ମାହାଙ୍ଗା ପ୍ରଫୁଲ୍ଲ ବିଶ୍ୱାଳ ମୃତ୍ୟୁ ଘଟଣାରେ ଆଶ୍ଚର୍ଯ୍ୟଜନକ ମୋଡ଼ । ନାବାଳକ ପୁଅ କହିଲେ, ମୃତ୍ୟୁ ପୂର୍ବରୁ ଫୋନ୍ କରିଥିଲେ ବାପା, କହିଥିଲେ ଦୁର୍ଘଟଣାରେ ମୃତ୍ୟୁ ହେଲେ, କାହାକୁ କରିବନି ଦାୟୀ । ଉଠିଲା ପ୍ରଶ୍ନ, ଦୁର୍ଘଟଣା ହେବ ବୋଲି କେମିତି ଜାଣିଥିଲେ ପ୍ରଫୁଲ୍ଲ ?

397

କନକ ବ୍ୟୁରୋ : କୁଳମଣି ବରାଳ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ରହସ୍ୟ ବଢୁଛି । ମୃତ୍ୟୁର ଦିନକ ପୂର୍ବରୁ ପ୍ରଫୁଲ୍ଲ ନିଜ ପୁଅକୁ ଫୋନ କରି କହିଥିଲେ, ସେ ଟେନସନରେ ଅଛନ୍ତି, ଯଦି ତାଙ୍କର କିଛି ହୋଇଯାଏ । ତେବେ କାହାକୁ ଦାୟୀ କରିବ ନାହିଁ, କି କାହାକୁ ଦୋଷ ଦେବ ନାହିଁ । ମୃତ୍ୟୁର ଦିନକ ପୂର୍ବରୁ ପ୍ରଫୁଲ୍ଲଙ୍କ ଏପରି ଫୋନ୍ କଲ୍ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ପ୍ରଫୁଲ୍ଲ କେମିତି ଜାଣିଲେ ତାଙ୍କର କିଛି ହୋଇଯାଇପାରେ । କାହାକୁ ଦାୟୀ ନକରିବା ପାଇଁ ଘର ଲୋକଙ୍କୁ ପରାମର୍ଶ ଦେବା ପଛର କାରଣ କ’ଣ ।

‘୫ ତାରିଖ ସନ୍ଧ୍ୟା ୭ଟା ୯ମିନିଟରେ ମୋ ବାପା ଫୋନ୍ କରିଥିଲେ । ବାପା, ପଚାରିଲେ ମାମା କାହାଁନ୍ତି ? ମାମା, ମାମୁଁ ଘରକୁ ଯାଇଛନ୍ତି ବୋଲି କହିବା ପରେ ମୋତେ କହିଲେ, ମାମାକୁ କହିଦେବୁ, ମୁଁ ଟେନସନରେ ରହୁଛି । ମୋର ଯଦି ଆକ୍ସିଡେଣ୍ଟ ଘରିକା କ’ଣ ହୁଏ କାହାକୁ ଦାୟୀ କରିବେ ନାହିଁ । କାହାକୁ ଦୋଷ ଦେବନି ।’

ମୃତ୍ୟୁର ଠିକ୍ ଗୋଟିଏ ଦିନ ପୂର୍ବରୁ ଏଭଳି କିଛି କହିଥିବା, ପ୍ରଫୁଲଙ୍କ ନାବାଳକ ପୁଅ କ୍ୟାମେରା ଆଗରେ ବୟାନ୍ ଦେଇଛନ୍ତି । ମାହାଙ୍ଗା ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ପ୍ରଫୁଲ୍ଲ ବିଶ୍ୱାଳ, ମୃତ କୁଳମଣୀ ବରାଳଙ୍କ ପୁଅ ରାମାକାନ୍ତ ବରାଳଙ୍କୁ ଫୋନ୍ କରିବାର ପ୍ରାୟ ୫ ଘଂଟା ପରେ ଘରକୁ ଫୋନ୍ କରିଥିଲେ ବୋଲି ତାଙ୍କ ପୁଅ କହିଛନ୍ତି ।

ଯଦି ପ୍ରଫୁଲ୍ଲଙ୍କ ପୁଅ କହୁଥିବା କଥାକୁ ବିଶ୍ୱାସକୁ ନିଆଯାଏ, ତେବେ ପ୍ରଶ୍ନ ହେଉଛି, ମୃତ୍ୟୁର ଢ଼େର ପୂର୍ବରୁ ଆକ୍ସିଡେଂଟ୍ କଥା କାହିଁକି କହିଲେ ପ୍ରଫୁଲ୍ଲ ବିଶ୍ୱାଳ ? ପ୍ରଫୁଲ୍ଲ କେମିତି ଜାଣିଲେ ଆକ୍ସିଡେଂଟ୍ ହେବ ? ଆତ୍ମହତ୍ୟା କିମ୍ବା ହତ୍ୟା ଆଡକୁ ଇଙ୍ଗିତ କରୁଥିଲେ କି ପ୍ରଫୁଲ୍ଲ ?

ମୃତ୍ୟୁ ପୂର୍ବରୁ ମୃତ୍ୟୁ ନେଇ ଆକଳନ କରିବା ଏବଂ ଯଦି ଆକ୍ସିଡେଂଟ୍ ହୁଏ, ତାହାକୁ ଦାୟୀ କରିବେ ନାହିଁ ବୋଲି କହିବା, କେବଳ ପରିବାର ଲୋକଙ୍କୁ ଆଶ୍ଚର୍ଯ୍ୟ କରୁନାହିଁ, ବରଂ ଏହାକୁ ନେଇ ଅନେକ ସନ୍ଦେହ ମଧ୍ୟ ସାମ୍ନାକୁ ଆସିଛି । କୁଳମଣୀ ବରାଳଙ୍କ ହତ୍ୟା ପଛରେ ଗୋଷ୍ଠୀ ବିବାଦ ରହିଛି ବୋଲି ସବୁବେଳେ ଚର୍ଚ୍ଚା ହେଉଥିବା ବେଳେ ପ୍ରଫୁଲ୍ଲଙ୍କ ଏହି ଫୋନ୍ କଲ୍, କାହାଣୀରେ ନୂଆ ମୋଡ଼ ନେଇ ଆସିଛି । ବଡ଼ କଥା ହେଉଛି, ପ୍ରଫୁଲ୍ଲଙ୍କ ପତ୍ନୀ ମୃତ୍ୟୁ ସମ୍ପର୍କରେ ଜାଣିନଥିବା କହୁଥିବା ବେଳେ ତାଙ୍କ ନାବାଳକ ପୁଅ କହୁଛନ୍ତି, ବାପା ଟେନସନରେ ଥିଲେ ।

ପ୍ରଫୁଲ୍ଲ, ନିଜ ଘରକୁ ଫୋନ୍ କରିବାର ପ୍ରାୟ ୫ ଘଂଟା ପୂର୍ବରୁ ମୃତ କୂଳମଣୀ ବରାଳଙ୍କ ପୁଅ, ରମାକାନ୍ତ ବରାଳଙ୍କୁ ଫୋନ୍ କରିଥିଲେ । ଗୋଟିଏ ୪୦ ମିନିଟର ଏହି କଥାବାର୍ତ୍ତାର ପୂରା ତଥ୍ୟ ପୁଲିସ୍କୁ ଜଣାଇଥିଲେ । ଯେଉଁଥିଲେ ରମାକାନ୍ତ ଦର୍ଶାଇଥିଲେ, ‘ନନା ମୁଁ କାବୁଆ କହୁଛି, ମୋର ଏବଂ ମୋର ସାନ ଭାଇର ପିଲାମାନେ ତୁମକୁ ଲାଗିଲେ । ଜଗନ୍ନାଥଙ୍କ ରାଣ ଖାଇ କହୁଛି, ଜଣେ ପ୍ରଭାବଶାଳୀ ବ୍ୟକ୍ତି ଆମକୁ ଫସେଇ ଦେଲା । ତାହାରି ପାଇଁ ଆମେ ତିନୋଟି ହତ୍ୟାକାଣ୍ଡରେ ସାମିଲ ହେଲୁ ।’

ରମାକାନ୍ତ ପୁଲିସକୁ ଦେଇଥିବା ତଥ୍ୟ ଏବଂ ପ୍ରଫୁଲ୍ଲଙ୍କ ପୁଅ କହୁଥିବା କଥା ଭିତରେ ଗୋଟିଏ, ସମାନତା ରହିଛି । ଦୁଇଟି ଯାକ ଫୋନ୍ କଲରେ ପ୍ରଫୁଲ୍ଲ ଭୟଭିତ ଥିବା କହୁଥିଲେ । ତେବେ ସେ କାହିଁକି ଭୟଭିତ ଥିଲେ, ତାର ଉତ୍ତର କାହା ପାଖରେ ନାହିଁ । ଆଉ ଏସବୁ ଭିତରେ କଂଗ୍ରେସ ଅଭିଯୋଗ କରିଛି, ପ୍ରଫୁଲ୍ଲଙ୍କ ମୃତ୍ୟୁ ପଛରେ ନିଜ ଦଳର ଲୋକ ଥାଇପାରନ୍ତି ।