କିଏ ଏହି ପ୍ରଦୀପ ଗୱାଣ୍ଡେ? ଯିଏ ଆଇଏଏସ ଅଫିସର ଟୀନା ଦାବିଙ୍କୁ କରିବେ ବିବାହ ।

498

କନକ ବ୍ୟୁରୋ : ଆଇଏଏସ ଟୀନା ଡାବି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ନିଜର ବ୍ୟକ୍ତିଗତ ଜୀବନକୁ ନେଇ ପୁଣିଥରେ ଚର୍ଚ୍ଚାକୁ ଟାଣି ହୋଇ ଆସିଛନ୍ତି ଟୀନା । କାରଣ ବିବାହ ବିଚ୍ଛେଦର ୨ ବର୍ଷ ପରେ ପୁଣିଥରେ ବିବାହ କରିବାକୁ ଯାଉଛନ୍ତି ଟୀନା ଡାବି । ଆସନ୍ତା ଏପ୍ରିଲ ୨୨ ତାରିଖରେ ଜୟପୁରରେ ବିବାହ କରିବେ ଟୀନା । ଏନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି ଟୀନା । ଜୀବନସାଥୀ ଭାବେ ୨୦୧୩ର ଆଇଏଏସ ଅଫିସର ପ୍ରଦୀପ ଗୱାଣ୍ଡେଙ୍କୁ ବାଛିଛନ୍ତି ଟୀନା । ତେବେ ଟୀନାଙ୍କ ଜୀବନସାଥୀ ହେବାକୁ ଯାଉଥିବା ପ୍ରଦୀପ ଗୱାଣ୍ଡେ କିଏ ତାଙ୍କ ବାବଦରେ ଏବେ ସମସ୍ତେ ଜାଣିବାକୁ ଇଚ୍ଛୁକ ।

୨୦୧୩ ବ୍ୟାଚ୍ ଆଇଏଏସ ଅଫିସର ପ୍ରଦୀପ ଗୱାଣ୍ଡେ ପୂର୍ବରୁ ୨୦୨୦ରେ ଚୁରର ଜିଲ୍ଲାପାଳ ରହି ସାରିଛନ୍ତି । ଏବେ ରାଜ୍ୟସ୍ଥାନର ପ୍ରତ୍ନତତ୍ତ୍ୱ ଏବଂ ସଂଗ୍ରାହଳୟ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଊଛନ୍ତି ପ୍ରଦୀପ । ଟୀନାଙ୍କ ଠାରୁ ବୟସରେ ୧୩ ବର୍ଷ ବଡ ଥିବା ପ୍ରଦୀପ ୨୦୧୩ରେ ଆଇଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ତେବେ ୟୁପିଏସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପୂର୍ବରୁ ପ୍ରଦୀପ ଏମବିବିଏସ ଡିଗ୍ରୀ ହାସଲ କରିଥିଲେ ।

ଆସନ୍ତା ଏପ୍ରିଲ ୨୨ରେ ପ୍ରଦୀପଙ୍କୁ ବିବାହ କରିବେ ଟୀନା । ତେବେ ଏହାପୂର୍ବରୁ ୨୦୧୬ ବ୍ୟାଚ୍ ଆଇଏଏସ ଅଫିସର ଟୀନା ନିଜ ବ୍ୟାଚର ଆଇଏଏସ ଅଫିସର ଅତହର ଆମିରଙ୍କୁ ବିବାହ କରିଥିଲେ । ଟ୍ରେନିଂ ସମୟରେ ଉଭୟଙ୍କ ମଧ୍ୟରେ ଭଲପାଇବା ବଢିଥିଲା । ପରେ ଏହି ଭଲପାଇବା ବିବାହର ରୂପ ନେଇଥିଲା । ୨୦୧୮ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ଏହି ବିବାହ ବେଶି ଦିନ ତିଷ୍ଠି ନଥିଲା । ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ମନୋମାଳିନ୍ୟ ଫଳରେ ବିବାହ ବିଚ୍ଛେଦ ହୋଇଥିଲା । ୨୦୨୦ରେ ଉଭୟ ପରସ୍ପର ଠାରୁ ଆଇନଗତ ଭାବେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ୨୦୨୧ରେ ଏହି ବିବାହ ବିଚ୍ଛେଦକୁ ମଞ୍ଜୁରୀ ଦେଇଥିଲେ କୋର୍ଟ ।