ରାଷ୍ଟ୍ରୀୟ ମର୍ଯ୍ୟଦା ସହ ପୁରୀ ସ୍ୱର୍ଗ ଦ୍ୱାରରେ ହେଲା ମହାରଥୀଙ୍କ ଶେଷକୃତ୍ୟ । ପୁଅ ଦେଲେ ମୁଖାଗ୍ନି, ଅଶ୍ରୁଳ ଆଖିରେ ମହାରଥୀଙ୍କୁ ଦିଆଗଲା ଅନ୍ତିମ ବିଦାୟ । ସ୍ୱର୍ଗଦ୍ୱାରରେ ଶୋକାକୁଳ ପରିବେଶ ।

435

କନକ ବ୍ୟୁରୋ : ପଞ୍ଚଭୂତରେ ଲୀନ ହେଲା ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀର । ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି । ଶୋକାକୂଳ ପରିବେଶରେ ମହାରଥୀଙ୍କୁ ଶେଷ ବିଦାୟ ଦେଲେ ପରିବାରବର୍ଗ । ପୁରୀ ସ୍ୱର୍ଗଦ୍ୱାରରେ ପହଞ୍ଚିବା ପରେ ତାଙ୍କ ମରଶରୀର ଉପରେ ଦଳୀୟ ପତାକା ଘୋଡାଇ ଦିଆଯାଇଥିଲା । ଶେଷକୃତ ସମୟ ପରିବାର ଲୋକଙ୍କ ସମେତ ଅନେକ ସମର୍ଥକ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ଡାକ୍ତରଖାନାରୁ ଆଜି ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀରକୁ ପ୍ରଥମେ ବିଧାନସଭା ପରିସରକୁ ନିଆଯାଇଥିଲା । ବିଭିନ୍ନ ରାଜନୈତିକ ଦଳର ନେତା ଦିବଂଗତ ମହାରଥୀଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରିଥିଲେ । ଏହା ପରେ ପାର୍ଥିବଶରୀର ବିଜେଡି ପାର୍ଟି ଅଫିସକୁ ନିଆଯାଇଥିଲା । ଦଳୀୟ କର୍ମୀ ଓ ନେତା ସେଠାରେ ମହାରଥୀଙ୍କୁ ଶ୍ରଦ୍ଧାଂଜଳି ଦେବା ପରେ ପୈତୃକ ଗାଁକୁ ତାଙ୍କ ପାର୍ଥିବ ଶରୀରକୁ ନିଆଯାଇଥିଲା । ପୈତୃକ ଗାଁରେ ଶେଷ ଦର୍ଶନ ପରେ ଶେଷ କୃତ୍ୟ ପାଇଁ ପୁରୀ ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲା ପାର୍ଥିବ ଶରୀର ।

ବିଧାୟକ ପ୍ରଦୀପ ମହାରଥୀଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଥିଲା । ଅସୁସ୍ଥତା ଯୋଗୁଁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ଗୁରୁତର ହୋଇପଡ଼ିଥିଲା। ଏହାପରେ ଭେଣ୍ଟିଲେଟର ସହାୟତାରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ହେଲେ ଶେଷରେ ତାଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ପ୍ରତିଭା ମହାରଥୀ, ପୁତ୍ର ରୁଦ୍ରପ୍ରତାପ ଓ ଝିଅ ପଲ୍ଲବୀଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ପିପିଲି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା।