ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଛରେ ପଡ଼ିଛି ଭୁବନେଶ୍ୱର : ନୀତି ଆୟୋଗଙ୍କ ରିପୋର୍ଟରେ ପ୍ରକାଶ ପାଇଛି ତଥ୍ୟ

ମଂଜୁରୀ ପ୍ରାପ୍ତ ପ୍ରକଳ୍ପର ସରିଛି ମାତ୍ର ୨୫%

107

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଛରେ ପଡିଛି ଭୁବନେଶ୍ୱର । ବିଭାଗୀୟ ସମନ୍ୱୟ ଅଭାବ ସାଙ୍ଗକୁ କରୋନା ମହାମାରୀ ପ୍ରକଳ୍ପକୁ ପଛକୁ ଠେଲି ଦେଇଛି । ୨୦୨୨ ସୁଦ୍ଧା କେନ୍ଦ୍ର ସରକାର ‘ହାଉସିଂ ଫର୍ ଅଲ’ ଲକ୍ଷ୍ୟ ରଖିଥିବା ବେଳେ ଏବେ ସୁଦ୍ଧା ମଞ୍ଜୁର ପାଇଥିବା ସଂଖ୍ୟାର ମାତ୍ର ୨୫ ପ୍ରତିଶତ ନିର୍ମାଣ ଶେଷ ହୋଇଛି । ଏନେଇ ନୀତି ଆୟୋଗଙ୍କ ରିପୋର୍ଟ ପ୍ରକାଶ ପାଇବା ସହ ଓଡିଶା ଗସ୍ତରେ ଥିବା ଗୃହନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରାଳୟ ସଚିବ ମଧ୍ୟ ପ୍ରକଳ୍ପର ମନ୍ଥରତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ପୂର୍ବରୁ ରାଜୀବ ଆବାସ ଯୋଜନା ପରିବର୍ତ୍ତିତ ହୋଇ ପିଏମ୍ଏୱାଇ ହୋଇଛି ।

ଏହି ଯୋଜନାରେ ‘ପ୍ରତ୍ୟେକଙ୍କୁ ଘର” ଲକ୍ଷ୍ୟରେ କେବଳ ବସ୍ତି ବାସିନ୍ଦା ନୁହଁନ୍ତି, ବରଂ ସହରୀ ଗରିବଙ୍କୁ ବି ପକ୍କା ଘର ଦିଆଯାଉଛି । ଯେଉଁ ବସ୍ତିବାସିନ୍ଦାଙ୍କ ନିଜର ଜମି ନାହିଁ ସେମାନଙ୍କୁ ଚିହ୍ନଟ କରି ସ୍ୱତନ୍ତ୍ର ଘର ତିଆରି କରିଦିଆଯାଉଛି । ଯେଉଁ ମାନଙ୍କ ଜାଗା ଅଛି, ହେଲେ ଘର ନାହିଁ କିମ୍ବା କଚ୍ଚା ଘର ଅଛି, ସେମାନଙ୍କୁ ପକ୍କାଘର ତିଆରିପାଇଁ ୨ ଲକ୍ଷ ଟଙ୍କା ଯୋଗାଇ ଦିଆଯାଉଛି । ପ୍ରାଥମିକ ପର୍ଯ୍ୟାୟରେ ୯୬୦ ଜଣଙ୍କୁ ଚିହ୍ନଟ କରାଯାଇ ଆର୍ଥିକ ଅନୁଦାନ ଯୋଗଇ ଦିଆଯିବାକୁ ଯୋଜନା ହୋଇଥିଲା । ହେଲେ ବିଭିନ୍ନ କାରଣରୁ ବର୍ତ୍ତମାନ ସୁଦ୍ଧା ଶତପ୍ରତିଶତଙ୍କୁ ଘର ଯୋଗଇ ଦିଆଯାଇପାରିନାହିଁ । କେତେକ ଜାଗାରେ ଆର୍ଥିକ ଅନୁଦାନ ଦିଆସାରିଥିଲେ ମଧ୍ୟ ଘର ତିଆରି ପାଇଁ ଏହି ଅନୁଦାନ ନିଅଣ୍ଟ ହୋଇଛି । ଫଳରେ ପ୍ରକଳ୍ପ ଏକପ୍ରକାର ଫେଲ ମାରିଛି ।