ନୂଆ ଉନ୍ନୟନ କମିଶନର ଭାବେ ପିକେ ଜେନାଙ୍କ ଦାୟିତ୍ୱ ଗ୍ରହଣ : କୋଭିଡ ଟିକାକରଣ ପରିଚାଳନା , ରାଜ୍ୟ ଅର୍ଥନୀତି ସୁଧାରିବା ରହିବ ବଡ ଚ୍ୟାଲେଂଜ

129

କନକ ବ୍ୟୁରୋ : ନୂଆ ଉନ୍ନୟନ କମିଶନର ଭାବେ ପ୍ରଦୀପ କୁମାର ଜେନା ମଧ୍ୟ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଗରୁ ସେ ଏସଆରସି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଦାୟିତ୍ୱ ତୁଲାଇ ସାରିଛନ୍ତି । ବର୍ତମାନ ନୂଆବର୍ଷରେ ନୂଆ ଉନ୍ନୟନ କମିଶନର ଭାବେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୮୯ ବ୍ୟାଚର ଆଇଏଏସ୍ ହେଉଛନ୍ତି ପ୍ରଦୀପ ଜେନା । ରାଜ୍ୟରେ କରୋନା ଟିକାକରଣ, ଶ୍ରୀମନ୍ଦିର ବିକାଶ ପରି ଅନେକ ଚ୍ୟାଲେଂଜ ରହିବ ତାଙ୍କ ପାଇଁ । ସୁରେଶ ମହାପାତ୍ର ପଦବୀ ଛାଡିବା ପରେ ପିକେ ଜେନା ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି ।

୧୯୬୪ ମସିହାରେ ଜନ୍ମ ପ୍ରଦୀପ ଜେନା ଆଇଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପ୍ରଶିକ୍ଷଣ ପରେ ୧୯୯୧ ମସିହାରେ ପ୍ରଥମେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ର ଉପଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ପରେ ସେଠାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ ଜିଲ୍ଲାପାଳ ଭାବେ ଦାୟିତ୍ବ ତୁଲାଇଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଥିଲା । ୧୯୯୯ ମସିହା ମହାବାତ୍ୟା ସମୟରେ କଟକ ଜିଲ୍ଲାପାଳ ପଦରେ ଥିଲେ । ମହାବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକୁ ସୁଚାରୁରୂପେ ତୁଲାଇଥିବାରୁ ପ୍ରଦୀପ ଜେନା ରାଜ୍ୟ ଓ ଜାତୀୟ ସ୍ତରରେ ଉଚ୍ଚପ୍ରଶଂସିତ ହୋଇଥିଲେ । ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଓ ଲୋକାଭିମୁଖୀ କାର୍ଯ୍ୟ କରିବାରେ ତାଙ୍କର ବହୁ ସୁନାମ ରହିଛି । କୃଷି ନିର୍ଦ୍ଦେଶକ ପଦରେ ଥାଇ ଚାଷୀମାନଙ୍କ ପାଇଁ ଅନେକ ସୁଦୂର ପ୍ରସାରୀ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ।

ଗୋଟିଏ ସମୟରେ ରାଜ୍ୟର ଆର୍ଥିକ ସ୍ଥିତି ଭଲ ନ ଥିବାବେଳେ ପ୍ରଦୀପ ଜେନାଙ୍କୁ ରାଜ୍ୟ ସରକାର ସମ୍ବଳ ସଂଗ୍ରହ ପାଇଁ ଏକାବେଳେ ବାଣିଜ୍ୟ କମିସନର ଓ ରାଜ୍ୟ ପରିବହନ କମିସନର ଭଳି ଗୁରୁତ୍ବପୂର୍ଣ୍ଣ ପଦରେ ନିଯୁକ୍ତ କରିଥିଲେ। ଏହି ଦୁଇଟି ପଦରେ ରହି ରାଜସ୍ବ ସଂଗ୍ରହ କ୍ଷେତ୍ରରେ ରେକର୍ଡ଼ ସୃଷ୍ଟି କରି ସେ ଅତି ସଫଳତାର ନିଜର ଦକ୍ଷତା ପ୍ରତିପାଦିତ କରିପାରିଥିଲେ । ୟୁଏନ୍‌ଡିପିର ଟିମ୍‌ ମୁଖ୍ୟ ଭାବେ କାର୍ଯ୍ୟ କରିବା ପରେ ୨୦୦୬ ମସିହାରେ ଓଡ଼ିଶା ସରକାରଙ୍କ ବହୁ ପ୍ରଶଂସିତ ଥଇଥାନ ଓ ପୁନର୍ବାସ ନୀତି ପ୍ରସ୍ତୁତ କରିବାରେ ମୁଖ୍ୟ ବିନ୍ଧାଣି ରହିଥିଲେ । ପରେ ସେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦୀର୍ଘ ୬ ବର୍ଷ ଧରି ଦାୟିତ୍ବ ତୁଲାଇଥିଲେ। ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ପଦରେ ଥିଲାବେଳେ ୨୦୧୩ ମସିହାରେ ଫାଇଲିନ୍‌ ବାତ୍ୟା ହୋଇଥିଲା। ଅଳ୍ପ ଦିନ ଭିତରେ ବିଦ୍ୟୁତ ସରବରାହ ବ୍ୟବସ୍ଥାକୁ ପୁନଃପ୍ରତିଷ୍ଠା କରିବାରେ ଶ୍ରୀ ଜେନାଙ୍କ ଯେଭଳି ଆଖିଦୃଶିଆ ପଦକ୍ଷେପ ନେଇଥିଲେ ତାହା ଆଜି ବି ଓଡ଼ିଶା ପ୍ରଶାସନ କ୍ଷେତ୍ରରେ ଉଦାହରଣ ବୋଲି ଗଣାଯାଏ ।

ଅ​ଳ୍ପ ଦିନ ପାଇଁ ସେ ପଞ୍ଚାୟତିରାଜ ବିଭାଗର ଦାୟିତ୍ବ ରହିବା ପରେ ଲମ୍ବା ସମୟ ପାଇଁ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ବ ତୁଲାଇଛନ୍ତି । ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦ ଘଟଣା ସାମନାକୁ ଆସିବା ପରେ ତତ୍‌କ୍ଷଣାତ ପଦକ୍ଷେପ ନେଇ ରାଜ୍ୟର ସ୍ବାର୍ଥକୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ବଳିଷ୍ଠ ଯୁକ୍ତି ରଖିଥିଲେ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମହାନଦୀ ଜଳ ବିବାଦ ନେଇ ସ୍ବତନ୍ତ୍ର ଟ୍ରିବ୍ୟୁନାଲ୍‌ ଗଠନ ପାଇଁ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଥିଲା । ଯାହା ଆଜି ବି ଚର୍ଚ୍ଚାର ବିଷୟ ହୋଇ ରହିଛି।

ପ୍ରଶାସନିକ ଅଧିକାରୀ ଭାବେ ଯେତିକି ଦକ୍ଷ, ସେତିକି ମଧ୍ୟ ଶ୍ରୀ ଜେନା ମହାପ୍ରଭୁ ଜଗନ୍ନାଥଙ୍କ ଜଣେ ପରମ ଶ୍ରଦ୍ଧାଳୁ । ୨୦୧୭ ମସିହାରେ ପୁରୀ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ତାଙ୍କୁ ନିଯୁକ୍ତ କରାଯାଇଥିଲା । ପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିବା ପରେ ତାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ସ୍ବତନ୍ତ୍ର ରିଲିଫ୍‌ କମିସନର ଭାବେ ଦାୟିତ୍ବ ଦିଆଯାଇଛି। ଚଳିତ ବର୍ଷ କୋଭିଡ୍‌ ମହାମାରୀ ସମୟରେ ସାରା ରାଜ୍ୟ ସଂଗ୍ରାମ କରୁଥିବାବେଳେ ସ୍ବତନ୍ତ୍ର ରିଲିଫ୍‌ କମିସନର ପଦରେ ରହି ପ୍ରଦୀପ କୁମାର ଜେନା ଅଦ୍ୟାବଧି ତାଙ୍କର ଗୁରୁଦାୟିତ୍ବ ତୁଲାଇଆସୁଛନ୍ତି । ଖାଲିସେତିକି ନୁହେଁ ଚଳିତ ବର୍ଷ ଅମ୍ଫାନ୍‌ ବାତ୍ୟାରେ ଉତ୍ତର ଓଡ଼ିଶାରେ ବିପର୍ଯ୍ୟୟ ଘଟାଇଥିଲା।ଏହାର ସଫ​ଳ ମୁକାବିଲା କରାଯାଇପାରିଥିଲା ।