ନାଥୁରାମ ଗଡଶେଙ୍କୁ ଦେଶଭକ୍ତ କହି ବିବାଦରେ ପଡିବା ପରେ ୟୁଟର୍ଣ୍ଣ ମାରିଲେ ସାଧ୍ୱୀ ପ୍ରଜ୍ଞା ! କ୍ଷମା ମାଗିବା ସହ କହିଲେ, ଗାନ୍ଧୀଜୀଙ୍କ ପ୍ରତି ରହିଛି ସମ୍ମାନ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ଦେଶଭକ୍ତର ସାର୍ଟିଫିକେଟ୍ ଦେଇ ବିବାଦ ଘେରକୁ ଆସିଛନ୍ତି ପ୍ରଜ୍ଞା ଠାକୁର ।

93

କନକ ବ୍ୟୁରୋ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ଦେଶଭକ୍ତର ସାର୍ଟିଫିକେଟ୍ ଦେଇ ବିବାଦ ଘେରକୁ ଆସିଛନ୍ତି ପ୍ରଜ୍ଞା ଠାକୁର । ସାରା ଦେଶ ନାଥିରାମ ଗଡସେଙ୍କୁ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ଭାବେ ଜାଣିଥିବା ବେଳେ ତାଙ୍କୁ ଦେଶଭକ୍ତ ସାର୍ଟିଫିକେଟ ଦେଇଛନ୍ତି ପ୍ରଜ୍ଞା ଠାକୁର । ତେବେ ଏହାକୁ ନେଇ ସାରା ବିପକ୍ଷ ଜୋରଦାର ବର୍ଷିବା ପରେ ପରେ କ୍ଷମା ମାଗିଲେ ବିଜେପିର ଭୋପାଲ ଲୋକସଭା ପ୍ରାର୍ଥୀ ପ୍ରଜ୍ଞା ଠାକୁର ।
ଗୁରୁବାର ଏକ ରୋଡସୋ’ରେ ନିର୍ବାଚନ ପ୍ରଚାର କରୁଥିବା ବେଳେ ସେ ନାଥୁରାମ ଗଡସେକୁ ଦେଶଭକ୍ତ କହିବା ସହ ଯେଉଁମାନେ ନାଥୁରାମଙ୍କୁ ଆତଙ୍କବାଦୀ ଆଖ୍ୟା ଦେଇଛନ୍ତି, ସେମାନେ କ୍ଷମା ମାଗନ୍ତୁ ବୋଲି କହିବାକୁ ମଧ୍ୟ ପଛାଇ ନଥିଲେ । ବିଜେପି ନେତ୍ରୀଙ୍କ ଏଭଳି ବୟାନ ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଏପରି ବୟାନକୁ ନେଇ ବିରୋଧୀ , ବିଜେପିକୁ ଘେରିଥିବା ବେଳେ ବିଜେପି ଏଭଳି ବିବାଦରୁ ନିଜକୁ ଦୂରେଇ ରଖିଥିଲା । ଏହା ପ୍ରଜ୍ଞା ଠାକୁରଙ୍କର ନିଜ ବ୍ୟକ୍ତିଗତ ବୟାନ କହିବା ସହ ଜବାବ ତଲବ କରିଥିଲା ବିଜେପି । ବୟାନକୁ ନେଇ ବିବାଦ ବଢୁଥିବାରୁ କ୍ଷମା ମାଗିଛନ୍ତି ସାଧ୍ୱୀ ପ୍ରଜ୍ଞା ଠାକୁର । କହିଛନ୍ତି ରୋଡ ସୋ’ ବେଳେ ପ୍ରଶ୍ନ କରାଯିବାରୁ ତରବରରେ ସେ ଏପରି କହି ଦେଇଥିଲେ । ମିଡିଆ ଏହାକୁ ଅତିରଂଜିତ କରିଛି । ଗାନ୍ଧୀଙ୍କ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି । ଯଦି ଏହା କାହା ମନରେ ଆଘାତ ଦେଇଥାଏ, ଏଥିପାଇଁ ସେ କ୍ଷମା ମାଗୁଥିବା କହିଛନ୍ତି ପ୍ରଜ୍ଞା । ଦଳର ମତ ଯାହା , ତାହା ତାଙ୍କର ମତ ବୋଲି ସଫେଇ ରଖିଛନ୍ତି ପ୍ରଜ୍ଞା ଠାକୁର ।