କନକ ବ୍ୟୁରୋ: ଲକ୍ଷାଧିକ ଟଙ୍କାର ବିଦେଶୀ ଜାହାଜର ସିଗାରେଟ୍ ଜବତ । ବିଦେଶୀ ସିଗାରେଟର ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ । ଜାହାଜରୁ ଚୋରି ହୋଇଥିବା ସିଗାରେଟ୍ କୁ ଏକ ଘରୋଇ ବସରେ ପାରାଦୀପରୁ କୋଲକାତାକୁ ହେଉଥିଲା ଚୋରା ଚାଲାଣ । ତେବେ ଏହି ଚୋରା ଚାଲାଣ ଚାଲିଥିବା ଖବର ପାଇ ବସ୍ କୁ ଅଟକାଇଲେ ପାରାଦୀପ ଆଦର୍ଶଥାନା ପୋଲିସ୍ ।
ପୋଲିସ୍ କହିବା ମୁତାବକ, ପାଖାପାଖି ୪୦ଟି ବଡ଼ ବଡ଼ ପେଟିରେ ସିଲ ହୋଇଥିବା ଏହି ସିଗାରେଟ୍ ବସ୍ ଲୋଡିଂ ହୋଇ କଲିକତା ପଠା ଯାଉଥିଲା । ପାରାଦୀପ ବନ୍ଦରରେ ଲାଗୁଥିବା ବେଦେଶୀ ଜାହାଜରୁ ଏଗୁଡିକୁ ଚୋରି କରି ଆଣି ବାହାର ରାଜ୍ୟରେ ବିକ୍ରୟ କରାଯାଉଥିଲା । ଜବତ ହୋଇଥିବା ଏହି ସିଗାରେଟ୍ ର ମୂଲ୍ୟ ପାଖାପାଖି ୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । କଲିକତା ଯାଉଥିବା ସୂର୍ଯ୍ୟ ନାମକ ଏକ ଘରୋଇ ବସ୍ ଜଗନ୍ନାଥ ମନ୍ଦିର ନିକଟରେ ଲୋଡିଂ କରାଯାଉଥିବା ବେଳେ ଧରିଛି ପାରାଦୀପ ଆଦର୍ଶ ଥାନା ପୋଲିସ୍ ।
ବସ୍ କୁ ଜବତ କରିବା ସହିତ ବସ୍ ର ଡ୍ରାଇଭର, ହେଲପର ସମେତ ୪ ଜଣଙ୍କୁ ଅଟକ ରଖିଛି ପାରାଦୀପ ପୋଲିସ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି, ପାରାଦୀପ ବନ୍ଦରର ନିଷିଦ୍ଧାଂଚଳକୁ ଯିବା ଏବଂ ଆସିବା ପାଇଁ ଥିବା ଚାରିଥାକିଆ କଡା ସୁରକ୍ଷାକୁ ଭେଦ କରି ଏହି ବିପୁଳ ପରିମାଣର ବିଦେଶୀ ସିଗାରେଟ୍ କିପରି ବାହାରକୁ ଆସିଲା? ଏହା ପଛରେ କିଏ ଅଛି, କାହା ଇଙ୍ଗିତରେ ଏତେ ସୁରକ୍ଷା ବଳୟ ଭିତରୁ ବିଦେଶୀ ଜାହାଜରୁ ସିଗାରେଟ୍ ଚୋରା ଚାଲାଣ ହେଉଥିଲା? ଏମିତି ସବୁ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/12-35.jpg)