କନକ ବ୍ୟୁରୋ: ପୁଣି ବିସ୍ଫୋରକ ବୟାନ ରଖିଲେ ବିଜେପି ନେତା ପ୍ରଦୀପ ପୁରୋହିତ । ୫ଟି ସଚିବଙ୍କୁ କଲେ ଜୋରଦାର ଟାର୍ଗେଟ୍ । ଗୋଟିଏ ପଟେ ଆଜି ୫ଟି ସଚିବ ଭି.କେ ପାଣ୍ଡିଆନ୍ ଅନୁଗୁଳ ଗସ୍ତ କରିଥିବାବେଳେ, ଅନ୍ୟପଟେ ତାଙ୍କୁ ଜୋରଦାର ଟାର୍ଗେଟ କରିଛି ରାଜ୍ୟ ବିଜେପି । ପଶ୍ଚିମ ଓଡିଶାର ବିଜେପିର ଟାଣୁଆ ନେତା ପ୍ରଦୀପ ପୁରୋହିତ ଆଜି ସିଧାସଳଖ ୫ଟି ସଚିବଙ୍କୁ ଟାର୍ଗେଟ କରିବା ସହିତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

Advertisment

ପ୍ରଦୀପ ପୁରୋହିତ କହିଛନ୍ତି ଯେ, ଓଡିଶାର ଲୋକମାନେ ବିଜେଡି, ନବୀନ ପଟ୍ଟନାୟକ ଏବଂ ଶଙ୍ଖ ଚିହ୍ନକୁ ଭୋଟ ଦେଇଥିଲେ । ହେଲେ ରାଜ୍ୟରେ ଏବେ କିନ୍ତୁ ରାଜନୈତିକ ପରିବର୍ତ୍ତନ ହୋଇଛି । ଲୋକମାନେ ୫-ଟି ସଚିବଙ୍କୁ ଭୋଟ ଦେଇନାହାନ୍ତି, ସେ ଜଣେ ସରକାରୀ ଅଧିକାରୀ । ହେଲେ ଓଡିଶାରେ ଏବେ କିନ୍ତୁ ଶାସନର ମୁଖ୍ୟ ହିସାବରେ ଚେହେରା ହେଉଛି ୫-ଟି ସଚିବଙ୍କର । ସେଥିପାଇଁ ବିଜେପି ବିରୋଧ କରୁଛି ବୋଲି କହିଛନ୍ତି ପ୍ରଦୀପ ପୁରୋହିତ ।

ଅନ୍ୟପଟେ ୫-ଟି ସଚିବ କାହିଁକି ବୁଲିବେ, କାହିଁକି ଲକ୍ଷ ଲକ୍ଷ ଟଙ୍କା ଘୋଷଣା କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ଖାଲି ସେତିକି ନୁହେଁ, ବିଜୁ ଜନତା ଦଳ ଏବେ ବିଜୁ ଜନତା ଦଳ ହାତରେ ନାହିଁ । ୫ଟି ସଚିବଙ୍କ ହାତରେ ବିଜୁ ଜନତା ଦଳ ଚାଲି ଗଲାଣି ବୋଲି ସେ ଆରୋପ ଲଗାଇଛନ୍ତି । ଆଗରୁ ସେ ମୁଖ୍ୟମନ୍ତ୍ରୀଙ୍କ ପଛ ପଟେ ଠିଆ ହେଉଥିଲେ, ହେଲେ ଏବେ ସାମ୍ନାକୁ ଆସିଲେଣି ବୋଲି ବିଜେପି ନେତା କହିଛନ୍ତି ।

ସେପଟେ ବିଜେଡିର ବଡ଼ ବଡ଼ ନେତାମାନେ ଅସନ୍ତୋଷ ଅଛନ୍ତି । ମନ ଭିତରେ କଷ୍ଟ ଥିଲେ ବି କହିପାରୁନାହାନ୍ତି । ଏହାର କାରଣ ହେଉଛି ୨୦୨୪ରେ ଯିଏ ଲଢ଼ିବେ, ସେମାନଙ୍କର ସିଧା ଟିକେଟ ପାଣ୍ଡିଆନଙ୍କ ହାତରେ ଅଛି ବୋଲି ପ୍ରଦୀପ ଅଭିଯୋଗ କରିଛନ୍ତି । ଆଗାମୀ ନିର୍ବାଚନରେ ୫ଟି ସଚିବ ଟିକେଟ୍ ବାଣ୍ଟିବେ ଏବଂ ଯିଏ ତାଙ୍କର ବିରୋଧ କରିବ ତାଙ୍କ ଟିକେଟ୍ କଟିବ ବୋଲି ପ୍ରଦୀପ ପୁରୋହିତ କହିବା ସହିତ ଏଭଳି ବିସ୍ଫୋରକ ବୟାନ ରଖିଛନ୍ତି।

ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ପ୍ରତିକ୍ରିୟା ରଖି ପ୍ରଦୀପ ପୁରୋହିତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଚାପରେ ଅଛନ୍ତି, ୫ଟି ସଚିବଙ୍କୁ ନ ଧରିଲେ ମୁଖ୍ୟମନ୍ତ୍ରୀଙ୍କ ପାଦ ଆଗକୁ ବଢୁନାହିଁ, ମୁଖ୍ୟମନ୍ତ୍ରୀ ଅସହାୟ । ମୁଖ୍ୟମନ୍ତ୍ରୀ ପୁରା ଅସହାୟ ହେଇ ବସିଛନ୍ତି । ୫ଟି ସଚିବ ଯାହା ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ତାହା କରୁଛନ୍ତି । ହେଲେ ବିଜେଡିରେ ଯେଉଁ ସ୍ୱାଭିମାନୀ ନେତା ଅଛନ୍ତି, ସେମାନେ ୨୦୨୪ ନିର୍ବାଚନ ପୂର୍ବରୁ ଦଳରେ ବହୁତ ବଡ଼ ବିଦ୍ରୋହ କରିବେ ବୋଲି କହିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ ।