ପୁରୀ ସ୍ୱର୍ଗଦ୍ୱାରରେ ପ୍ରଫୁଲ୍ଲ କରଙ୍କ ଶେଷକୃତ୍ୟ: ରାଷ୍ଟ୍ରିୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ଅନ୍ତିମ ସଂସ୍କାର

138

କନକ ବ୍ୟୁରୋ: ପୁରୀ ସ୍ୱର୍ଗଦ୍ୱାରରେ ପ୍ରଫୁଲ୍ଲ କରଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ । ପଞ୍ଚ ଭୂତରେ ବିଲୀନ ହେଲେ ପ୍ରଖ୍ୟାତ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର । ରାଷ୍ଟ୍ରିୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ଅନ୍ତିମ ସଂସ୍କାର । ବଡପୁଅ ମହାଦୀପ କର ଦେଲେ ମୁଖାଗ୍ନୀ । ଅନ୍ତିମ ସଂସ୍କାରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଗତକାଲି ୮୩ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି । ଦିର୍ଘ ୬ ଦଶନ୍ଧୀ ଧରି ଓଡ଼ିଆ ସଙ୍ଗୀତ ଦୁନିଆକୁ ଆଚ୍ଛାଦିତ କରି ରଖିଥିବା ଏହି ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ଦେହାନ୍ତ ପରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି ।

ଗତକାଲି ରାତି ୧୦ ଟା ୨୦ ମିନିଟ୍ ସମୟରେ ତାଙ୍କର ପରଲୋକ ହୋଇଯାଇଛି । ରାତି ୯ ଟା ପରେ ସେ ରାତ୍ରିଭୋଜନ କରିବା ପରେ ବିଶ୍ରାମ ନେଉଥିବା ବେଳେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ତାଙ୍କ ଅକ୍ସିଜେନ ସ୍ତର ହଠାତ୍ କମି ଯାଇଥିଲା । ଆଉ ଏହାର କିଛି ସମୟ ମଧ୍ୟରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ମୃତ୍ୟୁ ଶଯ୍ୟାରେ ତାଙ୍କ ପତ୍ନୀ ମନୋରମା କର, ଦୁଇ ପୁଅ ମହାଦୀପ ଓ ମହାପ୍ରସାଦଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଆଜି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ତାଙ୍କ ପରିବାର ସୂତ୍ରରୁ ସୂଚନା ମିଳିଛି ।

ତାଙ୍କ ପରଲୋକର ଖବର ପାଇଁ ବନ୍ଧୁ, ଶୁଭେଚ୍ଛୁମାନେ ତାଙ୍କ ସତ୍ୟନଗରସ୍ଥିତ ବାସଭବନରେ ପହଂଚି ଶେଷ ଦର୍ଶନ କରିଥିଲେ । ୧୯୩୯ ଫେବ୍ରୁଆରୀ ୧୬ ତାରିଖରେ ପୁରୀରେ ଜନ୍ମଗ୍ରହଣ କରିଥିଲେ ପ୍ରଫୁଲ କର । ପିଲାବେଳୁ ସେ ତାଙ୍କ ପିତାଙ୍କୁ ହରାଇ ମାମୁଘରେ ବଢିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ କଳା ଏବଂ ଆଇନରେ ସ୍ନାତକ ଉପାଧି ଲାଭ କରିଥିଲେ । ମାତ୍ର ୨୧ ବର୍ଷ ଆକାଶବାଣୀରେ ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀର ମାନ୍ୟତା ପାଇଥିଲେ । ଏହା ପରେ ତାଙ୍କର ସଙ୍ଗୀତ ଯାତ୍ରା ଆରମ୍ଭ ହୋଇଥିଲା । ଜଣେ ଗିତିକାର, ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶୀଳ୍ପୀ ଭାବେ ସେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲେ । ଶ୍ରୀ ପତିତପାବନ ଚଳଚିତ୍ରରେ କଣ୍ଠଶୀଳ୍ପୀ ଭାବେ ସେ ଚଳଚିତ୍ର ଜଗତରେ ପାଦ ରଖିଥିଲେ । ତାଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକବ୍ୟକ୍ତ କରିଛନ୍ତି ।