କନକ ବ୍ୟୁରୋ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ବଢିଲା ଅଡୁଆ । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ପଡିଲାଣି ଚାପ । ଆଉ ଏସବୁ ଭିତରେ ବିରୋଧୀ ଦଳ ଇମ୍ରାନ ଖାନଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିଛନ୍ତି । ଆଉ ଏହି ପ୍ରସ୍ତାବକୁ ବିରୋଧୀ ଦଳର ୮୬ ଜଣ ସଦସ୍ୟ ସମର୍ଥନ କରିଛନ୍ତି । ଏହି ପ୍ରସ୍ତାବ ଆଣିବାକୁ ୬୮ ଜଣ ସଦସ୍ୟଙ୍କର ସହମତି ଆବଶ୍ୟକ । ଯେହେତୁ ୮୬ ଜଣ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି ତେଣୁ ଅବିଶ୍ୱାସ ପ୍ରସ୍ତାବ ପାଇଁ ଅଧିବେଶନ ଡକାଯିବା ଏକପ୍ରକାର ସ୍ପଷ୍ଟ ହୋଇଛି । ଆଗାମୀ ୩ରୁ ୭ ଦିନ ମଧ୍ୟରେ ଏହି ପ୍ରସ୍ତାବ ବାବଦରେ ଆଲୋଚନା ପାଇଁ ଅଧିବେଶନ ଡକାଯିବ । ଆଉ ଏହାକୁ ଦୃଷ୍ଟିରେ ରଖି ଉଭୟ ବିରୋଧୀ ଦଳର ସାଂସଦ ମାନଙ୍କୁ ଏକାଠି ଗୋଟିଏ ସ୍ଥାନରେ ରହିବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କାରଣ ଆଗାମୀ ଦିନ ଗୁଡିକ ପାକିସ୍ତାନ ପାଇଁ ରାଜନୈତିକ ଦୃଷ୍ଟି କୋଣରୁ ବେଶ ଗୁରୁତ୍ୱ ବହନ କରିବାକୁ ଯାଉଛି ।

Advertisment

ମୁଖ୍ୟ ବିରୋଧୀ ଦଳ ମଙ୍ଗଳବାର ଇମ୍ରାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିବା ସହ ପଦ ଛାଡିବା ଦାବି କରି ରାଲି କରିଥିଲେ । ପାକିସ୍ତାନର ଅର୍ଥବ୍ୟବସ୍ଥାକୁ ଦୁର୍ବଳ କରିବା ଠାରୁ ଆରମ୍ଭ କରି ଶାସନ କ୍ଷମତାର ଦୁରୁପଯୋଗ କରୁଥିବା ନେଇ ଅଭିଯୋଗ ଆଣିଛି ବିରୋଧୀ । ପିପିପିର ନେତା ବିଲାବଲ ଭୁଟ୍ଟୋ କହିଛନ୍ତି, ଆଗାମୀ ୨୪ ଘଣ୍ଟାରେ ଇମ୍ରାନ ଖାନ୍ ଇସ୍ତଫା ଦିଅନ୍ତୁ ଏବଂ ନିର୍ବାଚନର ସାମ୍ନା କରନ୍ତୁ ନଚେତ ଅବିଶ୍ୱାସ ପ୍ରସ୍ତାବ ପାଇଁ ପ୍ରସ୍ତୁତ ରୁହନ୍ତୁ ।

୨୦୧୮ରେ ଇମ୍ରାନ ଖାନ୍ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ । ସେନା ସହଯୋଗରେ ଇମ୍ରାନ କ୍ଷମତା ଦଖଲ କରିଥିବା ନେଇ ସେତେବେଳେ ଚର୍ଚ୍ଚା ହୋଇଥିଲା । କିନ୍ତୁ ଏବେ ଇମ୍ରାନ ସରକାର ଉପରୁ ସେନା ନିଜର ସମର୍ଥନ ଫେରାଇ ନେଇଥିବା କୁହାଯାଉଛି ।