ବେଲ୍ ନୁହେଁ ଜେଲ୍ ! ଆସିଲା ଚିଟଫଣ୍ଡ୍ ମାମଲାରେ ଫସିଥିବା ପ୍ରଭାତ ବିଶ୍ୱାଳଙ୍କ ଉପରେ ବଡ଼ ଫଇସଲା

26

pravat biswalକନକ ବ୍ୟୁରୋ : ବେଲ୍ ନାମଞ୍ଜୁର, ଜେଲ ଯିବେ ବିଧାୟକ ପ୍ରଭାତ ବିଶ୍ୱାଳ । ସିସୋର ଚିଟଫଣ୍ଡ ଲିଙ୍କ୍ ନେଇ ଗିରଫ ହୋଇଥିବା ପ୍ରଭାତ ବିଶ୍ୱାଳଙ୍କ ଜାମିନ ନାମଞ୍ଜୁର କରି ଦେଇଛନ୍ତି ସ୍ପେଶାଲ ସିଜେଏମ୍ ସିବିଆଇ କୋର୍ଟ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ବେଲ୍ ଆବେଦନ କରିଥିଲେ ପ୍ରଭାତଙ୍କ ଓକିଲ । କିନ୍ତୁ ଏହାକୁ ଗ୍ରହଣ କରି ନାହାଁନ୍ତି କୋର୍ଟ । ସିବିଆଇ ୧୮ ତାରିଖରେ ପ୍ରଭାତଙ୍କୁ ଗିରଫ କରିବା ପରେ ୫ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଥିଲା । ତେବେ ରିମାଣ୍ଡ ଅବଧି ଶେଷ ହେବା ପୂର୍ବରୁ ରିମାଣ୍ଡ ନେବାର ୪ ଦିନ ପରେ ଶୁକ୍ରବାର ଦିନ ପ୍ରଭାତଙ୍କୁ କୋର୍ଟରେ ହାଜର କରିଥିଲା ସିବିଆଇ । ଆଉ ଜେଲକୁ ଯାଇଥିଲେ ପ୍ରଭାତ । ହେଲେ ବିଳମ୍ବିତ ରାତିରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଏବଂ ଆଜି ପ୍ରଭାତଙ୍କ ଜାମିନ ମିଳିବ ନା ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଥିଲା ।

ଫସିଗଲେ ପ୍ରଭାତ, ସିବିଆଇ କଲା ଗିରଫ ! ଜାଣନ୍ତୁ ସିସୋର ସହ କଣ ଥିଲା ପୁରା ମାମଲା? କିଭଳି ଜମି ଡ଼ିଲ ପଡିଲା ମହଙ୍ଗା

Massive Bike Rally By BJD In Cuttack In Support Of Pravat Biswalପତ୍ନୀଙ୍କ ନାମରେ ହୋଇଥିବା ଜମି କିଣାବିକାକୁ ନେଇ ଚିଟଫଣ୍ଡ୍ ଠକେଇ ମାମଲା ଭିତରକୁ ଟାଣି ହୋଇଆସିଛନ୍ତି କଟକ – ଚୌଦ୍ୱାର ବିଧାୟକ ପ୍ରଭାତ ନାୟକ । ପୂର୍ବରୁ ପ୍ରଭାତଙ୍କୁ ୫ ଥର ସିବିଆଇ ଜେରା କରିଥିଲା। ୨୦୧୪  ନଭେମ୍ବରରେ ପ୍ରଭାତ ବିଶ୍ୱାଳ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀଙ୍କୁ ସିସୋର ଲିଙ୍କରେ ଜେରା କରିଥିଲା ସିବିଆଇ । ଯାଜପୁର ଜିଲ୍ଲା ବେଣାପୁର ଗାଁରେ ଲକ୍ଷ୍ମୀ ବିଳାସିନୀଙ୍କ ନାଁରେ ଏକ ଜମି ଥିଲା । ସେହି ଜମି ସିସୋର ଗ୍ରୁପକୁ ବିକ୍ରି କରାଯାଇଥିଲା । ୨୦୧୧ରେ ବିଳାସିନୀ ସେହି ଜମି ବିକିଥିଲେ। ସିବିଆଇ ସନ୍ଦେହ କରିଥିଲା ପ୍ରକୃତରେ ସିସୋର ଗ୍ରୁପକୁ ଜମି ବିକ୍ରି କରାଯାଇ ନଥିଲା। ପ୍ରଭାତ ବିଶ୍ୱାଳ ସିସୋର ଗ୍ରୁପରୁ ଟଙ୍କା ନେଇଥିଲେ। ସେହି ଟଙ୍କାକୁ ଠିକ୍ ଦର୍ଶାଇବାକୁ ଜମି କାରବାରର କାଗଜପତ୍ର ପରେ ପ୍ରସ୍ତୁତ କରାଯାଇଥିବା ସିବିଆଇ ସନ୍ଦେହ କରିଥିଲା।

ଗତ ନଭେମ୍ବର୨୬ ତାରିଖରେ ସିବିଆଇ ପକ୍ଷରୁ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀଙ୍କୁ ସମନ ଜାରି କରିଥିଲା। ନଭେମ୍ବର ୨୮ ତାରିଖରେ ଲକ୍ଷ୍ମୀ ବିଳାସିନୀ ତରଫରୁ ତାଙ୍କର ଜଣେ କର୍ମଚାରୀ ସିବିଆଇରେ ହାଜର ହୋଇଥିଲେ ଏବଂ ସମସ୍ତ କାଗଜପତ୍ର ସିବିଆଇ ନିକଟରେ ଦାଖଲ ହୋଇଥିବା ନେଇ ବିଧାୟକ କହିଥିଲେ ।ଏହା ପରେ ୨୦୧୭ ଜାନୁୟାରୀ ୧୨ରେ ପ୍ରଭାତଙ୍କ ମହାନଦୀବିହାର ବାସଭବନରେ ସିବିଆଇ ଚଢଉ କରିଥିଲା । ପ୍ରଭାତ ଓ ଲକ୍ଷ୍ମୀ ବିଳାସିନୀଙ୍କ ବ୍ୟାଙ୍କ କାରବାର ମଧ୍ୟ ଯାଞ୍ଚ କରିଥିଲା ସିବିଆଇ। ଚଳିତବର୍ଷ ଜାନୁଆରୀରେ ପ୍ରଭାତ ବିଶ୍ୱାଳଙ୍କ ସହିତ ସଂପର୍କ ଥିବା କେତେକ କଣ୍ଟ୍ରାକ୍ଟରଙ୍କୁ ସିବିଆଇ ଜେରା କରିଥିଲା। ତେବେ ସିବିଆଇର ସନ୍ଦେହ ହେଉଛି, ଏହି କଣ୍ଟ୍ରାକ୍ଟରଙ୍କ ଜରିଆରେ ସିସୋରଠାରୁ ଟଙ୍କା ନେଇଥିଲେ ଲକ୍ଷ୍ମୀ ବିଳାସିନୀ।

ଗତ ଜାନୁଆରୀ ୧୨ ତାରିଖରେ ସିବିଆଇ ସିସୋର-ପ୍ରଭାତ ବିଶ୍ୱାଳ ଲିଙ୍କରେ ରାଜ୍ୟର ୩୬ଟି ସ୍ଥାନରେ ଚଢ଼ାଉ କରିଥିଲା। ପ୍ରଭାତ ବିଶ୍ୱାଳଙ୍କ ଭୁବନେଶ୍ୱର ଓ କଟକ ବାସଭବନ ସମେତ ଅନେକ ସ୍ଥାନରେ ଚଢ଼ାଉ ହୋଇଥିଲା।ଏହି ଚଢାଉ ବେଳେ  ସିବିଆଇ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିଲା।

ପ୍ରଭାତଙ୍କ ଗିରଫ ପଛରେ ରାଜେନୈତିକ ଉଦ୍ଦେଶ୍ୟ : ବିଜେଡି

dama routତେବେ ପ୍ରଭାତ ବିଶ୍ୱାଳଙ୍କ ଗିରଫଦାରୀ ପରେ ରାଜନୈତିକ ମହଲରେ ବୟାନବାଜୀ ଆରମ୍ଭ ହୋଇଛି ।ସିସୋର ଜମି କାରବାର ମାମଲାରେ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଦାମୋଦର ରାଉତ । ସିବିଆଇ କାହା ପ୍ରରୋଚନାରେ କାର୍ଯ୍ୟାନୁଷ୍ଠାନ କରୁଥିଲେ ତାହା ନିନ୍ଦନୀୟ ବୋଲି ଦାମ କହିଛନ୍ତି । ଯିଏ ଦୋଷୀ ହୋଇଥିବା ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଦାମ କହିଛନ୍ତି । ଏହାସହ ପ୍ରଭାତ ଗିରଫ ହେବା ନେଇ ବିଜେଡିକୁ ଦାୟୀ କରିପାରିବେନି ବୋଲି ଦାମୋଦର ରାଉତ କହିଛନ୍ତି । ସେପଟେ ପ୍ରଭାତ ବିଶ୍ୱାଳଙ୍କ ରାତିଅଧିଆ ଗିରଫଦାରୀକୁ ନିନ୍ଦା କରିଛନ୍ତି ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ । ପ୍ରଭାତଙ୍କ ଗିରଫ ପଛରେ ରାଜେନୈତିକ ଉଦ୍ଦେଶ୍ୟ ରହିଥିବା କହିଛନ୍ତି ଦେବାଶିଷ । ଏହାସହ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ସିବିଆଇ ଏହା କରିଥିବା ଦେବାଶିଷ କହିଛନ୍ତି । ପ୍ରଭାତ ବିଶ୍ୱାଳଙ୍କ ଗିରଫଦାରୀ ପରେ ପ୍ରତିକ୍ରିୟା ରଖିଛି ବିଜେଡି । ପ୍ରଭାତଙ୍କ ଗିରଫ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ।

ପ୍ରଭାତ ବିଶ୍ୱାଳଙ୍କ ଗିରଫଦାରୀ ପରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ଭାଇ ଆର୍ତରଂଜନ ବିଶ୍ୱାଳ । ପ୍ରଭାତଙ୍କ ଗିରଫଦାରୀ ଏକ ରାଜେନ÷ତିକ ଷଡଯନ୍ତ୍ର ବୋଲି ଆର୍ତରଂଜନ କହିଛନ୍ତି । ଏହାସହ ସିବିଆଇର ତଦନ୍ତ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସିବିଆଇ ନିରପେକ୍ଷ ତଦନ୍ତ କରୁନାହିଁ ଏବଂ ନିର୍ଦ୍ଧିଷ୍ଟ ଦଳ ଇଙ୍ଗିତରେ ସିବିଆଇ କାମ କରୁଛି ବୋଲି କହିଛନ୍ତି । ଜମି କିଣାବିକାକୁ ନେଇ ଟଙ୍କା ନେଣଦେଣ ହୋଇଛଇ କିନ୍ତୁ ଏଥିରେ କୌଣସି ଅପରାଧିକ କାର୍ଯ୍ୟ ହୋଇନାହିଁ ବୋଲି ପ୍ରଭାତଙ୍କ ଭାଇ ଆର୍ତରଂଜନ କହିଛନ୍ତି ।

ପ୍ରଭାତ ବିଶ୍ୱାଳଙ୍କ ଗିରଫଦାରୀ ପରେ ପ୍ରତିକ୍ରିୟା ରଖିଛନ୍ତି ସୁବାସ ସିଂହ । ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ବିଜେପି ଏଭଳି କରିଛି ବୋଲି ସୁବାସ ସିଂହ କହିଛନ୍ତି । ୪ବର୍ଷ ଧରି ସିବିଆଇ କଣ କରୁଥିଲା ବୋଲି ପ୍ରଶ୍ନ କରିବା ସହ ବିଜେପିର ହାତବାରିସି ସାଜିଛି ସିବିଆଇ ବୋଲି ସେ କହିଛନ୍ତି । ଏହାସହ ପ୍ରଭାତ ଦୋଷୀ ହୋଇଥିଲେ ଦଣ୍ଡ ପାଇବେ ବୋଲି ସୁବାସ କହିଛନ୍ତି ।

ଧର୍ମର ହୋଇଛି ଜୟ : ବିଜେପି

ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିବା ପରେ ପ୍ରତିକ୍ରିୟା ରଖିଛି ବିଜେପି । ମହାଳୟାରେ ଧର୍ମର ଜୟ ହୋଇଛି ଏବଂ ବିଜେଡିର ମୁଖା ଖୋଲିଛି ବୋଲି ଲେଖାଶ୍ରୀ କହିଛନ୍ତି । ୧୫ବର୍ଷ ଧରି ବିଜେଡି ଜମାକାରୀଙ୍କ ଟଙ୍କା ଲୁଟୁଥିବାବେଳେ ସିବିଆଇର ଏହି ପଦକ୍ଷେପକୁ ସମସ୍ତେ ସ୍ୱାଗତ କରିବା ଉଚିତ ବୋଲି ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ସେପଟେ ପ୍ରଭାତଙ୍କ ଗିରଫଦାରୀ ପରେ ପ୍ରତିକ୍ରିୟା ରଖିଛି କଂଗ୍ରେସ । ସିବିଆଇ ଗିରଫଦାରୀକୁ ସ୍ୱାଗତ କରୁଛୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଭୁଜବଳ ମାଝୀ । ବିଜେଡିର ମନ୍ତ୍ରୀ, ବିଧାୟକ ଚିଟଫଣ୍ଡରେ ସମ୍ପୃକ୍ତ ଓ କଂଗ୍ରେସ ଚାହୁଁଛି ଯେଉଁମାନେ ଚିଟଫଣ୍ଡରେ ସମ୍ପୃକ୍ତ ସମସ୍ତଙ୍କୁ ଗିରଫ କରାଯାଉ ବୋଲି ଭୁଜବଳ କହିଛନ୍ତି । ସିବିଆଇ ପାଖରେ ଠୋସ ପ୍ରମାଣ ଥଇବାରୁ ତାଙ୍କୁ ଗିରଫ କରାଯାଇଛି । ଏବଂ ଗିରଫ ହେଲା ପରେ ବିଜେଡି କହିବ ଯେ, ଗିରଫଦାରୀ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଭୁଜବଳ କହିଛନ୍ତି ।

ତେବେ ପ୍ରଭାତ ବିଶ୍ୱାଳ ଅସୁସ୍ଥ ଅଛନ୍ତି, ତାଙ୍କର ଅସ୍ତ୍ରୋପଚାର ହୋଇଛି । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ଆବେଦନ କରାଯିବ ବୋଲି ପ୍ରଭାତଙ୍କ ଓକିଲ କହିଛନ୍ତି ।