ସୂଚନା ଅଧିକାର କର୍ମୀଙ୍କ ବଡ ଖୁଲାସା । ୨୦ ଲକ୍ଷ ଅଯୋଗ୍ୟ ହିତାଧିକାରୀ ନେଉଛନ୍ତି ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଲାଭ । ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ଅଛନ୍ତି ୫୫ ପ୍ରତିଶତ ଆୟକର ଦାତା

284

କନକ ବ୍ୟୁରୋ : ଭୋଟ ପାଇଁ ଯୋଜନା ନା ବିକାଶ ପାଇଁ ଯୋଜନା । ଗୋଟିଏ ପଟେ ସରକାର କୃଷକ ମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାକୁ ଯୋଜନା ପରେ ଯୋଜନା ପ୍ରଣୟନ କରିବାରେ ଲାଗିଛନ୍ତି । ଏହି ଯୋଜନାର ସଫଳ ରୂପାୟନ ପାଇଁ ରାଜକୋଷରୁ ହଜାର ହଜାର କୋଟି ଟଙ୍କାର ସହାୟତା କୃଷକ ମାନଙ୍କୁ ଦିଆଯାଉଛି ବୋଲି ବିଭିନ୍ନ ସଭା ଓ ସମାବେଶରେ ନେତାମାନେ ଗଳା ଫଟାଇ ଚିକ୍ରାର କରୁଛନ୍ତି । ହେଲେ ଯୋଜନା ହେଉଛି କାହା ପାଇଁ ଆଉ ଯୋଜନାର ପ୍ରକୃତ ଲାଭ ପାଉଛି କିଏ ? । ଏନେଇ ସୂଚନା ଅଧିକାର କର୍ମୀ ଏକ ବଡ ଖୋଲାସା କରିଛନ୍ତି । ଯାହା ଶୁଣିଲେ ଆପଣ ବି କହିବେ ମୋ କର ଟଙ୍କା କ’ଣ ସତରେ ଏତେ ଅଦରକାରୀ କ୍ଷେତ୍ରରେ ବ୍ୟବହାର ହେଉଛି !

କେନ୍ଦ୍ର ସରକାର କୃଷକ ମାନଙ୍କ ଆର୍ଥିକ ସ୍ଥିତିର ପରିବର୍ତ୍ତନ ଆଣିବାକୁ ୨୦୧୯ ରେ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା । ଏହି ଯୋଜନା ଅଧିନରେ ହିତାଧିକାରୀଙ୍କ ପ୍ରତି ୪ ମାସରେ ୨ ହଜାର ଟଙ୍କା ପ୍ରଦାନ କରାଯାଉଛି । ଅର୍ଥାତ ବାର୍ଷିକ ଜଣେ କୃଷକ ଖାତାକୁ କେନ୍ଦ୍ର ସରକାର ୬ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରୁଛନ୍ତି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସରକାର ଯାହାକୁ କୃଷକ ବୋଲି କହି ଟଙ୍କା ପ୍ରଦାନ କରୁଛନ୍ତି ସେମାନଙ୍କ ମଧ୍ୟରୁ ଦେଶରେ ୨୦ ଲକ୍ଷ ୪୮ ହଜାର ଅଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଏହି ଟଙ୍କା ଯାଉଛି । ଯାହା ଫଳରେ କେନ୍ଦ୍ର ଅର୍ଥକୋଷରୁ ୧,୩୬୪ କୋଟି ଟଙ୍କା ପାଣିରେ ପଡିଛି । ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟ ଉପରେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଏଭଳି ସୂଚନା ଦେଇଛି ।

ମିଳିଥିବା ସୂଚନା ମୁତାବକ ଏହି ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ୫୫.୫୮ ପ୍ରତିଶତ ଆୟକର ଦାତା ଶ୍ରେଣୀଭୂକ୍ତ ଅଟନ୍ତି । ସେହିଭଳି ୪୪.୪୧ ପ୍ରତିଶତ ଅଯୋଗ୍ୟ ହିତାଧିକାରୀ ଆବଶ୍ୟକ ଯୋଗ୍ୟତା ପୂରଣ କରୁନଥିବା ରିପୋର୍ଟରେ ସୂଚିତ କରାଯାଇଛି । କମନେଓଲଥ୍ ହ୍ୟୁମାନ ରାଇଟସ୍ ଇନସିପଟିଭ୍ ଅନ୍ତର୍ଗତ ସୂଚନା ଅଧିକାର କର୍ମୀ ଭେଙ୍କଟସ୍ ନାୟକଙ୍କ ଦ୍ୱାରା କରାଯାଇଥିବା ଆବେଦନର ଉତ୍ତରରେ କୃଷି ମନ୍ତ୍ରଣାଳୟ ପକ୍ଷରୁ ଏହି ରିପୋର୍ଟ ପ୍ରଦାନ କରାଯାଇଛି । ଅନ୍ୟପଟେ ରିପୋର୍ଟରେ କୁହାଯାଇଛି କି ଯେଉଁ ଅଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଏହି ସହାୟତା ରାଶି ଯାଇଛି ଏବେ ସେମାନଙ୍କ ଠାରୁ ଏହି ଟଙ୍କା ଫେରସ୍ତ ଅଣାଯିବା ପ୍ରକ୍ରିୟା ଏବେ ଆରମ୍ଭ ହୋଇଛି ।