରହିଛି । ପ୍ରକଳ୍ପର ଡିଟେଲ୍ସ ପ୍ରଜେକ୍ଟ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ଆତ୍ମନିର୍ଭର ଭାରତକୁ ସାକାର କରିବା ପାଇଁ ଏହି ସବୁ ପ୍ରକଳ୍ପକୁ କାର୍ଯ୍ୟ କରିବା ଦିଗରେ ଖଣି ଓ କୋଇଲା ମନ୍ତ୍ରଣାଳୟ ସବୁ ପଦକ୍ଷେପ ନେଉଛି ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଜାନୁଆରୀ ୪ ତାରିଖରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଏକ ପତ୍ର ଲେଖି ଉଲ୍ଲେଖ କରିଥିଲେ ଯେ, ନାଲକୋ ଏହାର ଉତ୍ପାଦନ କ୍ଷମତା ବାର୍ଷିକ ୦.୪୬ ମିଲିୟନ ଟନରୁ ୧ ମିଲିୟନ ଟନ୍ ବୃଦ୍ଧି କରିବା ପାଇଁ ଅନୁଗୁଳ ଜିଲ୍ଲାରେ ଆଲୁମିନିୟମ ସ୍ମେଲଟର ପ୍ଲାଂଟ ପାଇଁ ଏକ ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପ ଆରମ୍ଭ କରୁଛି। ଏହି ପ୍ରକଳ୍ପରେ ୧୪୦୦ ମେଗାୱାଟ ଫିଡର କ୍ୟାପଟିଭ୍ ପାୱାର ପ୍ଲାଂଟ ନିର୍ମାଣ ଅନ୍ତର୍ଭୁକ୍ତ ରହିଛି । ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୨୨ ହଜାର କୋଟି ଥିବା ବେଳେ ଏହା ବର୍ତ୍ତମାନ ଜମି ଅଧିଗ୍ରହଣ ପର୍ଯ୍ୟାୟରେ ରହିଛି । ପଟ୍ଟାଙ୍ଗୀ ଖଣି କାର୍ଯ୍ୟକ୍ଷମ ହେବା ପରେ ନାଲକୋର ବକ୍ସାଇଟ୍ ଉତ୍ପାଦନ କ୍ଷମତା ବାର୍ଷିକ ୭.୩ ମିଲିୟନ ଟନରୁ ବାର୍ଷିକ କ୍ଷମତା ୧୦.୫ ମିଲିୟନ ଟନକୁ ବୃଦ୍ଧି ପାଇବ ବୋଲି କୁହାଯାଇଥିଲା ।