ଚାକିରି ନୁହେଁ ବ୍ୟବସାୟ ଦେଲା ଭିନ୍ନ ପରିଚୟ । ଚାକିରି ଛାଡି ମସଲା କମ୍ପାନୀ ଆରମ୍ଭ କଲେ କେନ୍ଦ୍ରାପଡାର ପ୍ରଦୀପ ବେହେରା ।

213

କନକ ବ୍ୟୁରୋ: କିଛି କରି ଦେଖାଇବାର ନିଶା ଆଣି ଦେଇଛି ସଫଳତା । ବାହାର ରାଜ୍ୟରେ ଏକ ଘରୋଇ କମ୍ପାନୀରେ ଚାକିରି କରି ଭଲ ଦୁଇପଇସା ରୋଜଗାର କରୁଥିବା ଜଣେ ଯୁବକ ଚାକିରି ଛାଡି ଆରମ୍ଭ କରିଛନ୍ତି ଏକ ମସଲା କମ୍ପାନି । ନିଜ କମ୍ପାନିରେ ସ୍ଥାନୀୟ ଅଂଚଳୟ ପ୍ରାୟ ୨୦ ଜଣ ଯୁବକଙ୍କୁ ନିଯୁକ୍ତି ଦେବା ସହିତ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା । ବଜାରରେ ମସଲାର ବିଶେଷ ଚାହିଦା ଥିବା ସମୟରେ ସୃଷ୍ଟି କରିପାରିଛନ୍ତି ନିଜର ଏକ ସ୍ୱତନ୍ତ୍ର ପରିଚୟ । ତାଙ୍କର ଏହି ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ଉତ୍ସ ।

କେନ୍ଦ୍ରାପଡା ଜିଲ୍ଲା ମର୍ଶାଘାଈ ବ୍ଲକ ଅଙ୍ଗୁଳାଇ ପଂଚାୟତର କରୁତୁଙ୍ଗା ଗ୍ରାମର ପ୍ରଦୀପ ବେହେରା । ଚେନ୍ନାଇରେ ରହି ଏକ ଘରୋଇ କମ୍ପାନିରେ ସୁପରଭାଇଜର୍ ଭାବରେ ଭଲ ପାରିଶ୍ରମିକରେ ଚାକିରି କରୁଥିଲେ । କରୋନା ଲକ୍ ଡାଉନ୍ ପ୍ରଭାରେ କମ୍ପାନି ବନ୍ଦ ହୋଇଯିବା ପରେ ଘରକୁ ଚାଲିଆସିଥିଲେ ପ୍ରଦୀପ । ହେଲେ ଘରକୁ ଆସି ସେ ଚୁପ ହୋଇ ବସିନରହି ଆରମ୍ଭ କରିଥିଲେ ଏମଏସ୍ ବେହେରା ସ୍ପାଇସ୍ ( ଓପିସି ) ପ୍ରାଇଭେଟ୍ ଲିମିଟେଡ୍ ।

ଏହି କମ୍ପାନି ଅଧୀନରେ ବିଇଜ୍ ବ୍ରାଣ୍ଡ ନାମରେ ବିଭିନ୍ନ ରକମର ପ୍ରାୟ ୨୦ ପ୍ରକାରର ମସଲା ପ୍ରସ୍ତୁତ କରି ବଜାରକୁ ଛାଡିଥିଲେ । ଲଙ୍କା ଗୁଣ୍ଡ , ଧଣିଆ ଗୁଣ୍ଡ , ଗରମ ମସଲା ଗୁଣ୍ଡ , ହଳଦୀ ଗୁଣ୍ଡ , କରି ପାଉଡର୍ , ଚିକେନ୍ ମସଲା , ମିଟ୍ ମସଲା ସହିତ ଗୋଟା ସୋରିଷ , ଗୋଟା ଜୀରା , ଗୋଟା ଟଙ୍କା , ତେଜପତ୍ର ଏବଂ ଫୁଟଣ ଇତ୍ୟାଦିକୁ ପ୍ୟାକିଙ୍ଗ କରି ବଜାରକୁ ଛାଡିବା ସହିତ ବିକ୍ରିବଟା ମଧ୍ୟ କରିଥିଲେ । କମ୍ପାନିର ପ୍ରଡକ୍ଟ ସବୁକୁ କେନ୍ଦ୍ରାପଡା , ଜଗତସିଂହପର , ଯାଜପୁର ଏବଂ କଟକ ଜିଲ୍ଲାରେ ମଧ୍ୟ ମାର୍କେଟିଙ୍ଗ ଆରମ୍ଭ କରିଥିଲେ । ଭଲ କ୍ୱାଲିଟି ଏବଂ ସୁସ୍ୱାଦୁ ମସଲା ବଜାରରେ ଲୋକ ମାନଙ୍କ ଦ୍ୱାରା ଆଦୃତ ହେବା ସହିତ ଧୀରେ ଧୀରେ ତାଙ୍କର ବେପାର ମଧ୍ୟ ବଢିବାକୁ ଲାଗିଛି ।

ପ୍ରଦୀପ ଚେନ୍ନାଇରେ ଥିବା ସମୟରେ ନିଜେ କିଛି କରିବାର ସ୍ୱପ୍ନ ଦେଖୁଥିଲେ ଆଉ କରୋନା ଲକ୍ ଡାଉନରେ ଘରକୁ ଫେରିବା ପରେ ତାଙ୍କୁ ମିଳିଥିଲା ସୁଯୋଗ ଆଉ ସେ ଏହାର ସଦ୍ ଉପଯାଗ କରିଥିଲେ । ପ୍ରାୟ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଆରମ୍ଭ କରିଥିବା ମସଲା କମ୍ପାନି ଆଜି ଧୀରେ ଧୀରେ ଆଗକୁ ବଢିବା ସହିତ ବିଜନେସ୍ ମଧ୍ୟ ବଢିଛି । ପ୍ରାୟ ୨୦ ଜଣ ସ୍ଥାନୀୟ ଯୁବକଙ୍କୁ ନିଜ କମ୍ପାନିରେ ନିଯୁକ୍ତି ଦେଇଛନ୍ତି ପ୍ରଦୀପ । ପ୍ରଦୀପଙ୍କ ବିଇଜ୍ ମସଲା କମ୍ପାନି ବଜାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବେଳେ ତାଙ୍କର ଏହି ସଫଳତା ଅନ୍ୟମାନଙ୍କ ପାଇଁ ସାଜିଛି ପ୍ରେରଣା ।