ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଂସଦଙ୍କ ପ୍ରଶଂସା ପରେ ରାଜନୀତି ଜୋର । ଦେବାଶିଷ କହିଲେ, ଦଳବିରୋଧୀ କାମ କରିଛନ୍ତି ପିନାକୀ

26

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ପ୍ରଶଂସାକୁ ନେଇ ରାଜନୀତି ଜୋର ଧରିଛି । ପିନାକୀଙ୍କୁ ଆଜି କଡା ଜବାବ ଦେଇଛନ୍ତି ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ । ସେ କହିଛନ୍ତି, ଧର୍ମେନ୍ଦ୍ରଙ୍କୁ ପ୍ରଶଂସା କରି ପିନାକୀ ଦଳବିରୋଧୀ କାମ କରିଛନ୍ତି । ସାଂସଦ ପେଟ୍ରୋଲିୟମ ବିଭାଗର ସବୁ ବିଫଳତା ଜାଣି ସୁଦ୍ଧା ପ୍ରଶଂସାକରିବା ଆଦୌ ଠିକ୍ ହୋଇନି । ଧର୍ମେନ୍ଦ୍ର ଭାରତ ବର୍ଷକୁ ବହୁ ପଛକୁ ନେଇଯାଇଛନ୍ତି । ସେ ଜଣେ କୁଶଳୀ ମନ୍ତ୍ରୀ ନୁହନ୍ତି ବୋଲି ଦେବାଶିଷ କହିଛନ୍ତି । ତୈଳ ଦର କ୍ରମାଗତ ଭାବେ ବଢିଚାଲିଛି , ଖାଉଟି ହନ୍ତସନ୍ତ ହେଉଛନ୍ତି । ଏଭଳି ପରିସ୍ଥିତିରେ ସାଂସଦ ପିନାକୀ ମିଶ୍ରଙ୍କ ପ୍ରଂଶସା ଠିକ୍ ନୁହେଁ ।

ପିନାକୀ ସବୁ ଜାଣି ମିଛକୁ ପ୍ରଂଶସା କରୁଛନ୍ତି ବୋଲି ବିଧାୟକ ଦେବାଶିଷ ସାମନ୍ତରାୟ । ଗତକାଲି ଭୁବନେଶ୍ୱରର ଏକ କାର୍ଯ୍ୟକ୍ରମରେକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ ବିଜେଡି ସାଂସଦ ପିନାକୀ ମିଶ୍ର । ସେ କହିଥିଲେ, ଗଲା ୪୦ ବର୍ଷ ଭିତରେ ଦେଶ ଏଭଳି ଜଣେ ପେଟ୍ରୋଲିୟମ ମନ୍ତ୍ରୀ ପାଇଛି । ଧର୍ମେନ୍ଦ୍ର ଜଣେ ଦକ୍ଷ ଓ କଠିନ ପରିଶ୍ରମୀ ବ୍ୟକ୍ତି । ସେଥିପାଇଁ ପ୍ରଧାନମନ୍ତ୍ରୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ଦେଇଛନ୍ତି ।

ସାଂସଦ ଆହୁରି କହିଥିଲେ ଏଥିପାଇଁ ଧର୍ମେନ୍ଦ୍ରଙ୍କୁ ଅନେକ ଚ୍ୟାଲେଞ୍ଜର ସମୁଖୀନ ହେବାକୁ ପଡିବ । ତେଣୁ ଚ୍ୟାଲେଞ୍ଜକୁ ସଫଳତାର ସହ ସମୁଖୀନ ହେବା ସହ କାର୍ୟ୍ୟରେ ସଫଳ ହୁଅନ୍ତୁ ବୋଲି ଶୁଭେଛା ଜଣାଇଛନ୍ତି ପିନାକୀ । ଭୁବନେଶ୍ୱରରେ ଆୟୋଜିତ ମୁଦ୍ରା ଯୋଜନାର ଏକ କାର୍ୟ୍ୟକ୍ରମ ଅବସରରେ ଏହା କହିଛନ୍ତି ପିନାକୀ । ତେବେ ବିଜେଡି ବିଜେତି ମଧ୍ୟରେ ରାଜନୈତିକ ବାକଯୁଦ୍ଧ ଲାଗିରହିଥିବା ବେଳେ ସାଂସଦ ପିନାକିଙ୍କ ପ୍ରଂଶସା ବିଜେଡିକୁ ଅଡୁଆ ପରିସ୍ଥିତିରେ ପକାଇଦେଇଛି ।