କଂଗ୍ରେସ ଛାଡ଼ିବା ପରେ ଆଜି ଶକ୍ତି ପ୍ରଦର୍ଶନ କରିବେ ପ୍ରଦୀପ ମାଝୀ । ନବରଙ୍ଗପୁର କଲ୍ୟାଣ ମଣ୍ଡପରେ ଚାଲିଛି ଜୋରଦାର ପ୍ରସ୍ତୁତି

235

କନକ ବ୍ୟୁରୋ: କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସମ୍ମୁଖକୁ ଆସିବେ ପ୍ରଦୀପ ମାଝୀ । କଂଗ୍ରେସ ଛାଡ଼ିବାର କାରଣ ସମ୍ପର୍କରେ ନିଜ ମନ୍ତବ୍ୟ ରଖିବେ । ନିଜ ଅନୁଗତ ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ନବରଙ୍ଗପୁର ସହର ସ୍ଥିତ ଏକ କଲ୍ୟାଣ ମଣ୍ଡପରେ ଜୋରଦାର ପ୍ରସ୍ତୁତି ଚାଲିଛି ।

ତେବେ ସେ କେଉଁ ଦଳରେ ମିଶିବେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ, ବିଜେଡି ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି । ଗତ କିଛି ଦିନ ଧରି ଜିଲ୍ଲା କଂଗ୍ରେସର ବିଭିନ୍ନ ପଦ ପଦବୀରେ ଥିବା ନେତା କଂଗ୍ରେସରୁ ଇସ୍ତଫା ଦେଇଥିଲେ । ସେହି ଅନୁଗତ ସମର୍ଥକଙ୍କୁ ନେଇ ନିଜ ଭବିଷ୍ୟତ ରାଜନୈତିକ କାର୍ଯ୍ୟପନ୍ଥା ସମ୍ପର୍କରେ ମଧ୍ୟ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଅନେକ ସମର୍ଥକ ଏଥିରେ ଉପସ୍ଥିତ ରହିବେ ।

ସୂଚନାଯୋଗ୍ୟ ଯେ, କଂଗ୍ରେସ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଏବେ ହାତ ଛାଡି ସାରିଛନ୍ତି । ତେବେ କଂଗ୍ରେସ ଛାଡିବା ପରେ ସେ ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ଥିଲେ, ଯେଉଁ କାରଣରୁ ସେ ବିଜେଡିରେ ସାମିଲ ହେବା କଥା କୁହାଯାଉଛି । ନବରଙ୍ଗପୁରରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସେ ଶଙ୍ଖ ଫୁଙ୍କିପାରନ୍ତି ବୋଲି ରାଜନୀତି କରିଡରରେ ଚର୍ଚ୍ଚା ହେଉଛି ।