ହସ୍ପିଟାଲ ବେଡରୁ ବିଧାନସଭା । ଭର୍ଚୁଆଲ ମୋଡରେ ମୌସୁମୀ ଅଧିବେଶନରେ ସାମିଲ ହେଲେ ବିରୋଧୀ ଦଳ ନେତା, କରୋନାରୁ ସୁସ୍ଥ ହେଉଛନ୍ତି ପ୍ରଦୀପ୍ତ ନାୟକ ।

246

କନକ ବ୍ୟୁରୋ : ହସ୍ପିଟାଲ ବେଡରୁ ବିଧାନସଭା । ଏ ହେଉଛି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ କାହାଣୀ । ଯେଉଁଠି ଦିନେ ବିଧାନସଭା ଭିତରେ ସେ ସରକାରଙ୍କୁ ଅଡୁଆରେ ପକାଉଥିଲେ, ଆଜି କରୋନା ସହ ଲଢି ହସ୍ପିଟାଲ ବେଡରୁ ମୌସୁମୀ ଅଧିବେସନରେ ସାମିଲ ହୋଇଛନ୍ତି ପ୍ରଦୀପ୍ତ । ନିଜ ଲଢୁଆ ମନୋବୃତିକୁ ସମସ୍ତଙ୍କ ସାମ୍ନାରେ ଉପସ୍ଥାପନ କରିଛନ୍ତି ବିରୋଧୀ ଦଳ ନେତା ।

ବିଧାନସଭାରେ ଦିନେ ସରକାରଙ୍କୁ ଘେରୁଥିଲେ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାୟକ । ବିରୋଧୀଦଳ ନେତା ଭାବରେ ଲୋକଙ୍କ ସୁବିଧା ଅସୁବିଧାକୁ ନେଇ ଲଢେଇ କରୁଥିଲେ । ହେଲେ ବୁଧବାର ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ବେଳକୁ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲ ବେଡରେ ପ୍ରଦୀପ । କିନ୍ତୁ ହାରିନାହାନ୍ତି କଳାହାଣ୍ଡିର ଏହି ନେତା । ହସ୍ପିଟାଲ ଶେଜରୁ ଉଠି ଲୋକ ତାଙ୍କୁ ଦେଇଥିବା ଦାୟିତ୍ୱକୁ ନିର୍ବାହ କରିଛନ୍ତି । ଭର୍ଚୁଆଲ ମାଧ୍ୟମରେ ଅଧିବେଶନରେ ଯୋଗ ଦେଇଛନ୍ତି ଓ ତାଙ୍କ ସୁସ୍ଥ ହେବା ପାଇଁ ପ୍ରାର୍ଥନା କରିଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତିି ।

ଗତ ଏପ୍ରିଲ ୧୯ ତାରିଖରେ କରୋନାରେ ଆକ୍ରାନ୍ତ ହୋଇଥିଲେ ପ୍ରଦୀପ । ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହେବା ସତ୍ୱେ ଅବସ୍ଥା ଗୁରୁତର ହେବାରୁ ଆଇସିୟୁ ଓ ପରେ ଭେଣ୍ଟିଲେଟରରେ ତାଙ୍କୁ ଚିକିତ୍ସା କରାଯାଇଥିଲା । କିନ୍ତୁ ଦୃଢ ମନୋବଳ ଯୋଗୁ ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ପ୍ରଦୀପ୍ତ ।

ଆମ ପ୍ରତିନିଧି କହିଛନ୍ତି, ‘ପ୍ରଦୀପ୍ତଙ୍କ ଆତ୍ମବିଶ୍ୱାସ ଦେଖି ତାଙ୍କୁ ବି ବେଶ ଆଶ୍ଚର୍ଯ୍ୟ ଲାଗିଥିଲା । ପାଖାପାଖି ୪ ମାସ ପରେ ଯେତେବେଳେ ସେ ସୁସ୍ଥ ହେଲେ ଆଉ ମୁଁ ତାଙ୍କ ସହ ଆଲୋଚନା କଲି ସେତେବେଳେ ସେ କହିଥିବା କଥା ତାଙ୍କ ସାହାସର ପରିଚୟ ଦେଲା । ମତେ ସେ କହିଲେ, ୧୦ ଦିନ ପରେ ପୁରା ଠିକ ହୋଇଯିବେ ଆଉ କଳାହାଣ୍ଡି ବୁଲାଇ ନେବାର ପ୍ରତିଶ୍ରୁତି ଦେଲେ । ନଦୀରେ ମିଶି ଗାଧୋଇବା ପାଇଁ ମଧ୍ୟ କହିଛନ୍ତି ବିରୋଧୀଦଳ ନେତା ।’

ବିରୋଧୀଦଳ ନେତା ହସ୍ପିଟାଲ ବେଡରୁ ବିଧାନସଭା ଅଧିବେଶନରେ ଯୋଗଦେବା ସହ ଶୋକ ପ୍ରସ୍ତାବ ଆଗତ କରିବା ହୁଏତ ଓଡିଶା ବିଧାନସଭା ଇତିହାସରେ ପ୍ରଥମ ଘଟଣା । ଦୃଢ ମନୋବଳ ମଣିଷକୁ ଯେ କୌଣସି ପରିସ୍ଥିତିରୁ ସୁରକ୍ଷା ଦେବାରେ ସକ୍ଷମ ବୋଲି ପ୍ରମାଣିତ କରିଛନ୍ତି ଏହି ସାହସୀ ନେତା ।