ଗୀତ ଗାଇ ଫାଇଭ-ଟି ସଚିବଙ୍କୁ ସମସ୍ୟା ଜଣାଇଲେ ପ୍ରଫୁଲ୍ଲ। ଘର ଖଣ୍ଡେ ଯୋଗାଇଦେବା ପାଇଁ କରୁଛନ୍ତି ଗୁହାରୀ

326

କନକ ବ୍ୟୁରୋ: ଗୀତରେ ଅଭିମାନ ଅଛି, ବ୍ୟବସ୍ଥା ପ୍ରତି ଅନାସ୍ଥା ଅଛି । ଗୀତ ଗାଇ ଗାଇ ଗୁହାରୀ ଜଣାଇବା ପଛରେ ଦୁଃଖ ଅଛି । ଫାଇଭ୍‌-ଟି ସଚିବଙ୍କୁ ନେହୁରା ହେଉଛନ୍ତି । ଘର ଖଣ୍ଡେ ଦେବା ପାଇଁ ଆକୁଳ ନିବେଦନ କରୁଛନ୍ତି । ଏଭଳି କିଛି କରିଛନ୍ତି ଯାଜପୁର ବ୍ୟାସନଗର ରଗଡ଼ି ଅଂଚଳର ପ୍ରଫୁଲ୍ଲ ଦାସ । ଫାଇଭ୍‌-ଟି ସଚିବଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଶାସକ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଗୀତ ଜରିଆରେ ନିଜର ସମସ୍ୟା ଜଣାଉଛନ୍ତି ।

ଠିକ୍ ବର୍ଷେ ତଳେ ଏମିତି ଗୀତ ଗାଇ ଲୋକ ଲୋଚନକୁ ଆସିଥିଲେ, ଯାଜପୁର ଜିଲ୍ଲାର ପ୍ରଫୁଲ୍ଲ ଦାସ । ସେତେବେଳେ ଜାଗା ଖଣ୍ଡେ ଏବଂ ଘର ଖଣ୍ଡେ ପାଇଁ ନିବେଦନ କରୁଥିଲେ । ଗଣମାଧ୍ୟମରେ ପ୍ରଫୁଲ୍ଲଙ୍କ ଗୀତ ଓ ଦୁଃଖର ଖବର ପ୍ରସାରଣ ହେବା ପରେ ପ୍ରଶାସନର ନଜର ପଡ଼ିଥିଲା । ସେତେବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଘର ପାଇଁ ଜମିପଟ୍ଟା ପ୍ରଦାନ କରାଯାଇଥିଲା । ଆଉ ଖୁସି ହୋଇଯାଇଥିଲେ ପ୍ରଫୁଲ୍ଲ ।

ଦୃଷ୍ଟିବାଧିତ ପ୍ରଫୁଲ୍ଲ, ସମ୍ପର୍କୟ ଭଉଣୀଙ୍କ ସହ ରୁହନ୍ତି । ଭଉଣୀ ଭିନ୍ନକ୍ଷମ ଏବଂ ଭାଇ ମଧ୍ୟ ଭିନ୍ନକ୍ଷମ । ଯେତେବେଳେ ଯେଉଁଠୁ ଯାହା ମିଳିଲା, ସେତିକିରେ ଚଳିଯାଏ ତାଙ୍କର ଘର । ହେଲେ ରହିବା ପାଇଁ ଏବେ ବି ତାଙ୍କର ଘରଟିଏ ନାହିଁ । ସେଥିପାଇଁ ପୁଣି ଥରେ ଗୀତ ଜରିଆରେ ମୁଖ୍ୟମନ୍ତ୍ରୀ ଏବଂ ଫାଇଭ୍‌-ଟି ସଚିବଙ୍କୁ ସରକାରୀ ଯୋଜନାରେ ଘର ଖଣ୍ଡେ ଯୋଗାଇଦେବା ପାଇଁ ଗୁହାରୀ କରୁଛନ୍ତି ।