ପିପିଲିରେ ପରାକ୍ରମ ଦେଖାଇବେ ମହାରଥୀ । ପୁଣି ମହାରଥୀଙ୍କ କାନ୍ଧରେ ପିପିଲି ଭାର ଦେଲେ ବିଜେଡି ସୁପ୍ରିମୋ ।

419

କନକ ବ୍ୟୁରୋ : ପୁଣି ଥରେ ପିପିଲିରୁ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବିଜେଡିର ଟାଣୁଆ ନେତା ପ୍ରଦୀପ ମହାରଥୀ । ୨୦୧୯ ସାଧାରଣ ନିର୍ବାଚନରେ ପିପିଲି ବିଧାନସଭା ଆସନ ପାଇଁ ପ୍ରଦୀପ ମହାରଥୀଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ତେବେ ତୃତୀୟ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ ୨୩ ତାରିଖରେ ଏହି ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ପ୍ରଦୀପ ମହାରଥୀଙ୍କୁ ଟିକେଟ୍ ଦେଇଛି ବିଜୁ ଜନତା ଦଳ ।

ପିପିଲିରୁ କିଏ ହେବେ ବିଜେଡି ପ୍ରାର୍ଥୀ, ସେନେଇ ଅନେକ ଦିନରୁ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଥିଲା । ପ୍ରଦୀପ ମହାରଥୀଙ୍କ ବଦଳରେ ତାଙ୍କ ପତ୍ନୀଙ୍କୁ ବିଜେଡି ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଥିଲା । ତେବେ ସବୁ ଚର୍ଚ୍ଚା ଏବଂ ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପଡିଛି । ପିପିଲି ବିଧାନସଭା ଆସନରୁ ପୁଣି ଥରେ ପ୍ରଦୀପ ମହାରଥୀଙ୍କୁ ପ୍ରାର୍ଥୀ କରିଛି ବିଜେଡି । ପିପିଲିରେ ଏଥର କଡା ଟକ୍କର ହେବାକୁ ଯାଉଥିବା ଅନୁମାନ କରାଯାଉଛି ।