ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହିବା ପ୍ରଜ୍ଞା ଠାକୁରଙ୍କୁ ପଡିଲା ମହଙ୍ଗା । ପ୍ରତିରକ୍ଷା କମିଟିରୁ ବିଦା ହେଲେ, ବିଜେପିରୁ ହୋଇପାରନ୍ତି ବହିଷ୍କାର!

572

କନକ ବ୍ୟୁରୋ : ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହିବା ବିଜେପି ସାଂସଦ ପ୍ରଜ୍ଞା ଠାକୁରଙ୍କୁ ମହଙ୍ଗା ପଡିଛି । ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ଗଡସେଙ୍କୁ ସଂସଦରେ ଦେଶଭକ୍ତ କହିବା ପରେ ପ୍ରଜ୍ଞା ଠାକୁରଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପ୍ରତିରକ୍ଷା ମନ୍ତ୍ରାଳୟର ସଂସଦୀୟ କମିଟିରୁ ପ୍ରଜ୍ଞା ଠାକୁରଙ୍କୁ ହଟାଯାଇଛି । ଏହାଛଡା ଚଳିତ ଅଧିବେଶନରେ ବିଜେପିର ସଂସଦୀୟ ଦଳ ବୈଠକରେ ପ୍ରଜ୍ଞା ଠାକୁରଙ୍କୁ ଉପସ୍ଥିତ ନ ରହିବାକୁ ଦଳ ପକ୍ଷରୁ କୁହାଯାଇଛି ।

କେବଳ ଏତିକି ନୁହେଁ, ଦଳୀୟ ଅନୁଶାସନ ସମିତି ମଧ୍ୟ ପ୍ରଜ୍ଞା ଠାକୁରଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ସୂଚନା ମିଳିଛି । ଏପରିକି ଦଳରୁ ତାଙ୍କୁ ବହିଷ୍କାର ମଧ୍ୟ କରାଯାଇପାରେ । ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଜ୍ଞା ଠାକୁରଙ୍କ ବୟାନକୁ ନିନ୍ଦା କରିବା ସହ ଦଳ ଏହାକୁ ସମର୍ଥନ କରୁନାହିଁ ବୋଲି ସ୍ପଷ୍ଟ କରିଛି ।

ଗତକାଲି ଲୋକସଭାରେ ଏସପିଜି ସଂଶୋଧନ ବିଲ ସମୟରେ ଡ଼ିଏମକେ ସାଂସଦ ଏ ରାଜା ନିଜ ରାୟ ରଖିଥିଲେ । ଏ ରାଜା ଗଡସେଙ୍କ ଏକ ବୟାନକୁ ଆଧାର କରି କହିଥିଲେ ଯେ ଗଡସେ କାହିଁକି ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ। ଯେତେବେଳେ ଏ ରାଜା କହୁଥିଲେ ସେହି ସମୟରେ ପ୍ରଜ୍ଞା ଠାକୁର ବିତର୍କ ମଝିରେ କହିଥିଲେ ଯେ ଆପଣ ଜଣେ ଦେଶ ଭକ୍ତଙ୍କ ଉଦାହରଣ ଦେଇପାରିବେ ନାହିଁ । ଆଉ ପ୍ରଜ୍ଞା ଠାକୁରଙ୍କୁ ଏହି ବୟାନକୁ ନେଇ ସଂସଦରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା ।