କନକ ବ୍ୟୁରୋ : ଗତକାଲି ହାଇକୋର୍ଟ ପରେ ଆଜି ଭୁବନେଶ୍ୱର କୋର୍ଟରେ ପହଞ୍ଚିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ତାଙ୍କ ଉପରେ ହୋଇଥିବା ନିର୍ଯାତନା ବିରୋଧରେ ପ୍ରକୃତି ମାନହାନୀ ମକଦ୍ଦମା କରିଛନ୍ତି । ଭୁବନେଶ୍ୱର କୋର୍ଟରେ ୫କୋଟି ୧୦ ହଜାର ଟଙ୍କାର ମାନହାନୀ ମାମଲା ଦାୟର କରିଛନ୍ତି । ବାବୁସାନଙ୍କ ପତ୍ନୀ ତୃପ୍ତି ଏବଂ ଶ୍ୱଶୁର ଲଳିତ ଶତପଥୀଙ୍କ ବିରୋଧରେ ଏହି ମକଦ୍ଦମା କରିଛନ୍ତି ।

Advertisment

ସେହିପରି ଘଟଣା ସ୍ଥଳରେ ଉପସ୍ଥିତ ଥିବା ଅନ୍ୟ ୮ଜଣଙ୍କ ବିରୋଧରେ ମଧ୍ୟ ମୋକଦ୍ଦମା କରାଯିବ । କିନ୍ତୁ ସେମାନେ ଚିହ୍ନଟ ହୋଇନଥିବାରୁ ତାଙ୍କ ନାଁ ଦିଆଯାଇ ନାହିଁ । ସୋସିଆଲ ମିଡିଆ ୟୁଟ୍ୟୁବକୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି ପ୍ରକୃତି ମିଶ୍ର । ୟୁଟ୍ୟୁବରେ ପ୍ରକୃତିଙ୍କ ପ୍ରତି ଅପମାନଜନକ ଭିଡିଓ ଥିବାରୁ ୟୁଟ୍ୟୁବକୁ ପକ୍ଷଭୁକ୍ତ କରିଥିବା ତାଙ୍କ ଓକିଲ କହିଛନ୍ତି । ପୋଲିସଠାରୁ ନ୍ୟାୟ ନ ମିଳିବାରୁ କୋର୍ଟ ଯାଇଥିବା ପ୍ରକୃତି କହିଛନ୍ତି ।

ଗତ ମାସ ଜୁଲାଇ ୨୩ ତାରିଖରେ ରାଜଧାନୀ ରାସ୍ତା ଉପରେ ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ହାଇଡ୍ରାମା । ଗୋଟିଏ କାରରେ ଅଭିନେତା ବାବୁସାନ ଓ ପ୍ରକୃତି ମିଶ୍ର ଯାଉଥିବାବେଳେ ବାଟରେ ଅଟକାଇଥିଲେ ତୃପ୍ତି । ଆଉ ତାପରେ ତୃପ୍ତି ବାବୁସାନଙ୍କୁ ଟଣା ଓଟରା କରିବା ସହ ପ୍ରକୃତିଙ୍କୁ ମାଡ ମାରିଥିବା ଦେଖିବାକୁ ମିଳିଥିଲା । ତାପରେ ପ୍ରକୃତିଙ୍କ ପକ୍ଷରୁ ତୃପ୍ତି ଓ ତାଙ୍କ ବାପାଙ୍କ ବିରୋଧରେ ଖାରବେଳନଗର ଥାନାରେ ଏତଲା ଦେଇଥିଲେ ପ୍ରକୃତିଙ୍କ ମାଆ ।

ପ୍ରକୃତିଙ୍କ ବିରୋଧରେ ମଧ୍ୟ ତୃପ୍ତି ଥାନାରେ ଅଭିଯୋଗ କରିଥିଲେ । ପ୍ରକୃତି ତାଙ୍କ ସ୍ୱାମୀ ବାବୁସାନଙ୍କୁ ବ୍ଲାକମେଲ କରି ଟଙ୍କା ଲୁଟୁଥିବା ଅଭିଯୋଗ କରିଥିଲେ । ଏପରିକି ବାରମ୍ବାର ମନାକରିବା ସତ୍ୱେ ବାବୁସାନଙ୍କୁ ବ୍ଲାକମେଲ କରି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଫାଟ ସୃଷ୍ଟି କରୁଥିବା ଅଭିଯୋଗ କରିଥିଲେ । ତୃପ୍ତିଙ୍କ ଅଭିଯୋଗ ଆଧାରରେ ପୋଲିସ ପ୍ରକୃତିଙ୍କୁ ଡାକି ପଚରାଉଚୁରା କରିଥିଲା ।