କନକ ବ୍ୟୁରୋ : ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ନବନିଯୁକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ସେ ଏବେର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସ୍ଥାନ ନେବେ । ସୁରେଶ ମହାପାତ୍ର ଆସନ୍ତାକାଲି ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ଏହାପରେ ୧ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ ପ୍ରଦୀପ କୁମାର ଜେନା । ୧୯୮୯ ବ୍ୟାଚର ଏହି ଭାରତୀୟ ପ୍ରଶାସନିକ ଅଧିକାରୀ ଏବେ ରାଜ୍ୟ ସରକାରଙ୍କ ଉନ୍ନୟନ କମିସନର ଓ ସ୍ୱତନ୍ତ୍ର ରିଲିଫ କମିସନର ଅଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

Advertisment

ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ନିଯୁକ୍ତ ହେବା ପରେ ଗତକାଲି ସନ୍ଧ୍ୟାରେ ପୁରୀ ଗସ୍ତ କରି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ପିକେ ଜେନା । ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ପ୍ରଦୀପ ଜେନା ବିଳମ୍ବିତ ସନ୍ଧ୍ୟାରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି । ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ରଦୀପ କୁମାର ଜେନା ଜଣେ ଦକ୍ଷ ପ୍ରଶାସକ ଭାବେ ବେଶ୍ ଜଣାଶୁଣା । ୧୯୯୯ ମସିହାର ମହାବାତ୍ୟା ସମୟରେ ସେ କଟକ ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଥିଲେ ।

ମହାବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକୁ ସୁଚାରୁରୂପେ ତୁଲାଇଥିବାରୁ ପ୍ରଦୀପ ଜେନା ରାଜ୍ୟ ଓ ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଥିଲେ । ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଓ ଲୋକାଭିମୁଖୀ କାର୍ଯ୍ୟ କରିବାରେ ତାଙ୍କର ବହୁ ସୁନାମ ରହିଛି । କୃଷି ନିର୍ଦ୍ଦେଶକ ପଦରେ ଥାଇ ଚାଷୀମାନଙ୍କ ପାଇଁ ଅନେକ ସୁଦୂର ପ୍ରସାରୀ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ସେହିପରି କୋଭିଡ୍ ମହାମାରୀ ସମୟରେ ସାରା ରାଜ୍ୟ ସଂଗ୍ରାମ କରୁଥିବାବେଳେ ସ୍ୱତନ୍ତ୍ର ରିଲିଫ୍ କମିସନର ପଦରେ ରହି ପ୍ରଦୀପ କୁମାର ଜେନା ଗୁରୁଦାୟିତ୍ୱ ତୁଲାଇଥିଲେ ।