ସିସୋର ଚିଟଫଣ୍ଡ ଠକେଇ ମାମଲା ! ସିବିଆଇ କଷ୍ଟୋଡିରେ ଥିବା ପ୍ରଭାତ ବିଶ୍ୱାଳ ଅସୁସ୍ଥ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

33

କନକ ବ୍ୟୁରୋ: ସିସୋର ଚିଟଫଣ୍ଡ୍ ଠକେଇ ମାମଲାରେ ସିବିଆଇ ରିମାଣ୍ଡରେ ଥିବା ବିଧାୟକ ପ୍ରଭାତ ବିଶ୍ୱାଳ ଗତକାଲି ଜେରା ବେଳେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ଫଳରେ ତାଙ୍କ ରିମାଣ୍ଡ୍ ଅବଧିର ଗୋଟିଏ ଦିନ ପୂର୍ବରୁ ସିବିଆଇ ବିଶ୍ୱାଳଙ୍କୁ କୋର୍ଟ ଚାଲାଣ କରିଛି । କୋର୍ଟରେ ଜାମିନ ନ ମିଳିବାରୁ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିଲା । ଜେଲ୍ ହସପିଟାଲରେ ଚିକିତ୍ସା କରାଯାଉଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ରାତିରେ ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଗତ ୧୯ ତାରିଖରେ ସିବିଆଇ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଥିଲା । କିନ୍ତୁ ଗତକାଲି ଅପରାହ୍ଣରେ ଜେରା ଚାଲିଥିବା ବେଳେ ହଠାତ୍ ପ୍ରଭାତ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କର ରକ୍ତଚାପ ବଢ଼ିଯିବା ସହ ଦେହରେ କମ୍ପନ ସୃଷ୍ଟି ହୋଇଥିଲା । ତେଣୁ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ତୁରନ୍ତ କ୍ୟାପିଟାଲ ହସ୍ପିଟାଲରୁ ହୃଦ୍ ରୋଗ ଓ ଭେଷଜ ବିଶେଷଜ୍ଞ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଦୁଇ ବିଶେଷଜ୍ଞଙ୍କ ପରାମର୍ଶ ପରେ ସିବିଆଇ ତାଙ୍କୁ ସଂଧ୍ୟାରେ ଅତ୍ୟନ୍ତ ତରବରିଆ ଭାବେ କୋର୍ଟ ଚାଲାଣ କରି ଦେଇଥିଲା । କୋର୍ଟରେ ସ୍ୱାସ୍ଥ୍ୟଗତ କାରଣରୁ ବିଶ୍ୱାଳଙ୍କୁ ଜାମିନ୍ ପ୍ରଦାନ କରିବାକୁ ତାଙ୍କ ଓକିଲ ପକ୍ଷ ରଖିଥିଲେ । ତେବେ କୋର୍ଟ ଜାମିନ ପ୍ରଦାନ ନ କରିବାରୁ ତାଙ୍କୁ ଝାରପଡ଼ା ଜେଲ ପଠାଇ ଦିଆଯାଇଥିଲା ।

ସିସୋର ଠକେଇ ମାମଲାରେ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସଂପୃକ୍ତି ବିଷୟ ତଦନ୍ତ ବେଳେ ସିବିଆଇ ଜାଣିବାକୁ ପାଇଥିଲା କି, ରାଜଲକ୍ଷ୍ମୀ ଜେନା ନାମକ ଜଣେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ବିଭିନ୍ନ ସମୟରେ ଶ୍ରୀ ବିଶ୍ୱାଳଙ୍କ ଆକାଉଣ୍ଟରୁ ୯.୨୬ ଲକ୍ଷ ଟଙ୍କା କାରବାର ହୋଇଛି । ତେଣୁ ରାଜଲକ୍ଷ୍ମୀଙ୍କର ସିସୋର ସଂସ୍ଥା ଓ ବିଧାୟକଙ୍କ ସହିତ କି ସମ୍ପର୍କ ରହିଛି ତାହା ଜାଣିବା ଲାଗି ଦୁଇ ଦିନ ତଳୁ ତାଙ୍କୁ ସିବିଆଇ ସମନ୍ କରିଥିଲା । ଗତକାଲି ଅପରାହ୍ଣରେ ଦିଲ୍ଲୀରୁ ଆସି ରାଜଲକ୍ଷ୍ମୀ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ପଚରାଉଚରା କରାଯାଇଥିଲା ।

ଅନ୍ୟପକ୍ଷରେ କେଉଁ ପରିସ୍ଥିତିରେ ରାଜଲକ୍ଷ୍ମୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏତେଗଡ଼ିଏ ଟଙ୍କା କାରବାର ହୋଇଥିଲା, ଏ ସମ୍ପର୍କରେ ବିଧାୟକ ବିଶ୍ୱାଳଙ୍କଠାରୁ ମଧ୍ୟ ଜାଣିବାକୁ ଚାହିଁଥିଲା ସିବିଆଇ । ରାଜଲକ୍ଷ୍ମୀ ଆସିବା ପରେ ବିଧାୟକ ବିଶ୍ୱାଳଙ୍କ ସହିତ ସାମ୍ନାସାମ୍ନି ବସାଇ ଜେରା କରିବାର କିଛି କ୍ଷଣ ମଧ୍ୟରେ ବିଧାୟକ ବିଶ୍ୱାଳ ଅସୁସ୍ଥ ହୋଇ ପଡ଼ିଥିଲେ । ତେଣୁ ତୁରନ୍ତ ଜେରା ବନ୍ଦ କରାଯାଇ ଡାକ୍ତରଙ୍କୁ ଖବର ଦିଆଯାଇଥିଲା । କ୍ୟାପିଟାଲ ହସ୍ପିଟାଲରୁ ଦୁଇ ଜଣ ଡାକ୍ତର ଆସି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କର ଚିକିତ୍ସାର ଆବଶ୍ୟକତା ରହିଥିବା କହିଥିଲେ । ତେଣୁ ସିବିଆଇ ରିମାଣ୍ଡ ଅବଧିର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ତୁରନ୍ତ କୋର୍ଟ ଚାଲାଣ କରିଥିଲା ।

ସିବିଆଇ ଅଭିଯୋଗ ମୁତାବକ, ଯାଜପୁର ବେଣାପୁର ମୌଜାରେ ସିସୋର ସହିତ ହୋଇଥିବା ଜମି କିଣାବିକା ଛଡ଼ା ବିଧାୟକ ଶ୍ରୀ ବିଶ୍ୱାଳ ବିଭିନ୍ନ ସମୟରେ ସିସୋର କମ୍ପାନି ସିଏମଡି ପ୍ରଶାନ୍ତ ଦାସଙ୍କଠାରୁ ବଡ଼ ଧରଣର ଆର୍ଥିକ ଅନୁକମ୍ପା ପାଇଛନ୍ତି । ସେହି ଅନୁକମ୍ପା ବଦଳରେ ବିଧାୟକ ଶ୍ରୀ ବିଶ୍ୱାଳ କଟକ, ଜଗତପୁର ଓ ଚୌଦ୍ୱାର ଅଞ୍ଚଳରେ ସିସୋର କାରବାର ବୃଦ୍ଧିରେ ସହଯୋଗ କରିଥିଲେ । ଫଳରେ କଟକରେ ସିସୋର କମ୍ପାନି ଡାଇରି ଫାର୍ମ, ପାଣି ବୋତଲ ଫ୍ୟାକ୍ଟିର, ନୌକାବିହାର ଆଦି ଖୋଲିବାରେ ସହାୟକ ହୋଇଥିଲା । ସିସୋର ସିଏମଡି ପ୍ରଶାନ୍ତ ଦାସ ଓ ବିଧାୟକ ଶ୍ରୀ ବିଶ୍ୱାଳଙ୍କ ମଧ୍ୟରେ କେଉଁମାନେ ମଧ୍ୟସ୍ଥ ଥିଲେ ଏ ନେଇ ବିଧାୟକଙ୍କୁ ପଚରାଉଚରା କରାଯାଇଛି । ଏବେ ବି ବିଧାୟକ ଶ୍ରୀ ବିଶ୍ୱାଳଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀ ବିଶ୍ୱାଳ ସିବିଆଇର ନଜରରେ ଅଛନ୍ତି । ତାଙ୍କୁ ମଧ୍ୟ ଯେ କୌଣସି ସମୟରେ ସିବିଆଇ ଡକାଇ ଜେରା କରିପାରେ ।

ଇଡି ତଦନ୍ତ ଆରମ୍ଭ

ସିସୋର ଠକେଇ ଘଟଣାରେ ବିଧାୟକ ପ୍ରଭାତ ବିଶ୍ୱାଳ ଗିରଫ ହେବା ପରେ ପ୍ରବର୍ତ୍ତ ନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି । ଇଡି ବିଧାୟକ ଶ୍ରୀ ବିଶ୍ୱାଳଙ୍କର ସିସୋରରେ ଆର୍ଥିକ କାରବାର ନେଇ ଖୋଳତାଡ଼ କରିବା ସହ ତାଙ୍କୁ ଜେରା କରିପାରେ ବୋଲି ସୂଚନା ମିଳିଛି । ଇଡିର ଯୁଗ୍ମ ନିର୍ଦ୍ଦେଶକ ମାଧବ ମିଶ୍ର ଓ ସହକାରୀ ନିର୍ଦ୍ଦେଶକ ଶିବାଜୀ ନାୟକ ପ୍ରମୁଖ ଗତକାଲି ସିବିଆଇ କାର୍ଯ୍ୟାଳୟରେ ପହଞ୍ଚି ସିବିଆଇ ଡିଆଇଜି ମନୀଷ ସିହ୍ନା ଓ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ପାଖାପାଖି ଏକ ଘଣ୍ଟା କାଳ ଏହି ବୈଠକ ବସିଥିଲା । ତେବେ ଏହା ଏକ ସୌଜନ୍ୟମୂଳକ ବୈଠକ ଥିଲା ବୋଲି ସିବିଆଇ ଡିଆଇଜି ମନୀଷ ସିହ୍ନା ଓ ଇଡି ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ମିଶ୍ର କହିଛନ୍ତି ।