କାହିଁକି ବିଜେପି ଛାଡିଲେ ପ୍ରକାଶ? କନକ ନ୍ୟୁଜରେ ଇସ୍ତଫା ପଛର କାରଣ କହିଲେ ସାଲେପୁରର ପୂର୍ବତନ ବିଧାୟକ ।

1,535

କନକ ବ୍ୟୁରୋ : ବିଜେପି ଛାଡିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବିହାର । ବିଜେପି ଛାଡିବା ସହ ପ୍ରକାଶ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜବୁତ କରିବାକୁ ଦଳକୁ ଆସିଥିଲି । ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ନେଇଥିଲି । ତୃଣମୂଳସ୍ତରରେ ସଙ୍ଗଠନକୁ ମଜବୁତ କରିବାକୁ ଯେଉଁମାନଙ୍କର ପ୍ରମୁଖ ଭୂମିକା ଥିଲା ସେମାନଙ୍କୁ ଦୀର୍ଘଦିନ ହେବ ଦଳ ଭିତରେ ଅଣଦେଖା କରାଯାଉଥିଲା । କର୍ମକର୍ତ୍ତାଙ୍କ ମତକୁ ବିଭିନ୍ନ ଫୋରମରେ ରଖିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିଲା । ଦଳ ସହ ମୋର ବିଚାରଗତ ସମସ୍ୟା ରହିଲା ।

ଜିଲ୍ଲା ସଭାପତି ଭାବେ ମୋର ଦାୟିତ୍ୱ ଥିଲା, ଲୋକଙ୍କ ସାଙ୍ଗରେ ରହିବା, କର୍ମକର୍ତ୍ତାଙ୍କ ମତକୁ ସମ୍ମାନ ଦେବା ଏବଂ ତୃଣମୂଳସ୍ତରରେ ସଙ୍ଗଠନକୁ ଶକ୍ତିଶାଳୀ କରିବା । କିନ୍ତୁ ତୃଣମୂଳସ୍ତରର କର୍ମୀଙ୍କୁ ସମ୍ମାନ ମିଳୁନଥିଲା ଏବଂ ଅଣଦେଖା କରାଯାଉଥିଲା । ଜିଲ୍ଲା ସଭାପତି ଭାବେ ଏହା ମୋତେ ବାଧିଲା । ଯେଉଁଥିପାଇଁ ଦଳରୁ ଇସ୍ତଫା ଦେଇଛି ବୋଲି କହିଛନ୍ତି ପ୍ରକାଶ । ତୃଣମୂଳସ୍ତରର କର୍ମୀଙ୍କ କଥାକୁ ଦଳରେ ଗୁରୁତ୍ୱ ଦିଆଯାଉନଥିଲା ଏବଂ ସେମାନଙ୍କୁ ନ୍ୟାୟ ମଧ୍ୟ ଦେଇପାରୁନଥିଲି ଯେଉଁଥିପାଇଁ ବିଜେପି ଛାଡିବାକୁ ନିଷ୍ପତ୍ତି ନେଲି । ଲୋକଙ୍କ ମତ ନେଇ ମୁଁ ରାଜନୀତିରେ ଅଛି । ତେଣୁ ଦଳ ଛାଡିବା ପରେ ମୋର କର୍ମକର୍ତ୍ତା ଓ ପରିଜନଙ୍କ ସହ ଆଲୋଚନା କରି ପରବର୍ତ୍ତୀ ନିଷ୍ପତ୍ତି ନେବି । ନିର୍ବାଚନ ଲଢିବା ମୋର ଧର୍ମ ବୋଲି କହିଛନ୍ତି ପ୍ରକାଶ । ଯାହା ସଂକେତ ଦେଉଛି ଖୁବଶୀଘ୍ର ପ୍ରକାଶ ନିଜର ପରବର୍ତ୍ତୀ ରାଜନୈତିକ ନିଷ୍ପତ୍ତି ନେବେ । ଏପରିକି ପ୍ରକାଶ ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।