ଆବାସ ଯୋଜନାକୁ ନେଇ ବିଜେଡିକୁ ଘେରିଲା ବିଜେପି : ଗୋଲକ ମହାପାତ୍ର କହିଲେ, କେନ୍ଦ୍ର ଅବହେଳା କହି କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେଡି

ସରକାରଙ୍କ ପାଖରେ ନାହିଁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା

120

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀ ଚୟନ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, ପ୍ରକୃତ ହିତାଧିକାରୀ ଚୟନ କରିବାରେ ରାଜ୍ୟ ସରକାର ବିଫଳ । କେନ୍ଦ୍ର ଦେଉନାହିଁ କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜ୍ୟ ସରକାର । ଆବାସ ପୋର୍ଟାଲ ଖୋଲିବା ପାଇଁ ବିଜେଡିର ଦାବି ହେଉଛି ଚୋରି ଆଉ ତା ଉପରେ ସିନାଜୋରୀ ।

ଆବାସ ପାଇଁ ସମୟ ସୀମା ୪ ଥର ବୃଦ୍ଧି କରାଗଲା, ସେତେବେଳେ କାହିଁକି ପ୍ରକୃତ ହତାଧିକାରୀଙ୍କ ନାଁ ଦିଆଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ୧୬ ଜିଲ୍ଲାର ୬ ଲକ୍ଷ ୭୦ ହଜାର ଲୋକଙ୍କ ନାଁ ଦିଆଯାଇନାହିଁ । ଏବେ ନିର୍ବାଚନ ଆସୁଥିବାରୁ ପୁଣି ଆବାସ ଯୋଜନା ପ୍ରସଙ୍ଗ ଉଠାଉଛନ୍ତି ବୋଲି ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ପାଖରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।

ବାତ୍ୟା ଓ ପଞ୍ଚାୟତ ନିର୍ବାଚନ ଆସିବା ସମୟରେ ଘରକୁ ପଶିବା ମାତ୍ରେ ମୁଣ୍ଡ ବାଜିଲା ପରି ଆବାସ ଯୋଜନାର କଥା ବିଜେଡିର ମନେ ପଡିବା ଓ ଗରିବଙ୍କ ପାଇଁ ଆନ୍ତରିକତା ହଠାତ୍ ଜାଗ୍ରତ ହେବା ବିଡମ୍ବନାର ବିଷୟ ନୁହେଁ କି ? ଫନି ପରବର୍ତ୍ତୀ ସମୟରେ ଓଡିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବଣ୍ଟିତ ଘର ମାମଲାରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ପଦାକୁ ଆସିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଆବଣ୍ଟରେ ଆକାଂକ୍ଷୀ ଜିଲ୍ଲାକୁ ନଗଣ୍ୟ କରାଯାଇଛି ।