ପଦ୍ମ ଧରିଲେ ପ୍ରଭାସ ସିଂ: ଦିଲ୍ଲୀରେ ବିଜେପିରେ ହେଲେ ସାମିଲ

148

କନକ ବ୍ୟୁରୋ: ସପ୍ତାହେ ତଳେ ବିଜେଡିକୁ ବାଏ ବାଏ କରିଥିବା ନେତା ଏବେ ବିଜେପି ଶିବିରରେ । ୨୦୧୯ ପରେ ୨୪ରେ ବି ମିଳିଲା ନାହିଁ ଟିକେଟ୍ । ପୁରଣ ହେଲା ନାହିଁ ଆଶା । ତେଣୁ ବିଜେଡିରୁ ଇସ୍ତଫା ଦେଇଥିବା ପଶ୍ଚିମ ଓଡିଶାର ଜଣାଶୁଣା ଚେହେରା ପୂର୍ବତନ ସାଂସଦ ପ୍ରଭାସ ସିଂ ଆଜି ଦିଲ୍ଲୀରେ ବିଜେପିରେ ସାମିଲ ହୋଇଛନ୍ତି । ପଦ୍ମ ଧରିବା ପରେ ବିଜୁ ଜନତା ଦଳ ବିରୋଧରେ ଅସନ୍ତୋଷ ଝାଡିଛନ୍ତି ।

ପଶ୍ଚିମ ଓଡିଶାର ଜଣାଶୁଣା ଚେହେରା ତଥା ବରଗଡର ପୂର୍ବତନ ସାଂସଦ ପ୍ରଭାସ କୁମାର ସିଂହ, ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ ସେ ଦଳରେ ସାମିଲ ହୋଇଛନ୍ତି । ବିଜେପିରେ ଯୋଗ ଦେବା ପରେ ପ୍ରଭାସ ବିଜେଡି ଉପରେ ଅସନ୍ତୋଷ ଝାଡିବା ସହ ଓଡିଶାରେ ଡବଲ ଇଞ୍ଜିନ ସରକାର ଆବଶ୍ୟକ ବୋଲି କହିଛନ୍ତି ।

୨୦୧୪ରେ ବିଜେଡି ଟିକେଟରେ ବରଗଡ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ପ୍ରଭାସ । ୨୦୧୯ କିନ୍ତୁ ଦଳ ତାଙ୍କ ବଳଦରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପରେ ଭରଷା କରିଥିଲା । ଶେଷରେ ବରଗଡରୁ ପରିଣୀତା ମିଶ୍ରଙ୍କୁ ବିଜେଡି ସାଂସଦ ପ୍ରାର୍ଥୀ କରିବା ପରେ, ସପ୍ତାହକ ତଳେ ପ୍ରଭାସ ଦଳରୁୁ ଇସ୍ତଫା ଦେଇଥିଲେ ।

ନିକଟରେ ବିଜେଡି ଛାଡିଥିବା ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଜ୍ୟୋତି ପାଣିଗ୍ରାହୀଙ୍କ ସହ ବଲାଙ୍ଗୀରର ବରିଷ୍ଠ ଆଇନଜୀବୀ ସରୋଜ ପାଣିଗ୍ରାହୀ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ଏଥିସହ ସହ ବିଜେଡି ଛାଡି ନୂଆପଡ଼ାର ବହୁ ଯୁବ ନେତା ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଦଳରେ ସାମିଲ ହୋଇଛନ୍ତି । .. ସେହିପରି ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଏବଂ ଜୟନ୍ତ ଷଡଙ୍ଗୀଙ୍କ ଉପସ୍ଥିତିରେ ଆଇନଜୀବୀ ପ୍ରସନ୍ନ ମିଶ୍ର ଓ ତାଙ୍କ ସମର୍ଥକ ପଦ୍ମ ଧରିଛନ୍ତି ।

ଅନ୍ୟମାନଙ୍କ ଭଳି ବିଜେପି ପ୍ରତି ଆକୃଷ୍ଠ ହୋଇ ଦଳରେ ମିଶିଛନ୍ତି ଭୁବନେଶ୍ୱରରେ କାରରେ ଖାଦ୍ୟ ପରସି ଚର୍ଚ୍ଚାରେ ଥିବା ଦୁଇ ଯା’ ନେହା ପାଣିଗ୍ରାହୀ ଓ ରଶ୍ମିତା ଦାଶ । ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ଦଳରେ ମିଶିଛନ୍ତି । ଏହି ଦୁଇ ଯା’ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ।

ନିର୍ବାଚନ ସମୟରେ ଦଳରେ ନେତା ଗୋଟିଏ ଦଳ ଛାଡି ଆଉ ଗୋଟିଏ ଦଳରେ ମିଶିବା, କିଛି ନୂଆ କଥା ନୁହେଁ । କିନ୍ତୁ ଯେଉଁମାନେ ମିଶୁଛନ୍ତି, ସେମାନେ ଦଳ ପାଇଁ କେତେ ଲାଭ ଦେବେ ତା ଉପରେ ନଜର ରହିବ ।