ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ । ଦୁର୍ଘଟଣା ନା ହତ୍ୟା ତାକୁ ନେଇ ଉଠିଲା ପ୍ରଶ୍ନ ।

102

କନକ ବ୍ୟୁରୋ: ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ହୋଇଛି । ତେବେ ଟ୍ରକ ଧକ୍କାରେ ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏହା ଦୁର୍ଘଟଣା ନା ହତ୍ୟା ତାକୁ ନେଇ ପ୍ରଶ୍ନ ଉଠିଛି । ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କୁ ହତ୍ୟା କରାଯାଇଥିବା କଟକ ଜିଲ୍ଳା ବିଜେପି ସଭାପତି ପ୍ରକାଶ ବେହେରା ଅଭିଯୋଗ କରିଛନ୍ତି ।

ପ୍ରଫୁଲ ବିଶ୍ୱାଳ ଏତେ ଦିନ ଯାଏ କେଉଁଠି ଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ପ୍ରଫୁଲ୍ଲ ବିଶ୍ୱାଳଙ୍କୁ ଲୁଚାଇକି ରଖାଯାଇଥିଲା । ସେ ସବୁ କିଛି ଜାଣିଥିଲେ । ତାଙ୍କୁ ରାସ୍ତାରୁ ହଟାଇଦେବାକୁ ବିଧିବଦ୍ଧ ଭାବେ ଯୋଜନା କରି ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ବୋଲି କହିଛନ୍ତି । ସେହିପରି ପ୍ରଫୁଲ୍ଲ ବିଶ୍ୱାଳଙ୍କ ମା କହିଛନ୍ତି, ତାଙ୍କ ପୁଅକୁ ମିଛ ମାମଲାରେ ଫସାଇଦେଇଥିଲେ । ତାଙ୍କୁ ମାରିଦିଆଯାଇଛି ବୋଲି ସେ କହିଛନ୍ତି ।

ଟାଙ୍ଗୀ ଅଂଚଳର ନିର୍ମାଣାଧୀନ ଟୋଲ ଗେଟ ନିକଟରେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବରାଳର ମୃତଦେହ ଉଦ୍ଧାର ହୋଇଛି । ଜାନୁୟାରୀ ୨ ତାରିଖରେ ମହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିବା ଘଟଣାରେ ଅଭିଯୁକ୍ତ ଥିଲା ମୃତକ ପ୍ରଫୁଲ୍ଲ ବରାଳ । ଘଟଣା ଦିନ ଉଭୟ ବାଇକ୍ରେ ଯଁକୋଟି ଗ୍ରାମ ଦେଇ ନୃତାଙ୍ଗକୁ ଫେରୁଥିବା ବେଳେ ଯଁକୋଟି ବ୍ରାହ୍ମଣସାହି ନିକଟରେ ତାଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା । ଦୁବୃର୍ତ ଅଚାନକ୍ ଆକ୍ରମଣ କରିବାରୁ ରାସ୍ତା ଉପରେ ପଡ଼ିଯାଇଥିଲେ, କୁଳମଣି ଏବଂ ତାଙ୍କ ସହଯୋଗୀ । ଦୁଇ ଜଣ ଯାକ ତଳେ ପଡ଼ିଯିବା ପରେ ଉଭୟଙ୍କ ମୁହଁ ଓ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହାଣି ଫେରାର ହୋଇଯାଇଥିଲେ ଦୁର୍ବୃତ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁଇ ଜଣଙ୍କୁ ମାହାଙ୍ଗା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ କୂଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସଂକଟାପନ୍ନ ଅବସ୍ଥାରେ ଦିବ୍ୟସିଂହଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା, ହେଲେ ସେଠି ତାଙ୍କୁ ବି ମୃତ ଘୋଷଣା କରିଥିଲେ ଡାକ୍ତର ।