କନକ ବ୍ୟୁରୋ: ଶ୍ରୀମନ୍ଦିର ସେବାୟତମାନଙ୍କ ସାମାଜିକ ଓ ଅର୍ଥନୈତିକ ସର୍ଭେ କରାଯିବ। କେତେ ସେବାୟତ ପରିବାର ଅଛନ୍ତି, ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା କ’ଣ ସେ ନେଇ ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ ହେବ। ପ୍ରାୟ ୨୫୦ ଗରିବ ସେବାୟତ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ। ଏ ବାବଦ ଆବଶ୍ୟକ ଜମି ଶ୍ରୀମନ୍ଦିର ପ୍ରଶାସନ ଯୋଗାଇଦେବ। କରୋନା ପାଇଁ ଶ୍ରୀମନ୍ଦିର ସେବାୟତଙ୍କୁ ଦୁଇଗୁଣା ପାଳିଆ ପୁରସ୍କାର ସହ ଜୁଲାଇ ଓ ଅଗଷ୍ଟ ମାସରେ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତଙ୍କୁ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Advertisment

ଗତକାଲି ରାତିରେ ଅନୁଷ୍ଠିତ ଏହି ବୈଠକରେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ସେବାୟତ ମଙ୍ଗଳ ଯୋଜନା ଉପରେ ଆଲୋଚନା ପରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ କୁମାର କହିଛନ୍ତି, ଗୃହ ଓ ସହରାଞ୍ଚଳ ଉନ୍ନୟନ ବିଭାଗ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେବାୟତଙ୍କୁ ଘର ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବିଏଲସି (ବେନିଫିସିଆରି ଲିଙ୍କ୍ଡ କମ୍ପୋନେଣ୍ଟ) ମାଧ୍ୟମରେ ଶ୍ରୀମନ୍ଦିର ପ୍ରଶାସନ ୨୦୦ ରୁ ୨୫୦ ସେବାୟତ ପରିବାରଙ୍କୁ ନେଇ ଏକ ସ୍ବତନ୍ତ୍ର ଯୋଜନା ତିଆରି କରିବ। ଏହି ଯୋଜନା ମାଧ୍ୟମରେ ୨୦୦ରୁ ୨୫୦ ଗରିବ ସେବାୟତ ପରିବାରଙ୍କୁ ଯଦି ଜାଗା ଆବଶ୍ୟକ ଥାଏ, ଶ୍ରୀମନ୍ଦିର ପ୍ରଶାସନ ଜାଗା ଯୋଗାଇଦେବ। ଜୁଲାଇ ଶେଷ ସୁଦ୍ଧା ଏହି ଯୋଜନା ଚୂଡ଼ାନ୍ତ ହେବ। ଚୂଡ଼ାନ୍ତ ଯୋଜନା କ୍ରମରେ ସେବାୟତଙ୍କୁ ଘର ଯୋଗାଇ ଦିଆଯିବ ବୋଲି ଶ୍ରୀ କୁମାର କହିଛନ୍ତି।

ସେହିପରି କରୋନା ପାଇଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଏହା ସେବାୟତଙ୍କ ଜୀବିକା ଉପରେ ପ୍ରଭାବ ପକାଇଛି। ଏହାକୁ ଦୃଷ୍ଟିରେ ରଖି ପୁନର୍ବାର ଜୁଲାଇ ଓ ଅଗଷ୍ଟ ମାସରେ ସେବାୟତଙ୍କୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇଦେବାକୁ ନିଷ୍ପତ୍ତି ନିଆଯାଇଛି। ଅଗଷ୍ଟ ପରେ ବୈଠକ ବସି ସ୍ଥିତି ଅନୁଯାୟୀ ଆଉ ଆର୍ଥିକ ସହାୟତା ଦିଆଯିବ କି ନାହିଁ, ସେ ଉପରେ ନିଷ୍ପତ୍ତି ନିଆଯିବ। ପୂର୍ବରୁ ୫ ହଜାର ଟଙ୍କା ଲେଖାଏଁ ଦୁଇ ମାସର କିସ୍ତି ସେବାୟତମାନଙ୍କୁ ଦିଆସରିଛି। ଅନ୍ୟପଟେ କରୋନା ପାଇଁ ଶ୍ରୀମନ୍ଦିର ସେବାୟତଙ୍କୁ ପାଳିଆ ପୁରସ୍କାର ଦୁଇଗୁଣା ଦିଆଯାଉଛି। କରୋନା ସ୍ଥିତି ନ ବଦଳିବା ପର୍ଯ୍ୟନ୍ତ ଏହି ଦୁଇଗୁଣା ପାଳିଆ ପୁରସ୍କାର ପ୍ରଦାନ ଜାରି ରହିବ।

ଯୋଜନା ଓ ସମନ୍ବୟ ବିଭାଗ ଅଧୀନରେ ଥିବା ନବକୃଷ୍ଣ ଚୌଧୁରୀ ସେଣ୍ଟର୍ ଫର୍ ଡେଭଲପ୍ମେଣ୍ଟ ଷ୍ଟଡିଜ୍ ୨୦୧୪-୧୫ ଆର୍ଥିକ ବର୍ଷରେ ସେବାୟତମାନଙ୍କର ଏକ ସାମାଜିକ ଓ ଅର୍ଥନୈତିକ ସର୍ଭେ କରିଥିଲା। ଏହି ସର୍ଭେକୁ ଅପଡେଟ୍ କରିବାକୁ ସମ୍ପୃକ୍ତ ସଂସ୍ଥାକୁ ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖିବ। ଯେଉଁଥିରେ ସେବାୟତଙ୍କ ପରିବାର ସଦସ୍ୟ, ଆର୍ଥିକ ସ୍ଥିତି, ସାମାଜିକ ସ୍ଥିତି, ଶିକ୍ଷାଗତ ଯୋଗ୍ୟତା ଆଦିର ସମ୍ପୂର୍ଣ୍ଣ ବିବରଣୀ ରହିବ। ଏହି ତଥ୍ୟ ଆଧାରରେ ସେବାୟତଙ୍କ ବିକାଶ ଯୋଜନା କରାଯିବ। ସେବାୟତଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଯେଉଁ ଡିସ୍ପେନ୍ସାରି ଅଛି, ସେଠାରେ ଯେଭଳି ଅଧିକ ଔଷଧ ଉପଲବ୍ଧ ହୋଇପାରିବ, ସେ ଉପରେ ଗୁରୁତ୍ବ ଦିଆଯାଇଛି।