ପଦ୍ମପୁର କାର୍ଡ ଖୋଲିଲା ବିଜେପି । ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ ହେବା ଚୂଡ଼ାନ୍ତ । ସେପଟେ କାହାକୁ ଟିକେଟ ଦେବ ବିଜେଡି, ଚାଲିଛି ଅଙ୍କକଷା ।

280

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନ ପରେ ଏବେ ବିଜେପି ଶିବିରରେ ଏବେ ଉତ୍ସାହ ଭରିଯାଇଛି । ଏସବୁ ଭିତରେ ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଚୟନ ହୋଇସାରିଛି । ପଦ୍ମପୁର ପାଇଁ ବିଜେପିର ପ୍ରାର୍ଥୀ ହେବେ ପ୍ରଦୀପ ପୁରୋହିତ । ୧୪ ତାରିଖରେ ସେ ନାମାଙ୍କନଦାଖଲ କରିବେ । ତେବେ ଧାମନଗର ଭଳି ପଦ୍ମପୁରରେ ବି ପଦ୍ମ ଫୁଟିବ ବୋଲି ପ୍ରଦୀପ ପୁରୋହିତ ଦୃଢ଼ୋକ୍ତି କରିଛନ୍ତି ।

  • ପଦ୍ମପୁର କାର୍ଡ ଖୋଲିଲା ବିଜେପି
  • ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ!

ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ଆନୁଷ୍ଠାନିକ ଘୋଷଣା ହୋଇନଥିଲେ ବି ଦଳ କିନ୍ତୁ ପ୍ରଦୀପ ପୁରୋହିତଙ୍କ ନାଁରେ ମୋହର ମାରି ସାରିଛି । ଏପରିକି ୧୪ ତାରିଖରେ ନାମାଙ୍କନ ପାଇଁ ଦଳ ପକ୍ଷରୁ ସମୟ ଧାର୍ଯ୍ୟ ହୋଇସାରିଛି । ବିଧାୟକମାନଙ୍କୁ ଉପସ୍ଥିତ ରହିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ସୂଚନା ଦେଇଛନ୍ତି ବିଜେପି ବିଧାୟକ କୁସୁମ ଟେଟେ । ଚର୍ଚ୍ଚା ଭିତରେ, ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ନେତୃତ୍ୱକୁ ଧନ୍ୟବାଦ ଦେଇଛନ୍ତି ପ୍ରଦୀପ ପୁରୋହିତ । କହିଛନ୍ତି, ଯେଉଁ ଭରସା ନେଇ ତାଙ୍କୁ ପଦ୍ମପୁରରେ ଦଳ ପ୍ରାର୍ଥୀ କରିବାକୁ ନିଷ୍ପତି ନେଇଛି ସେ ସେହି ଆଶା ଭରସାକୁ ପୂରଣ କରିବେ ।

ଅନ୍ୟପଟେ ବିଜେଡିର କିଏ ହେବ ପଦ୍ମପୁର ପ୍ରାର୍ଥୀ ସେ ନେଇ ଦଳ ଭିତରେ ଅଙ୍କକଷା ଚାଲିଛି । ଚର୍ଚ୍ଚା ହେଉଛି ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂଙ୍କ ପରିବାରରୁ ଟିକେଟ ଦେଇ ଅନୁକମ୍ପା ସାଉଁଣ୍ଟିବା ଲକ୍ଷ୍ୟରେ ରହିଛି ଶାସକ ଦଳ । ଆଉ କଂଗ୍ରେସ ମଧ୍ୟ ପୁରୁଣା ଚେହେରା ସତ୍ୟ ଭୂଷଣ ସାହୁଙ୍କୁ ମଇଦାନକୁ ଆଣି ଭୋଟବ୍ୟାଙ୍କ ସୁରକ୍ଷିତ କରିବା ଲକ୍ଷ୍ୟରେ ରହିଛି ।

  • ପଦ୍ମପୁର ଉପନିର୍ବାଚନରେ ପ୍ରସଙ୍ଗ ବନିବେ ଚାଷୀ
  • ବିଜେପିର ଚାଷୀଙ୍କୁ ବୋନସ, ବିଜେଡିର ଚାଷୀଙ୍କୁ ଫସଲ ବୀମା

ପଦ୍ମପୁର ନିର୍ବାଚନମଣ୍ଡଳୀ ଏକ ଚାଷୀ ବହୁଳ ଅଞ୍ଚଳ । ୮୦ ପ୍ରତିଶତ ଭୋଟର ଚାଷ ଉପରେ ନିର୍ଭର କରନ୍ତି । ତେଣୁ ଚାଷୀଙ୍କ ଭୋଟ ହାତେଇବା ପାଇଁ ବିଜେଡି ବିଜେପି ମଧ୍ୟରେ ଏବେଠାରୁ ଆରମ୍ଭ ହୋଇଯାଇଛି ବଳ କଷାକଷି । କିଏ କେତେ ଚାଷୀ ଭୋଟ ହାତେଇବ? ବିଜେଡି ଫସଲ ବୀମା ଯୋଜନାରେ ଚାଷୀଙ୍କୁ କାହିଁକି କ୍ଷତିପୂରଣ ମିଳୁ ନାହିଁ ସେଥିପାଇଁ କେନ୍ଦ୍ରର ବିଜେପି ସରକାରକୁ ଦାୟୀ କରି ଆସୁଛି । ସେପଟେ ବିଜେପି ମଧ୍ୟ ଚାଷୀଙ୍କୁ ଅସ୍ତ୍ର କରି ବୋନସ ଓ ସବସିଡରେ କଥା ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛି । ଅନ୍ୟପଟେ କଂଗ୍ରେସ ଉଭୟ ବିଜେପି-ବିଜେଡିକୁ ସମାଲୋଚନା କରିଛି । ଚାଷୀଙ୍କୁ ମୋହରା ବନା ଯାଉଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ।

ଚାଷୀ ଭଳି ଅନେକ ପ୍ରସଙ୍ଗ ରହିଥିଲେ ବି ନିକଟରେ ଶେଷ ହୋଇଥିବା ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିବାରୁ ଦଳ ପଦ୍ମପୁର ବିଜୟର ସ୍ୱପ୍ନ ଦେଖୁଛି । ସେପଟେ ବିଜେଡି କୋର୍ସ କରେକସନ କରି ପୁଣି ଥରେ ବିଜୟ ଧାରାକୁ ଫେରିବା ପାଇଁ ରଣନୀତି କରୁଛି ।