କନକ ବ୍ୟୁରୋ: ବଢିଲା କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ପାଇଁ ଅଡୁଆ । ନିଆଁ ପାଇଁ ସମର୍ଥକଙ୍କୁ ଆହ୍ୱାନ ଦେଇ ଚର୍ଚ୍ଚାରେ ଥିବା ପ୍ରଦୀପ ମାଝିଙ୍କ ନାଁରେ ରୁଜୁ ହେଲା ମାମଲା । ନବରଙ୍ଗପୁର ପୋଲିସ ନିଜଆଡୁ ଏହି ମାମଲା ରୁଜୁ କରିଛି । ଗତକାଲି ନବରଙ୍ଗପୁରରେ ବନ୍ଦ ପାଳନ ବେଳେ ସେ ନିଆଁ ଲଗାଇବାକୁ ସମର୍ଥକକୁ ଆହ୍ୱାନ ଦେଇଥିଲେ । ଏପରିକି ଫୋନ୍ ଯୋଗେ ନିଆଁ ଲଗାଇବା ପାଇଁ କହୁଥିବା ବେଳେ କ୍ୟାମେରାରେ କଏଦ ହୋଇଥିଲା ସେହି ଭିଡିଓ ।
ନିଜ ସୁରକ୍ଷା ଓ ହକ୍ ପାଇଁ କଂଗ୍ରେସ ସୁବାସ ବୋଷଙ୍କ ନୀତି ଆପଣେଇବ ବୋଲି କହିଥିଲେ ନବରଙ୍ଗପୁରର ପୂର୍ବତନ ସାଂସଦ । ଗତ ୧୪ ତାରିଖରେ ନାବାଳିକା ଗଣଦୁଷ୍କର୍ମ ହତ୍ୟା ଅଭିଯୋଗ ଘଟଣାରେ ଗତକାଲି କଂଗ୍ରେସ ଜିଲ୍ଲା ବନ୍ଦ ଡାକରା ଦେଇଥିଲା । ଏହି ସମୟରେ ପ୍ରଦୀପ ମାଝି ବିବାଦୀୟ ବୟାନ ଦେଇଥିଲେ । ଆଉ ଏହି ଘଟଣାରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି ।
ସୂଚନାଯୋଗ୍ୟ ଯେ, ପ୍ରଶାସନର ରହସ୍ୟମୟ ନିଷ୍କ୍ରିୟତା ପ୍ରତିବାଦରେ ନବରଙ୍ଗପୁରରେ ନିଆଁ ଜଳୁଥିବା ବେଳେ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ବିବାଦୀୟ ବୟାନର ଏକ ଭିଡିଓ ଗତକାଲି ଭାଇରାଲ ହୋଇଥିଲା । ଯେଉଁଥିରେ ପ୍ରଦୀପ ମାଝୀ ଜଣେ ସମର୍ଥକଙ୍କୁ ଡିଜେଲ ଓ ପେଟ୍ରୋଲ ପ୍ରସ୍ତୁତ କରି ରଖିବାକୁ କହିବା ସହ ନିର୍ଦ୍ଦେଶ ଆସିଲେ ନିଆଁ ଲଗାଇବାକୁ ପରାମର୍ଶ ଦେଇଥିଲେ ।