ସୁସ୍ଥ ହୋଇ ଫେରିଲେ ପ୍ରଦୀପ୍ତ ନାୟକ। କହିଲେ, ସେ ସମୟର ସଂଘର୍ଷର କଥା

648

କନକ ବ୍ୟୁରୋ: ଦୀର୍ଘ ଦୁଇ ବର୍ଷର ସଂଘର୍ଷକୁ ଯଦି ପୁର୍ନଜନ୍ମ କୁହାଯିବ ହୁଏତ ଭୁଲ ହେବନି । ପ୍ରଦୀପ୍ତ ନାୟକଙ୍କୁ ଯଦି ବାଜିଗର କୁହାଯିବ ହୁଏତ ଭୁଲ ହେବନି । ଜୀବନ ସହ ଯେଉଁ ଯୁଦ୍ଧ ପ୍ରଦୀପ୍ତ ବାବୁ ଜିତିଛନ୍ତି, ତାହା ତାଙ୍କ ଭଳି ଯୋଦ୍ଧା ହିଁ ଜିତନ୍ତି । ଦୁଇ ବର୍ଷ ତଳକୁ ଫେରିଯାଆନ୍ତୁ, ମହାମାରୀ କରୋନାରେ ଯେତେବେଳେ କଲବଲ ହେଉଥିଲା ସାରା ଓଡ଼ିଶା, ଠିକ୍ ସେତେବେଳେ କୋଭିଡ୍୍ରେ ଆକ୍ରାନ୍ତ ହୋଇଥିଲେ ପ୍ରଦୀପ୍ତ ନାୟକ । କିଛି ମାସର ଚିକିତ୍ସା ପରେ ଯେଉଁ ଚିତ୍ର ସାମ୍ନାକୁ ଆସିଥିଲା, ପ୍ରଦୀପ୍ତ ବାବୁଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ସବୁବେଳେ ସତେଜ ଓ ସବଳ ଦେଖାଯାଉଥିବା ବିଧାୟକ ଦେଖାଯାଉଥିଲେ ଅଚାନକ୍ ନିସ୍ତେଜ ଓ ଅସୁସ୍ଥ ନଜର ଆସିଥିଲେ । ହେଲେ ତାଙ୍କୁ ଭଲ ପାଉଥିବା ଲୋକଙ୍କ ପ୍ରାର୍ଥନା ପୁଣିରେ ଥରେ ମୈଦାନକୁ ଆଣି ଛିଡ଼ା କରିଦେଇଛି ।

ଜୀବନର ଏହି ସଂଗ୍ରାମ ସହଜ ନଥିଲା । ହସ୍ପିଟାଲ ବେଡରେ ପଡ଼ିଥିଲେ ପ୍ରଦୀପ୍ତ ବାବୁ । ନା’ ଚେତା ଥିଲା ନା’ ପରିବାର ଲୋକ ଭେଟିବାର ସୁଯୋଗ ଥିଲା । ଭୁବନେଶ୍ୱରରେ ଚିକିତ୍ସା ହେବା ସମୟର ଅନୁଭତି ଥିଲା ଅତି ହୃଦୟ ବିଦାରକ । ଯେଉଁ ରୁମରେ ସେ ଚିକିତ୍ସିତ ହେଉଥିଲେ, ସେଠି ୪ ଜଣ ରୋଗୀଥିଲେ । ତାଙ୍କ ଆଖି ଆଗରେ ୩ ଜଣ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ । ମୃତ୍ୟୁକୁ ଅତିନିକଟରୁ ଦେଥିବା ପ୍ରଦୀପ୍ତ ନାୟକ କେବଳ ଭଗବାନଙ୍କୁ ଡାକୁଥିଲେ । ଭୁବନେଶ୍ୱରରୁ ତାଙ୍କୁ ଦିଲ୍ଲୀ ନିଆଗଲା । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତାଙ୍କ ଚିକିତ୍ସା ଚାଲିଥିଲା । ଆଉ ଦୁଇବର୍ଷର ସଂଘର୍ଷ ପରେ ତାଙ୍କୁ ମିଳିଥିଲା ଦ୍ୱିତୀୟ ଜୀବନ ।

କରୋନା କାରଣରୁ ତାଙ୍କର ଭୋକାଲ୍ କଡ୍ ବିଶେଷ ଭାବରେ ପ୍ରଭାବିତ ହୋଇଥିଲା । ଏବେ ବି ଗୋଟିଏ ଭୋକାଲ୍ କଡ୍ ସଂପୂର୍ଣ୍ଣ ଠିକ୍ ହୋଇନାହିଁ । ଯେଉଁଥି ପାଇଁ କଥା ହେବା ସମୟରେ ଆସ୍ତେ ଆସ୍ତେ କହୁଛନ୍ତି । କିନ୍ତୁ ଯୋଦ୍ଧା କେବେ ଲଢ଼ିବା ଯେମିତି ଛାଡ଼େ ନାହିଁ, ପ୍ରଦୀପ୍ତ ନାୟକଙ୍କ ଲଢ଼ୁଆ ମନୋଭାବ ଏବେ ବି ଅକ୍ଷୁର୍ଣ୍ଣ ରହିଛି । ୨୦୧୪ ନିର୍ବାଚନରେ ପୁଣି ସେ ଲୋକଙ୍କ ପାଖକୁ ଯିବେ । ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହେବେ ।

ପ୍ରଦୀପ ନାୟକ ଯେଉଁ ଦିନ ଦେଖିଛନ୍ତି, ଭଗବାନ ଏଭଳି ଦିନ କାହାକୁ ନଦେଖାନ୍ତୁ । ତେବେ ଏସବୁ ଭିତରେ ପ୍ରଦୀପ୍ତ ବାବୁ ଯେଉଁ ଧର୍ଯ୍ୟ ଓ ସାହାସ ଦେଖାଇଛନ୍ତି, ତାକୁ ଆଜି ସାରା ଓଡ଼ିଶା ସଲାମ୍ କରୁଛି ।