କନକ ବ୍ୟୁରୋ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବସୁନ୍ଧରା ରାଜେଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ଗେହଲଟ କହିଛନ୍ତି, କଂଗ୍ରେସ ସରକାର ପାଇଁ ସଙ୍କଟମୋଚକ ସାଜିଥିଲେ ବସୁନ୍ଧରା ରାଜେ । ଅଶୋକ କହିଛନ୍ତି, ୨୦୨୦ରେ କଂଗ୍ରେସର କିଛି ବିଧାୟକ ବିଦ୍ରୋହ କରିଥିବା ବେଳେ ବସୁନ୍ଧରା ରାଜେ ଓ ବିଜେପି ନେତା କୈଳାସ ମେଘବାଲ ହିଁ ତାଙ୍କ ସରକାର ବଞ୍ଚାଇଥିଲେ । ଆଉ ଅଶୋକଙ୍କ ଏଭଳି ବୟାନକୁ ନେଇ ଏବେ ରାଜସ୍ଥାନ ରାଜନୀତି ବେଶ ସରଗରମ ହୋଇ ଉଠିଛି ।

Advertisment

ରାଜସ୍ଥାନରେ ଏକ କାର୍ଯ୍ୟକ୍ରମରେ ଗେହଲଟ କହିଛନ୍ତି, ଯେତେବେଳେ ସେ କଂଗ୍ରେସର ଅଧ୍ୟକ୍ଷ ଥିଲେ ସେତେବେଳେ ରାଜ୍ୟରେ ଥିବା ଭୈରୋସିଂହ ଶେଖାୱତଙ୍କ ନେତୃତ୍ୱରେ ଥିବା ବିଜେପି ସରକାରକୁ ଭାଙ୍ଗିବା ପାଇଁ ସମର୍ଥନ କରିନଥିଲେ । ସେହିଭଳି ଯେତେବେଳେ ୨୦୨୦ରେ କଂଗ୍ରେସ ସରକାର ବିରୋଧରେ ବିଦ୍ରୋହ ହୋଇଥିଲା ଏବଂ ସରକାର ଭାଙ୍ଗିବାର ଆଶଙ୍କା ଦେଖା ଦେଇଥିଲା ସେତେବେଳେ ବସୁନ୍ଧରା ରାଜେ ଓ ମେଘବାଲ କହିଥିଲେ, ରାଜସ୍ଥାନରେ ଲୋକ ମାନେ ବାଛିଥିବା ସରକାରକୁ ଭାଙ୍ଗିବାର କୌଣସି ପରମ୍ପରା ନାହିଁ । ମୁଁ ଚାହିଁଥିଲେ ସେତେବେଳେ ଶେଖାୱତଙ୍କ ସରକାରକୁ ଭାଙ୍ଗି ପାରିଥାନ୍ତି । କିନ୍ତୁ ଏହା ଅନୈତିକ କାମ ହୋଇଥାନ୍ତା । କାରଣ ଶେଖାୱତ ସେତେବେଳେ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ । ତେଣୁ ତାଙ୍କ ପଛରେ ଏଭଳି କରିବା ଠିକ୍ ହୋଇନଥାନ୍ତା । ବସୁନ୍ଧରା ରାଜେ ଓ କୈଳାସ ମେଘବାଲ ମଧ୍ୟ ସମାନ କାମ କରିଛନ୍ତି । ଧନ ବଳ ଜରିଆରେ ସରକାର ଭାଙ୍ଗିବା ପରମ୍ପରା ରାଜସ୍ଥାନରେ ନାହିଁ । ବସୁନ୍ଧରା ଓ ମେଘବାଲ ନିଜ ଅନ୍ତରାତ୍ମା କଥା ଶୁଣିବା ସହ ସରକାରକୁ ବଞ୍ଚାଇବାରେ ସହାୟକ ହୋଇଥିଲେ । ଏହି ଘଟଣାକୁ କେବେ ଭୁଲିବି ନାହିଁ ବୋଲି କହିଥିଲେ ଗେହଲଟ । ସେହିଭଳି ଅମିତ ଶାହାଙ୍କୁ ଟାର୍ଗେଟ କରି ଗେହଲଟ କହିଛନ୍ତି,କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ଧର୍ମେନ୍ଦ୍ର ପ୍ରଧାନ ଓ ଗଜେନ୍ଦ୍ର ସିଂ ଶେଖାୱତ ରାଜସ୍ଥାନରେ ତାଙ୍କ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରିଥିଲେ । ଏପରିକି ରାଜସ୍ଥାନରେ ଟଙ୍କା ମଧ୍ୟ ବଣ୍ଟା ସରିଥିଲା । କିନ୍ତୁ ମୋତେ ଆଶ୍ଚର୍ଯ୍ୟ ଲାଗୁଛି ସେହି ବିଧାୟକଙ୍କୁ କାହିଁକି ଟଙ୍କା ଫେରସ୍ତ ମାଗୁନାହାନ୍ତି ? ଆମ ଦଳର ବିଧାୟକଙ୍କୁ ଟଙ୍କା ଫେରାଇବାକୁ ମଧ୍ୟ କହିଛି । କିନ୍ତୁ ଟଙ୍କା ଦେଇଥିବା ଲୋକ ଟଙ୍କା ଫେରସ୍ତ ନେଉନାହାନ୍ତି ।

ତେବେ ଗେହଲଟଙ୍କ ଏହି ବୟାନ ଆସିବା ପରେ ଏହାର ଜବାବ ରଖିଛନ୍ତି ବସୁନ୍ଧରା ରାଜେ । ବସୁନ୍ଧରା ରାଜେ କହିଛନ୍ତି, ୨୦୨୩ରେ ପରାଜିତ ହେବା ଭୟରେ ଗେହଲଟ ଭୟଭୀତ ହୋଇ ଏଭଳି ମିଛ କହୁଛନ୍ତି । ଲାଞ୍ଚ ନେବା ଓ ଦେବା ଉଭୟ ଅପରାଧ । ଯଦି ତାଙ୍କର ବିଧାୟକ ଟଙ୍କା ନେଇଛନ୍ତି ତେବେ ତାଙ୍କ ନାଁରେ ଏଫଆଇଆର କରନ୍ତୁ । ଆଗକୁ ନିର୍ବାଚନ ଥିବାରୁ ଦଳ ଭିତରେ ଥିବା ବିଦ୍ରୋହକୁ ଡରି ଗେହଲଟ ଏଭଳି କହୁଛନ୍ତି । ବିଧାୟକ କିଣାବିକାରେ ଅଶୋକ ଗେହଲଟ ମହାରଥ ହାସଲ କରିଛନ୍ତି । ୨୦୦୮ ଓ ୨୦୧୮ରେ ସମାନ ଢଙ୍ଗରେ ସରକାର ଗଢିଥିଲେ ଗେହଲଟ । ସେତେବେଳେ ନା ବିଜେପିକୁ ବହୁମତ ମିଳିଥିଲା ନା କଂଗ୍ରେସକୁ । କିନ୍ତୁ ନେଣଦେଣ କରି ଗେହଲଟ ସରକାର ଗଢିବାରେ ସକ୍ଷମ ହୋଇଥିଲେ । ମୋତେ ପ୍ରଂଶସା କରିବା ଆଳରେ ମୋ ବିରୋଧରେ ବଡ ଷଡଯନ୍ତ୍ର କରୁଛନ୍ତି ଗେହଲଟ । କାରଣ ଗେହଲଟଙ୍କ ଠାରୁ ମୋତେ ଅଧିକ ଅପମାନିତ ଆଉ କେହି କରିନାହାନ୍ତି । ୨୦୨୩ରେ ହେବାକୁ ଥିବା ନିର୍ବାଚନରେ ପରାଜୟରୁ ବଞ୍ଚିବା ପାଇଁ ଗେହଲଟ ଏଭଳି ମନଗଢା କାହାଣୀ କହୁଛନ୍ତି । ଯାହା ବେଶ ଦୁଭାଗ୍ୟପୂର୍ଣ୍ଣ ଏବଂ ଏଥିରେ କେବେ ସଫଳ ହେବେନି ଗେହଲଟ ।