କନକ ବ୍ୟୁରୋ: ଶେଷ ଯାତ୍ରାରେ ମହାରଥୀ । ଶବାଧାର ସହିତ ଲଂବିଛି ଲୋକଙ୍କ ଭିଡ । ଡାକ୍ତରଖାନାରୁ ଆଜି ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀରକୁ ପ୍ରଥମେ ବିଧାନସଭା ପରିସରକୁ ନିଆଯାଇଥିଲା । ବିଭିନ୍ନ ରାଜନୈତିକ ଦଳର ନେତା ଦିବଂଗତ ମହାରଥୀଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରିଥିଲେ । ଏହା ପରେ ପାର୍ଥିବଶରୀର ବିଜେଡି ପାର୍ଟି ଅଫିସକୁ ନିଆଯାଇଥିଲା । ଦଳୀୟ କର୍ମୀ ଓ ନେତା ସେଠାରେ ମହାରଥୀଙ୍କୁ ଶ୍ରଦ୍ଧାଂଜଳି ଦେବା ପରେ ପୈତୃକ ଗାଁ ଯିବା ପରେ ତାଙ୍କ ପାର୍ଥିବ ଶରୀରକୁ ନିଆଯାଇଥିଲା । ପୈତୃକ ଗାଁରେ ଶେଷ ଦର୍ଶନ ପରେ ଶେଷ କୃତ୍ୟ ପାଇଁ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ନିଆଯାଇଛି ମହାରଥୀଙ୍କ ମରଶରୀର । ରାଷ୍ଟ୍ରୀୟ ମର୍ଯ୍ୟଦା ସହିତ ତାଙ୍କର କରାଯିବ ଅନ୍ତିମ ସଂସ୍କାର ।
ପୂର୍ବତନ ମନ୍ତ୍ରୀ ତଥା ବର୍ତମାନର ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ନିଧନରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ମହାରଥୀଙ୍କ ବିୟୋଗ ରାଜ୍ୟ ରାଜନୀତିର ଅପୂରଣୀୟ କ୍ଷତି ବୋଲି କହିଛନ୍ତି ନିରଂଜନ ପଟ୍ଟନାୟକ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ବଦ୍ରି ନାରାୟଣ ପାତ୍ର, ଜୁଏଲ ଓରାମ, ସୁରେଶ ପୂଜାରୀ, ମନ୍ତ୍ରୀ ରାଜା ସ୍ୱାଇଁ, ସସ୍ମିତ ପାତ୍ର, ତାରା ପ୍ରସାଦ ବାହିନୀପତି, ପ୍ରୀତିରଂଜନ ଘଡାଇ, ପ୍ରମିଳା ମଲ୍ଲିକଙ୍କ ସହ ବିଜେଡିର ନେତା ମନ୍ତ୍ରୀ ମହାରଥୀଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।