ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ପଜିଟିଭ୍ ଚିହ୍ନଟ ପରେ ବିଧାୟକ ସାମିଲ ହେବାକୁ ନେଇ ଥାନାରେ ଏତଲା : ସେପ୍ଟେମ୍ୱର ୨୮ ତାରିଖରେ ପଜିଟିଭ୍ ଚିହ୍ନଟ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଉମା ସାମନ୍ତରାୟ; ହସ୍ପିଟାଲରୁ ଆସି ଅନ୍ତେଷ୍ଟିକ୍ରିୟାରେ ହୋଇଥିଲେ ସାମିଲ

405

କନକ ବ୍ୟୁରୋ : ଗତକାଲି ପୁରୀ ସ୍ୱର୍ଗଦ୍ୱାରରେ ପୂର୍ବତନ ମନ୍ତ୍ରୀ ତଥା ପିପିଲିର ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ସାମିଲ ହେବା ନେଇ ପ୍ରଶ୍ନ ଉଠିଛି । ସେପ୍ଟେମ୍ୱର ୨୮ ତାରିଖରେ ଉମା ସାମନ୍ତରାୟ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଟୁଇଟ୍ କରିଥିଲେ ଏବଂ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ ସଂଗରୋଧରେ ରହିବାକୁ ପରାମର୍ଶ ଦେଇଥିଲେ । ତେବେ ପଜିଟିଭ୍ ଚିହ୍ନଟ ହେବାର ମାତ୍ର ୭ ଦିନରେ ଉମା ସାମିଲ ହେବା ଘଟଣା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସବୁଠାରୁ ବଡ କଥା ହେଉଛି ଉମା ସାମନ୍ତରାୟ କରୋନା ଆକ୍ରାନ୍ତ ଥାଇ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେହିଠାରୁ ସିଧା ପହଁଚିଥିଲେ ଅନ୍ତେଷ୍ଟିକ୍ରିୟା ଚାଲିଥିବା ସ୍ୱର୍ଗଦ୍ୱାରରେ ।

ଜଣେ ଆକ୍ରାନ୍ତ ବିଧାୟକ କିପରି ଏହି ଅନ୍ତିମ ଯାତ୍ରା ଓ ଅନ୍ତେଷ୍ଟିକ୍ରିୟାରେ ସାମିଲ ହେଲେ ତାକୁ ନେଇ ପ୍ରଶ୍ନ ଉଠୁଛି । କାରଣ ଏହି ସମୟରେ ତାଙ୍କ ଠାରୁ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ସଂଭାବନା ରହିଛି । କରୋନା କାଳରେ ଅନ୍ତିମ ସଂସ୍କାର ପାଇଁ ସୀମିତ ଲୋକଙ୍କ ସମାଗମ ନେଇ ନିୟମ ରଖିଛନ୍ତି ସରକାର । ମାତ୍ର ୨୦ ଜଣ ଲୋକ ଅନ୍ତିମ ସଂସ୍କାର କାମରେ ଯୋଗ ଦେଇ ପାରିବେ ବୋଲି ନିୟମ ରହିଛି । ଏହା ସତ୍ୱେ ବିଧାୟକ କରୋନା ଆକ୍ରାନ୍ତ ଥାଇ କିପରି ସ୍ୱର୍ଗଦ୍ୱାରରେ ଅନ୍ତେଷ୍ଟିକ୍ରିୟାରେ ସାମିଲ ହେଲେ ତାହା ବଡ ପ୍ରଶ୍ନ ସୃଷ୍ଟିକରିଛି ।

ଏନେଇ ବିଧାୟକ ଉମା ସାମନ୍ତରାୟଙ୍କ ବିରୋଧରେ କୋଭିଡ ନିୟମ ଉଲଂଘନ ଅଭିଯୋଗରେ ପୁରୀ ସମୁଦ୍ରକୂଳ ଥାନାରେ ଅଭିଯୋଗ କରିଛି ଜଗନ୍ନାଥ ସେନା । ତାଙ୍କ ସହ ମନ୍ତ୍ରୀ ସମୀର ଦାଶଙ୍କ ବିରୋଧରେ ମଧ୍ୟ ପୁରୀରେ ଥାନାରେ ଏତଲା ହୋଇଛି । ସେପଟେ ସମୀର ଦାଶ କହିଛନ୍ତି ସେ କୋଭିଡର କୌଣସି ନିୟମକୁ ଉଲଂଘନ କରିନାହାନ୍ତି । ସଂକ୍ରମିତ ହେବାର ୨୧ ଦିନ ପରେ ସେ ଏହି ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ । କିନ୍ତୁ ଉମାସାମନ୍ତରାୟ ୭ ଦିନରେ କିପରି ଭିଡରେ ସାମିଲ ହେଲେ ସେ ନେଇ ଉମାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଜଗନ୍ନାଥ ସେନା ଆଣିଥିବା କୋଭିଡ ନିୟମ ଉଲଂଘନ ଅଭିଯୋଗ ନେଇ ମନ୍ତ୍ରୀ ସମୀର ଦାଶ ସଫେଇ ରଖିଛନ୍ତି । ସେ କହିଛନ୍ତି, ଗତ ୧୪ ତାରିଖରେ ପଜିଟିଭ ଥିବା ରିପୋର୍ଟ ଆସିଥିଲା । କୋଭିଡ ହସପିଟାଲରେ ଭର୍ତି ହୋଇ ୨୧ ତାରିଖରେ ବାହାରିଥିଲି । ନିୟମ ଅନୁସାରେ ସଂକ୍ରମଣର ୨୧ ଦିନ ବିତିଯାଇଥିବାରୁ ସେ ମହାରଥୀଙ୍କ ଅନ୍ତିମ ଯାତ୍ରାରେ ଯୋଗ ଦେଇଥିଲେ ।

Comments are closed.