ମାସକ ମଧ୍ୟରେ ବଦଳିଗଲା ଚିତ୍ର ଚରିତ୍ର ! ମାସକ ପୂର୍ବରୁ ନିର୍ବାଚନ ପାଇଁ ଟିକେଟ ମାଗୁଥିଲେ, ଏବେ ଅଣଦେଖା ବାହାନା ଦେଖାଇ କଂଗ୍ରେସ ଛାଡି ବିଜେପିରେ ସାମିଲ ହେଲେ ପ୍ରକାଶ ।

523

କନକ ବ୍ୟୁରୋ : ରାଜନୀତିରେ ପ୍ରତି ମୁହୂର୍ତ୍ତରେ ଚିତ୍ର ଓ ଚରିତ୍ର ବଦଳିଥାଏ । ପୂର୍ବରୁ ଏହାର ଅନେକ ନଜିର ରହିଛି । ଆଉ ଏହି ତାଲିକାରେ ଏବେ ପ୍ରକାଶଙ୍କ ନାଁ ଯୋଡି ହୋଇଯାଇଛି । ପଦ୍ମ ଧରିବା ପରେ ପ୍ରକାଶଙ୍କ ଦୋମୁହାଁ ନୀତି ଏବେ ପଦାରେ ପଡିଛି । ରାଜନୀତିରେ ସବୁ ସମ୍ଭବ ଏହାକୁ ପ୍ରମାଣିତ କରିଛନ୍ତି ପ୍ରକାଶ । କାରଣ ଏହାପୂର୍ବରୁ ପ୍ରକାଶ ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ଦଳ ବିରୋଧରେ ଲମ୍ବା ଅଭିଯୋଗଫର୍ଦ୍ଦ ରଖିଥିଲେ । ଏପରିକି କଂଗ୍ରେସ ନେତୃତ୍ୱ ତାଙ୍କୁ ବାରମ୍ବାର ଅପମାନିତ କରି ଆସିଛନ୍ତି । କଟକ ଜିଲ୍ଲା ସଭାପତି ପଦରୁ ହଟାଯିବା ସହ ପିସିସି ସଭାପତି ତାଙ୍କ କଥା ଶୁଣୁନଥିଲେ ବୋଲି ସଙ୍ଗୀନ ଅଭିଯୋଗ ଆଣିଥିଲେ ପ୍ରକାଶ । ୨୦ ବର୍ଷ ଧରି କଂଗ୍ରେସ ପାଇଁ କାମ କରିବା ପରେ ଦଳ ମୋତେ ଅବହେଳା କଲା । ଯେଉଁଥିପାଇଁ ସେ ଦଳକୁ ବାଏ ବାଏ କଲେ ବୋଲି ଇସ୍ତଫାପତ୍ରରେ ଲେଖିଥିଲେ ।

ତେବେ ବିଜେପିରେ ମିଶିବାର ଠିକ୍ ମାସକ ପୂର୍ବରୁ ପ୍ରକାଶ ପିସିସି ସଭାପତିଙ୍କୁ ଯେଉଁ ଚିଠି ଲେଖିଥିଲେ ତାହା ତାଙ୍କର ଦୋମୁହାଁ ନୀତିକୁ ପଦାରେ ପକାଇଛି । ଗତ ଫେବ୍ରୁଆରୀ ୧୫ ତାରିଖରେ ପ୍ରକାଶ ପିସିସି ସଭାପତିଙ୍କ ନିକଟକୁ ଚିଠି ଲେଖିବା ସହ ସାଲେପୁର ପାଇଁ ତାଙ୍କୁ ଟିକେଟ ଦେବାକୁ ଅନୁରୋଧ କରିଥିଲେ । ଦୀର୍ଘ ୨୦ ବର୍ଷ ଧରି ନିର୍ବାଚନମଣ୍ଡଳୀବାସୀଙ୍କ ସହ ଥିବାରୁ ତାଙ୍କୁ କଂଗ୍ରେସ ଟିକେଟ ମିଳୁ ବୋଲି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଚିଠି ଲେଖି ଜଣାଇଥିଲେ । ତେବେ ଏହାର ବହୁ ଦିନ ଆଗରୁ କଂଗ୍ରେସ ପକ୍ଷରୁ ମଧ୍ୟ ୨୦୧୪ରେ ବିଜୟୀ ହୋଇଥିବା ସମସ୍ତ ବିଧାୟକଙ୍କୁ ଟିକେଟ ଦେବା ନେଇ ଘୋଷଣା କରାଯାଇଥିଲା । ଯେଉଁ ତାଲିକାରେ ପ୍ରକାଶଙ୍କ ନାଁ ମଧ୍ୟ ରହିଥିଲା । ତେବେ ଏହାପରେ ମଧ୍ୟ ପ୍ରକାଶ ଅନେକ ସମୟରେ ଏଭଳି କାର୍ଯ୍ୟ କରିଥିଲେ ଯାହା ଦଳ ବିରୋଧୀ ଥିଲା । ବିନା ଦଳୀୟ ବ୍ୟାନରରେ ପଦଯାତ୍ରା କରିବା ପରେ ମଧ୍ୟ ଦଳ ପ୍ରକାଶଙ୍କ ହାତ ଛାଡିନଥିଲା ।

ପିସିସି ସଭାପତିଙ୍କୁ ନିଜ ଟିକେଟ ପାଇଁ ପ୍ରକାଶ ଚିଠି ଲେଖିବାର ଗୋଟିଏ ମାସ ପରେ ବଦଳିଛି ସାଲେପୁର ରାଜନୀତିର ଚିତ୍ର । ପ୍ରକାଶ ଏବେ ବିଜେପି କ୍ୟାମ୍ପରେ । ତେବେ ପ୍ରଶ୍ନ ଉଠୁଛି ପ୍ରକାଶଙ୍କ ଟିକେଟ ଏକ ପ୍ରକାର ନିଶ୍ଚିତ ହୋଇଥିବା ବେଳେ ଗୋଟିଏ ମାସ ମଧ୍ୟରେ କାହିଁକି ପଲଟିଯାଇଛନ୍ତି ପ୍ରକାଶ । ଏହାଛଡା ଦଳ ଓ ପିସିସି ସଭାପତିଙ୍କ ବିରୋଧରେ ପ୍ରକାଶ ଯେଉଁ ଅଭିଯୋଗ ଆଣିଛନ୍ତି ସେଥିରେ କେତେ ସତ୍ୟତା ରହିଛି । କାରଣ ପ୍ରକାଶଙ୍କୁ ଟିକେଟ ମିଳିବା ନେଇ କଂଗ୍ରେସ ଶିବିରରୁ ପୂର୍ବରୁ ଗ୍ରୀନ୍ ସିଗନାଲ ମିଳିସାରିଥିଲା ବୋଲି ଦଳର ଅନ୍ଦରମହଲରେ ଚର୍ଚ୍ଚା ହେଉଥିଲା । କିନ୍ତୁ ନିଜର ରାଜନୈତିକ ଫାଇଦା ପାଇଁ ପ୍ରକାଶ ଅଣଦେଖାକୁ ପ୍ରସଙ୍ଗ କରି କଂଗ୍ରେସରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । ଏପରିକି ଏଭଳି କରି ପ୍ରକାଶ ସୁବିଧାବାଦୀ ରାଜନୀତି କରୁଛନ୍ତି ବୋଲି କଂଗ୍ରେସ ଶିବିରରେ ଶୁଣିବାକୁ ମିଳୁଛି । ବାରମ୍ବାର ନିର୍ବାଚନ ହାରୁଥିଲେ ମଧ୍ୟ ଦଳ ପ୍ରକାଶଙ୍କ ଉପରେ ଭରସା ତୁଟାଇନଥିଲା । ଲଗାତାର ୩ ଥର ପରାଜିତ ହେବା ପରେ ମଧ୍ୟ କଂଗ୍ରେସ ଟିକେଟରୁ ଚତୁର୍ଥ ଥରରେ ବିଜୟ ଲାଭ କରିଥିଲେ ପ୍ରକାଶ । କିନ୍ତୁ ଦଳ ଯେତେବେଳେ ପ୍ରକାଶଙ୍କୁ ନେଇ ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଥିଲା ସେତେବେଳେ ପ୍ରକାଶ ନିଜର ରାଜନୈତିକ ଫାଇଦା ପାଇଁ କଂଗ୍ରେସର ହାତ ଛାଡିବାକୁ ମଧ୍ୟ ପଛାଇନାହାନ୍ତି ବୋଲି ଦଳୀୟ ନେତା କହିଛନ୍ତି ।