ବିଜେଡିରୁ ବହିଷ୍କାର ପରେ ଗଣମାଧ୍ୟମ ଆଗରେ ସଫେଇ ରଖିଲେ ପ୍ରଦୀପ ପାଣିଗ୍ରାହୀ । ପାଠକ ବାପାପୁଅଙ୍କୁ ଅତିଭଦ୍ରଲୋକ ବୋଲି ଦେଲେ ସାର୍ଟିଫିକେଟ, ଟାଟାର ଚିଠି ଦେଖାଇଲେ ସାମ୍ବାଦିକ

870

କନକ ବ୍ୟୁରୋ : ପାଠକ ବାପା ପୁଅଙ୍କ ଅମାପ ସମ୍ପତି କଥା, ସାରା ଓଡିଶାରେ ହଇଚଇ ସୃଷ୍ଟି କରିବା ପରେ ଧୀରେ ଧୀରେ ସେହି ଜାଲ ଭିତରେ ଛନ୍ଦି ହୋଇଯାଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । କାରଣ ପୁଅ ଆକାଶ ପାଠକଙ୍କ ସହ ବିଧାୟକଙ୍କ ଝିଅ ବାହାଘର ହେବାର ଥିଲା । ଆଉ ରବିବାର ପତ୍ନୀ ସୁଜାତା ପାଣିଗ୍ରାହୀଙ୍କ ସହ ସିଧା ଆସିଥିଲେ ଗଣମାଧ୍ୟମକୁ ଉତର ଦେବା ପାଇଁ ।

ଆକାଶ ପାଠକଙ୍କ ପାଇଁ ଓକିଲାତି କରୁଥିବା ବେଳେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଟାଟା କମ୍ପାନୀ ଦେଇଥିବା ଚିଠିକୁ ଦେଖାଇଥିଲେ ସାମ୍ବାଦିକ । ଟାଟା କମ୍ପାନୀର ଚିଠିରେ ଲେଖାଥିଲା, ଆକାଶ ଟାଟା କମ୍ପାନୀର କର୍ମଚାରୀ ନୁହଁନ୍ତି,ସେ ଏମଡି କହି, ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ । ଏହି ଚିଠି ଦେଖିବା ପରେ ପ୍ରଦୀପ ଆଉ ବୁଝିପାରିନଥିଳେ, କଣ କହିବେ ।

ରାଜସ୍ଥାନର ଉଦୟପୁରରେ, ଏକ ବିଳାସପୂର୍ଣ୍ଣ ହୋଟେଲରେ ଡିସେମ୍ବର ୧୧ ତାରିଖରେ ପ୍ରଦୀପଙ୍କ ଝିଅ ଓ ଆକାଶଙ୍କ ବିବାହ ହେବାର ଥିଲା । କିନ୍ତୁ ଏହା ଭିତରେ ଭିଜିଲାନ୍ସ ଓଡିଶା ଇତିହାସର ସବୁଠାରୁ ବଡ ରେଡ ମାରିଲା । ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ ଏମିତି ସମ୍ପତି ବାହାରିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ଏହି ଘଟଣା ପରେ ରବିବାର ହଠାତ ବିଜେଡି କାର୍ଯ୍ୟାଳୟକୁ ଏକ ପ୍ରେସ ରିଲିଜ ଆସିଲା । ଯେଉଁଥିରେ ଲେଖାଥିଲା ଜନବିରୋଧୀ କାର୍ଯ୍ୟ ପାଇଁ ପ୍ରଦୀପଙ୍କୁ ଦଳରୁ ବହି୍େକାର କରାଗଲା ।

ପତ୍ନୀ ସୁଜାତାଙ୍କ ସହ ପ୍ରଦୀପ ପାଣିଗ୍ରାହୀ ଗଣମାଧ୍ୟମ ସମ୍ମୁଖରେ ପ୍ରାୟ ୨ ଘଂଟା ଧରି ସଫେଇ ରଖିଥିଲେ । ସେ କହିବାକୁ ଚାହୁଁଥିଲେ, ବିଜେଡି ତାଙ୍କ ଉପରେ ଆକ୍ରୋଶ ରଖି ଏବଂ ତାଙ୍କ ଝିଅ ବାହାଘର ଭଣ୍ଡୁର କରିବା ପାଇଁ ଏ ସବୁ ଷଡଯନ୍ତ୍ର କରିଛି । ସେପଟେ ଏହି ଘଟଣାକୁ ତଦନ୍ତ କରୁଛି ଏସଆଇଟି । ତେଣୁ ଆଗକୁ ଘଟଣା କୁଆଡେ ଯାଉଛି, ତା ଉପରେ ନଜର ।