କନକ ବ୍ୟୁରୋ: ସୌମ୍ୟଙ୍କୁ ଖୋଲାଖୋଲି ସମର୍ଥନ କରି ବିଜୁ ଜନତା ଦଳ ଉପରେ ବର୍ଷିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ପ୍ରତିଶୋଧ ପରାୟଣ ହେଲେବି ସୌମ୍ୟରଞ୍ଜଙ୍କ କିଛି ବିଗାଡ଼ି ପାରିବେନି ବୋଲି କହିଛନ୍ତି ପ୍ରଦୀପ । ସମସ୍ତ ବ୍ୟବସ୍ଥାର ସଂଗଠନ ଥିବା ବେଳେ ଏମଏଲଏ ମାନଙ୍କର କାହିଁକି ସଂଘ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ । ସେପଟେ ସୌମ୍ୟଙ୍କୁ ହିମାଳୟ ସହ ତୁଳନା କରିଛନ୍ତି ସୁର ।

Advertisment

ସମ୍ବାଦର ସଂପାଦକ ତଥା ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି ସରକାର । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସିଧା ସରକାରଙ୍କୁ ଟାର୍ଗେଟ କରିଛନ୍ତି ଗୋପାଳପୁର ବିଧାୟକ । ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ଯେ, ସୌମ୍ୟବାବୁ ଦଳର ମଙ୍ଗଳ ପାଇଁ ଦଳୀୟ ଫୋରମରେ କହିବାର ସୁଯୋଗ ପାଇଲେ ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ବାଟ ନପାଇବାରୁ ନେତାଙ୍କ ମନକଥା ସଂପାଦକୀୟରେ ଲେଖିଲେ । ତେଣୁ ତାଙ୍କୁ ଏବେ ଭୟଭୀତ କରିବାକୁ ଚେଷ୍ଟା କରାଯାଉଛି । ବିକଳରେ ବିଜେଡି ତାଙ୍କୁ ଉପ-ସଭାପତି ପଦରୁ ହଟାଇ ଦେଇଛି । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମଧ୍ୟ ସୌମ୍ୟଙ୍କୁ ହିମାଳୟ ସହ ତୁଳନା କରିଛନ୍ତି । ତାଙ୍କ ବିରୋଧରେ ମିଛ ପ୍ରଚାର କରାଯାଉଥିବା ଅଭିଯୋଗ କରିଛନ୍ତି ସୁର ।

ସୌମ୍ୟଙ୍କ ବିରୋଧରେ ସରକାର ଆକ୍ରୋଶମୂଳକ ଭାବେ ପଦକ୍ଷେପ ନେଉଥିବା କହିବା ବେଳେ, ନିଜ ଉଦାହରଣ ମଧ୍ୟ ଦେଇଛନ୍ତି ପ୍ରଦୀପ ପାଣିଗ୍ରାହୀ । ପୂର୍ବରୁ ମଧ୍ୟ ଅନେକ ନେତାଙ୍କ ସହ ଏଭଳି କରାଯାଇଥିବା ସେ ଅଭିଯୋଗ ବାଢିଛନ୍ତି । ସୌମ୍ୟଙ୍କୁ ବିଜେଡି ଉପ-ସଭାପତି ପଦରୁ ହଟାଯିବା ନେଇ ଜାରି ଚିଠିରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତକୁ ନେଇ ସନ୍ଦେହ ଉପୁଜିଥିଲା । ଏଭଳି ସନ୍ଦେହ ସାଧାରଣରେ ରହିଛି ଏବଂ ତାକୁ ବୁଝିବା ପାଇଁ ଭୁବନେଶ୍ୱରରେ କେବଳ ଘଂଟାଟିଏ ବୁଲିଆସିବା ସହ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଦୀପ ପାଣିଗ୍ରାହୀ ।

କିଭଳି ରାଜ୍ୟରେ ପ୍ରଶାସକ ଆତ୍ମବିଭୋର ହେଉଥିବା ବେଳେ ନେତା ଅସହାୟ ପାଲଟି ଯାଇଛନ୍ତି ସେହି କଥାକୁ ଦୋହରାଇଛନ୍ତି ପ୍ରଦୀପ । ବିଜେଡିରେ ୧୧୨ରୁ ୧୧୦ ବିଧାୟକ କାନ୍ଦୁଥିବା ସେ ଅଭିଯୋଗ କରିଛନ୍ତି । ଏଥିପାଇଁ ବିଧାୟକଙ୍କ ଏକ ସଂଘ ଗଠନ କରିବା ସପକ୍ଷରେ ଯୁକ୍ତି ବାଢିଛନ୍ତି ଗୋପାଳପୁର ବିଧାୟକ । ଫଳରେ ସରକାର ମନଇଚ୍ଛା କୌଣସି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ । ରାଜ୍ୟରେ କିଭଳି ଗଣତନ୍ତ୍ରକୁ ହତ୍ୟା କରାଯାଉଛି ତାର ଉଦାହରଣ ଦେବାକୁ ଯାଇ ଦୀର୍ଘଦିନ ହେଲା ବିଧାନସଭା ବାଚସ୍ପତି ନିର୍ବାଚନ ନହେବା ସରକାରଙ୍କ ମାନସିକତାକୁ ଦର୍ଶାଇଛି ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ ।

ସରକାରଙ୍କୁ ଟାର୍ଗେଟ କରି ସୌମ୍ୟଙ୍କ ସପକ୍ଷରେ ଯୁକ୍ତି ବାଢିବା ସମୟରେ ପ୍ରଶାନ୍ତ ଜଗଦେବ ଓ ସନାତନ ମହାକୁଡଙ୍କ କଥା ବି ଉଠାଇଛନ୍ତି ପ୍ରଦୀପ ପାଣିଗ୍ରାହୀ । ଫାଇଭ-ଟି ସଚିବଙ୍କ ବିରୋଧରେ ଖୋଲାଖୋଲି ମତାମତ ଦେଇ ବିଜେଡିରୁ ବିଦା ହୋଇଥିଲେ ଗୋପାଳପୁର ବିଧାୟକ । ଆକ୍ରୋଶମୂଳକ ଭାବେ ସରକାର ତାଙ୍କ ଉପରେ ତାଙ୍କ ସଂପର୍କୀୟଙ୍କ ବିରୋଧରେ ବିଭିନ୍ନ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଅଭିଯୋଗ କରିଆସୁଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।