ପୁରୀ ପ୍ରଶାସନକୁ ଆବାସ ଚିନ୍ତା…କାହିଁକି ଶେଷ ହେଉନି ଆବାସ ଯୋଜନାରେ ଘରକାମ…ଘର ଘର ବୁଲି ସ୍ଥିତି ପରଖିଲେ ପ୍ରଶାସନିକ ବାବୁ

178

କନକ ବ୍ୟୁରୋ: ପ୍ରଶାସନକୁ ଘାରିଛି ଆବାସ ଯୋଜନାରେ ଘରକାମ ସଂପୂର୍ଣ୍ଣ ଚିନ୍ତା । ୧୬ ହଜାର ଆବାସରୁ ନିର୍ମାଣ ସରିଛି ମାତ୍ର ୩୦ ପ୍ରତିଶତ ଘର । ବାକି ଘର କେବେ ସରିବ ତାକୁ ନେଇ ଚିନ୍ତାରେ ପଡିଥିବା ପ୍ରଶାସନିକ ବାବୁ ବୁଲିଲେ ଗାଁରୁ ଗାଁ । ହିତାଧିକାରୀଙ୍କୁ ଭେଟିଲେ ଆଉ ଆବାସ ଯୋଜନାରେ ମଳିଥିବା ଘର କାମ ଆଗେଇ ପାରୁନଥିବା ସମସ୍ୟା ପଚାରି ବୁଝିଲେ । ଆବସ ଯୋଜନାରେ ଗୃହ ନିର୍ମାଣ ଧାର୍ଯ୍ୟ ସମୟ ସରି ସରି ଆସୁଥିବା ବେଳେ ସ୍କୁଟିରେ ଘର ଘର ବୁଲି ସ୍ଥିତି ପରଖିଛନ୍ତି ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ।

ପୁରୀ ପ୍ରଶାସନକୁ ଆବାସ ଚିନ୍ତା । କାହିଁକି ଶେଷ ହେଉନି ଆବାସ ଯୋଜନାରେ ଘରକାମ । ଘର ଘର ବୁଲି ସ୍ଥିତି ପରଖିଲେ ପ୍ରଶାସନିକ ବାବୁ । ପୁରୀ ଜିଲ୍ଲାର ଗରିବ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସରକାର ଯୋଗାଇ ଦେଇଛନ୍ତି ପକ୍କା ଘର । ହେଲେ ଏଯାଏଁ ଘର କାମ ଆରମ୍ଭ କରିନାହାନ୍ତି ହିତାଧିକାରୀ । ଗୃହ ନିର୍ମାଣର ସମୟ ସୀମା ସରି ଆସୁଥିବା ବେଳେ ଜଣେ କି ଦୁଇ ଜଣ ନୁହେଁ ପ୍ରାୟ ୭୦ ପ୍ରତିଶତ ଘର ନିର୍ମାଣ ଶେଷ କରିନାହାନ୍ତି । ଘର କାମ କାହିଁକି ହୋଇ ପାରିନାହିଁ, ତାର ତଦାରଖ କରିଛନ୍ତି ପୁରୀର ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ । କାକଟପୁର ବ୍ଲକର କୁଣ୍ଢେଇ ପଂଚାୟତର ବିଭିନ୍ନ ଗାଁରେ ଘର ଘର ବୁଲି ଘର ନକରିବାର କାରଣ ପଚାରି ବୁଝିଛନ୍ତି ପ୍ରଶାସନିକ ବାବୁ । ନିଜେ କୋଦାଳ ଧରି ହିତାଧିକାରୀଙ୍କ ଘରର ନିଅଁ ଖୋଳୁଥିବା ଦେଖିବାକୁ ମିଳିଛି ।

ପୁରୀ ଜିଲ୍ଲାରେ ୧୬ ହଜାରରୁ ଅଧିକ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଛି । ୩୦ ପ୍ରତିଶତ ହିତାଧିକରୀଙ୍କ ଗୃହ ନିର୍ମାଣ ଶେଷ ହୋଇଛି । ଏବେ ବି ୭୦ ପ୍ରତିଶତ ହିତାଧିକାରୀଙ୍କ ଘର କାମ ସରିନାହିଁ । କାକଟପୁର ବ୍ଲକରେ ଆବାସ ଯୋଜନା ବିଶେଷ ଅଗ୍ରଗତି ଘଟିନାହିଁ । କୁଣ୍ଢେଇ ଗାଁର ୧୮ ଜଣ ହିତାଧିକାରୀ ଆବାସ ଯୋଜନାରେ ପ୍ରଥମ କିସ୍ତି ଟଙ୍କା ପାଇଥିଲେ ବି ଇଟା ଖଣ୍ଡିଏ ଯୋଡି ନାହାନ୍ତି । ହିତାଧିକାରୀଙ୍କୁ ଭେଟିବା ପରେ ତୁରନ୍ତ ଘର କାମ କରିବା ପାଇଁ ତାଗିଦ୍ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ତେବେ ଜିଲ୍ଲାରେ ଆବାସ ଯୋଜନାର ସ୍ଥିତି ଅତ୍ୟନ୍ତ ନୈରାଶ୍ୟ ଜନକ ଥିବା ବେଳେ ଏହାକୁ ତ୍ୱାରାନ୍ୱିତ କରିବା ପାଇଁ ସଜାଗ ହୋଇଛି ପ୍ରାଶସନ ।