ଚଳିତ ନଭେମ୍ବର ଏବଂ ଡିସେମ୍ବର ଚଳଚ୍ଚିତ୍ର ଶିଳ୍ପ ପାଇଁ ଖୁବ ଖାସ ହେବାକୁ ଯାଉଛି । ଏହି ଦୁଇ ମାସ ମଧ୍ୟରେ ଅନେକ ବଡ ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଏଥିରେ ପ୍ରଭାସଙ୍କ 'ସାଲାର ପାର୍ଟ-1 ',  ସଲମାନ ଖାନଙ୍କ ଟାଇଗର-3'', ଶାହାରୁଖ ଖାନଙ୍କ 'ଡିଙ୍କି' ଅନ୍ତର୍ଭୁକ୍ତ ।  'ପୁଷ୍ପା ୨'ର କଥା ମଧ୍ୟ ଆଲୋଚନାରେ ଅଛି । ଯାହା ଆସନ୍ତା ବର୍ଷ ଅଗଷ୍ଟ ୧୫ ରେ ମୁକ୍ତିଲାଭ କରିବ।

ଏଭଳି ପରିସ୍ଥିତିରେ, 'ବୁକ୍ ମାଇ ସୋ' ଆପ୍ ରେ ଏହି ସମସ୍ତ ସିନେମା ମଧ୍ୟରୁ ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ 'ସାଲାର୍' ଚଳଚ୍ଚିତ୍ର ସବୁଠାରୁ ଆଗରେ ଅଛି । ପ୍ରଭାସଙ୍କ ଅଭିନୀତ ତଥା ପ୍ରଶାନ୍ତ ନୀଲ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ସାଲାର-1' ଡିସେମ୍ବର ୨୨ ରେ ମୁକ୍ତିଲାଭ କରିବାକୁ ଯାଉଛି । ଏହାର ଆକ୍ସନ୍-ପ୍ୟାକ୍ଡ଼ ଟିଜର ଖୁବ ଦମଦାର ହେଇଛି ।  ଯାହା ଫିଲ୍ମ ବିଷୟରେ ଦର୍ଶକଙ୍କ ମଧ୍ୟରେ ଏକ ଭିନ୍ନ ଉତ୍ସାହ ସୃଷ୍ଟି କରିଛି । ବର୍ତ୍ତମାନ ଟିଜର ରିଲିଜ୍ ହେବା ପରଠାରୁ ଦର୍ଶକ ଉତ୍ସାହର ସହିତ ଫିଲ୍ମର ରିଲିଜକୁ ଅପେକ୍ଷା କରିଛନ୍ତି ଏବଂ ଏହାର ପ୍ରମାଣ ଭାରତର ସର୍ବବୃହତ ଡିଜିଟାଲ ଟିକେଟ୍ ବୁକିଂ ଆପ୍ 'ବୁକ୍ ମାଇ ସୋ'ରେ ଦେଖିବାକୁ ମିଳିଛି । ଯେଉଁଠାରେ ଏହି ଫିଲ୍ମକୁ ବହୁ ପ୍ରତିକ୍ଷିତ ତାଲିକାରେ ସ୍ଥାନିତ କରିଛି । ଏହା ଅନ୍ୟ ସମସ୍ତ ପ୍ରମୁଖ ଫିଲ୍ମକୁ ପଛରେ ପକାଇଦେଇଛି ।

ବୁକ୍ ମାଇ ଶୋ ଆପ୍ ରେ ଚଳଚ୍ଚିତ୍ର ରିଲିଜ ପାଇଁ  ଆଗ୍ରହୀ ଦର୍ଶକଙ୍କ ସଂଖ୍ୟା ଦେଖାଇଥାଏ । ଏହି  ତାଲିକାରେ ପ୍ରଭାସଙ୍କ ସାଲାର୍ ରିଲିଜ୍ ପାଇଁ ୪୨୯.୯  ହଜାର ଲୋକ ଆଗ୍ରହୀ ଅଛନ୍ତି । ୨୭୧.୧  ହଜାର ଲୋକ ସଲମାନ ଖାନଙ୍କ 'ଟାଇଗର 3' ପ୍ରତି ଆଗ୍ରହ ଦେଖାଇଥିବାବେଳେ ୧୨୦.୩ ହଜାର ଲୋକ ଅଲୁ ଅର୍ଜୁନଙ୍କ 'ପୁଷ୍ପା 2: ପ୍ରତି ଆଗ୍ରହ ଦେଖାଇଛନ୍ତି ଏବଂ ୯୭.୫ ହଜାର ଲୋକ ଶାହାରୁଖ ଖାନଙ୍କ 'ଡିଙ୍କି' ପ୍ରତି ଆଗ୍ରହ ଦେଖାଇଛନ୍ତି ।