ମମିତାଙ୍କ ମୃତ୍ୟୁପରେ ତାଙ୍କ ମୋବାଇଲ କେଉଁଠି? ଟୁଇଟ୍ କରି ପ୍ରଶ୍ନ କଲେ ବିରୋଧୀ ଦଳ ନେତା…

127

କନକ ବ୍ୟୁରୋ: ମମିତା ମେହେର ମୃତ୍ୟୁକାଣ୍ଡକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ବିଧାନସଭାରେ ବିରୋଧୀ ଦଳର ନେତା ଥିବା ପ୍ରଦୀପ୍ତ କୁମାର ନାଏକ । ମୃତ୍ୟୁପରେ ମମିତାଙ୍କ ମୋବାଇଲ୍ ଏବେ କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହିତ ଏହି ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଘଟଣା ଯଦି ସତ ହୋଇଥାଏ ତେବେ ଏହା ସାଂଘାତିକ ବୋଲି ସେ ଟୁଇଟ୍ କରି ଲେଖିଛନ୍ତି ।

ପ୍ରଦୀପ୍ତ ଟୁଇଟ୍ କରିଛନ୍ତି ଯେ, ମମିତାଙ୍କ ପରିବାର ଗଣମାଧ୍ୟମରେ ମହାଲିଙ୍ଗ କଲେଜଠାରେ ଛାତ୍ରୀମାନଙ୍କୁ ଶୋଷଣ ହେଉଥିବା ଏବଂ ଏହି କଲେଜରେ ଅନୈତିକ କାର୍ଯ୍ୟକଳାପ ଚାଲୁଥିବା ଅଭିଯୋଗ କରୁଥିଲେ । ମମିତା ଗୋବିନ୍ଦଙ୍କ ପୋଲ୍ ଖୋଲିଦେବେ ବୋଲି ତାଙ୍କୁ ହତ୍ୟା କରାଯାଇଛି ବୋଲି ପୀଡିତାଙ୍କ ପରିବାର ଅଭିଯୋଗ କରିଛନ୍ତି ।

ତେବେ ଝିଅମାନଙ୍କୁ ଦେହଜୀବୀ ଭଳି ବ୍ୟବହାର କରୁଥିଲେ ଗୋବିନ୍ଦ । ଗୃହ ରାଷ୍ଟ୍ରମନ୍ତ୍ରୀ ଶାରିରୀକ ସମ୍ପର୍କ ରଖିବାକୁ ବରାବର କଲେଜକୁ ଆସୁଥିଲେ ବୋଲି ପୀଡିତାଙ୍କ ପରିବାରବର୍ଗ ଅଭିଯୋଗ କରୁଛନ୍ତି ବୋଲି ପ୍ରଦୀପ୍ତ ଟୁଇଟ୍ କରିଛନ୍ତି । ହେଲେ ଏହାରି ଭିତରେ ମମିତାଙ୍କ ମୋବାଇଲରେ ଏବେ କେଉଁଠି, ଏହା ମୋବାଇଲରେ ଥିବା ଭିଡିଓ ସାମ୍ନାକୁ ଆସିଲେ ଗୁମର ଫିଟିଯିବ କି ବୋଲି ପ୍ରଦୀପ୍ତ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ମମିତା ମେହେର ମୃତ୍ୟୁକାଣ୍ଡକୁ ନେଇ ଏବେ ବିରୋଧୀ ବିଜେପି ଶାସକ ଦଳକୁ ଟାର୍ଗେଟ କରିବାରେ ଲାଗିଛି । ବିଜେପି ଏହି ମାମଲାରେ ତୁରନ୍ତ ମନ୍ତ୍ରୀଙ୍କ ବହିସ୍କାର ଦାବି କରିଥିବାବେଳେ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛି । ଆଉ ଏହାରି ଭିତରେ ପ୍ରଦୀପ୍ତଙ୍କ ଏହି ପ୍ରଶ୍ନ ଏବେ ଚର୍ଚ୍ଚା ସୃଷ୍ଟି କରିଛି ।