ବିଭିନ୍ନ ଦାବିକୁ ନେଇ ଭାଗ ଭାଗ ହେଲା ସ୍ୱାଭିମାନ ଅଂଚଳ । ବିକାଶ ପାଇଁ ପ୍ରଶାସନ ଓ ପୁଲିସ ସପକ୍ଷରେ ଗୋଟିଏ ଗୋଷ୍ଠୀ

ସ୍ୱାଭିମାନ ଅଂଚଳରୁ ବିଏସଏଫ କ୍ୟାମ୍ପ, ଆଇଆରବି କ୍ୟାମ୍ପ ଉଚ୍ଛେଦ ଦାବିରେ ବିପକ୍ଷବାଦୀଙ୍କ ପ୍ରଜାମେଳୀ

203

କନକ ବ୍ୟୁରୋ: ବେଶ କିଛି ଦିନ ହେବ ଅଶାନ୍ତ ସ୍ୱାଭିମାନ ଅଂଚଳ । ବାରମ୍ବାର ପ୍ରଜାମେଳି କରି ଦାବି ଉପସ୍ଥାପନ କରୁଛନ୍ତି ବୁଡି ଅଂଚଳ ବାସିନ୍ଦା । ଏହାରି ଭିତରେ ସ୍ୱାଭିମାନ ଅଂଚଳର ଭିନ୍ନ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି । ଭାଗ ଭାଗ ହୋଇଯାଇଛି ସ୍ୱାଭିମାନ ଅଂଚଳ । ଗୋଟିଏ ଗୋଷ୍ଠୀ ଏବେ ବିକାଶ ମୁହାଁ ହୋଇ ପ୍ରଶାସନ ଓ ସରକାର ସପକ୍ଷରେ ଛିଡା ହୋଇ ଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ସେଇ ଚିରାଚରିତ ଢଙ୍ଗରେ ପ୍ରଶାସନ ଓ ପୁଲିସକୁ ବିରୋଧ କରିଆସୁଛି । ଆଉ ଦୁଇ ଗୋଷ୍ଠୀର ଛକାପଂଝା ଭିତରେ ବି ଆଗେଇ ଚାଲିଛି ପ୍ରଶାସନର ବିଭିନ୍ନ ବିକାଶ ମୂଳକ କାମ । ଶାନ୍ତି ବଜାୟ ରଖିବା ସହ ସରକାରଙ୍କ ଉପରେ ଭରସା ରଖିବା ପାଇଁ ନିବେଦନ କଲେ ମାଲକାନଗିରି ଜିଲ୍ଲାପାଳ ।

ପ୍ରଜାମେଳି ପରେ ପ୍ରଜାମେଳି । ବାରମ୍ବାର ପ୍ରଜାମେଳି କରି ଦୁଇ ଭାଗ ହେଲା ସ୍ୱାଭିମାନ ଅଂଚଳ । ଗତ କିଛି ମାସରେ ଦଳ ଦଳ ହୋଇ ପ୍ରାୟ ୧୦ଟି ପ୍ରଜାମେଳୀ କରି ସାରିଲେଣି ବୁଡି ଅଂଚଳବାସୀ । ଗୋଟିଏ ଗୋଷ୍ଠୀ ସରକାରଙ୍କ ସପକ୍ଷରେ ମତର ରଖୁଥିବା ଥିବାବେଳେ ଅନ୍ୟ ଏକ ଗୋଷ୍ଠୀ ସରକାରୀ ବିରୋଧୀ ନାରା ଦେଉଛନ୍ତି । ବର୍ଷ ବର୍ଷ ଦିନ ଧରି ସରକାର ଓ ପୁଲିସ ବିରୋଧରେ ଗର୍ଜନ କରୁଥିବା ଗୋଟିଏ ଗୋଷ୍ଠୀ, ଏବେ ସରକାର ସପକ୍ଷରେ ଛିଡା ହୋଇଛନ୍ତି । ସ୍ୱାଭିମାନ ଅଂଚଳ ଧୁଳିପୁଟ, ବଡ଼ପଡ଼ା, ପାପେରମେଟଲା ଓ ରାଲେଗଡା ପଂଚାୟତର ଲୋକ ଏକତ୍ରିତ ହୋଇ ନିଜ ଅଂଚଳର ବିକାଶ ଦାବି କଲେ । ରାସ୍ତାଘାଟ, ଡାକ୍ତରଖାନା, ବିଦ୍ୟାଳୟ, ପାନୀୟ ଜଳ ପରି ମୌଳିକ ସୁବିଧା ପାଇଁ ପ୍ରଶାସନ ଓ ପୁଲିସର ସମର୍ଥନ ଆବଶ୍ୟକ ବୋଲି କହିଥିଲେ ।

ପଣସପୁଟ ପଂଚାୟତ କୁନ୍ତୁରୁପଦରରେ ଆଉ ଏକ ପ୍ରଜାମେଳି କଲେ ବିପକ୍ଷବାଦୀ । କୁନ୍ତୁରୁପଦର ଆଇ.ଆର.ବି କ୍ୟାମ୍ପ ଓ ହନ୍ତାଳଗୁଡା ବି.ଏସ.ଏଫ କ୍ୟାମ୍ପ ଉଚ୍ଛେଦ ଦାବିରେ ଗର୍ଜନ କରିଛନ୍ତି ଗ୍ରାମବାସୀ । ଯୋଡାମ୍ବ, ଗାଜଲମାମୁଡି, ଯନ୍ତ୍ରୀ, ପଣସପୁଟ ଓ ଅଣ୍ଡ୍ରାପାଲି ପଂଚାୟତର ଲୋକେ ୩୧ ଦଫା ଦାବି ଦୋହରାଇଛନ୍ତି । ସେପଟେ ଗୁରୁପ୍ରିୟା ସେତୁ ଠିଆ ହେବା ପରେ ସ୍ୱାଭିମାନ ଅଂଚଳରେ ଦୃତଗତିରେ ମାଡି ଚାଲିଛି ରାଜ୍ୟ ସରକାରଙ୍କ ବିକାଶର ଗାଡି । ରାସ୍ତାଘାଟ, ଶିକ୍ଷା, ସ୍ୱାସ୍ଥ୍ୟ ସବୁ କିଛି ସ୍ୱାଭିମାନୀ ମଣିଷଙ୍କୁ ଯୋଗାଇ ଦେବା ପାଇଁ ଉଦ୍ୟମ ଜାରି ରହିଛି । ଆଗକୁ ମଧ୍ୟ ଜାରି ରହିବ ବୋଲି କହିଛନ୍ତି ପ୍ରଶାସନିକ ଅଧିକାରୀ ।