ମୋଦିଙ୍କ ମହିଳା ମନ୍ତ୍ରୀ ! ଜାଣନ୍ତୁ କିଏ ସେହି ଶକ୍ତିଶାଳୀ ନାରୀନେତ୍ରୀ

83

କନକ ବ୍ୟୁରୋ : ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ କେବଳ ପୁରୁଷଙ୍କୁ ଗୁରୁତ୍ୱ ଦିଆଯାଇନି । ସମାନ ପରିମାଣରେ ମହିଳାଙ୍କୁ ବି ଶକ୍ତିଶାଳୀ କରାଯାଇଛି । ଦେଶର ୪ଜଣ ବରିଷ୍ଠ ନାରୀନେତ୍ରୀଙ୍କୁ ସ୍ଥାନ ମିଳିଛି କେନ୍ଦ୍ର କ୍ୟାବିନେଟରେ । ଆଜିର ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ବି ଏହି ଚିତ୍ରକୁ ଦେଖିବାକୁ ମିଳିଛି । ନିର୍ମଳା ସୀତାରମଣଙ୍କୁ ଦେଶର ପ୍ରତିରକ୍ଷା ବିଭାଗ ଦେଇ ମୋଦି ମହିଳାଙ୍କ ଗୁରୁତ୍ୱ ବଢ଼ାଇଦେଇଥିବା କୁହାଯାଉଛି ।

ମୋଦିଙ୍କ କ୍ୟାବିନେଟରେ ମହିଳା ମନ୍ତ୍ରୀ । ଜଣେ କି ଦୁଇଜଣ ନୁହଁନ୍ତି ଚାରି ଚାରି ଜଣ । ଅଭିଜ୍ଞତା ଯେମିତି ରାଜନୈତିକ ପାରଦର୍ଶିତା ବି ସେମିତି । କେହି କାହା ଠାରୁ କମ ନୁହଁନ୍ତି । ପୁଣି ସମସ୍ତଙ୍କୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ । ଦେଶର ବିକାଶରେ ମହିଳାଙ୍କ ଭାଗିଦାରୀକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଏହା ପ୍ରଦାନମନ୍ତ୍ରୀଙ୍କ ବଡ ପଦକ୍ଷେପ ବୋଲି କୁହାଯାଉଛି ।

ନିର୍ମଳା ସୀତାରମଣ-

ବର୍ତ୍ତମାନର ପ୍ରତିରକ୍ଷା ମନ୍ତ୍ରୀ । ଦେଶର ସୁରକ୍ଷା ଦାୟିତ୍ୱ ତାଙ୍କ ଉପରେ । କର୍ଣ୍ଣାଟକରୁ ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇ ଛନ୍ତି ନିର୍ମଳା । ତାମିଲ ନାଡୁର ମଦୂରାଇରେ ଜନ୍ମ ନେଇଥିବା ନିର୍ମଳା ସୀତାରମଣ ସୀତାଲକ୍ଷ୍ମୀ ରାମାସ୍ୱାମୀ କଲେଜରୁ ବିଏ ସାରିବା ପରେ ୧୯୮୦ ଜବାହର ଲାଲ ନେହେରୁ ୟୁନିଭରସିଟିରୁ ଅର୍ଥନୀତିରେ ସ୍ନାତକ ଶେଷ କରିଛନ୍ତି । ଇଣ୍ଡୋ-ୟୁରୋପିଆନ ଟେକ୍ସଟାଇଲ ଟ୍ରେଡରେ ପିଏଚଡି ମଧ୍ୟ କରିଛନ୍ତିି ସେ । ଜାତୀୟ ମହିଳା କମିଶନଙ୍କ ସଦସ୍ୟ ଭାବେ ମଧ୍ୟ ତାଙ୍କର ଅଭିଜ୍ଞତା ରହିଛି ।

ତାଙ୍କର ରାଜନୈତିକ କ୍ୟାରିୟର ବି ବେଶ ଲମ୍ବା । ୨୦୦୬ରେ ସେ ଭାତୀୟ ଜନତା ପାର୍ଟିରେ ଯୋଗ ଦିଅନ୍ତି । ଆଉ ୨୦୧୦ରେ ତାଙ୍କୁ ପାର୍ଟି ମୁଖପାତ୍ର ଭାବେ ଦାୟିତ୍ୱ ଦିଏ । ଏହାପର ଠାରୁ ପାର୍ଟିରେ ତାଙ୍କର ଗୁରୁତ୍ୱ ବଢ଼ିଛି । ଆନ୍ଧ୍ରପ୍ରଦେଶରୁ ରାଜ୍ୟସଭା ନିର୍ବାଚନରେ ସେ ବିଜୟୀ ହୋଇଥିଲେ ।

୨୦୧୬ରେ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସେ ସ୍ଥାନ ପାଆନ୍ତି ରାଷ୍ଟ୍ରମନ୍ତ୍ରୀ ଭାବେ । ଶିଳ୍ପ ଓ ବାଣିଜ୍ୟର ସ୍ୱାଧୀନ ଦାୟିତ୍ୱ ସହ ଜେଟଲୀଙ୍କ ଅଧୀନରେ ଅର୍ଥ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲେ । ଆଉ ଏବେ ଦେଶର ଦ୍ୱିତୀୟ ମହିଳା ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ସେ । ୧୯୮୦ରେ ଇନ୍ଦିରା ଗାନ୍ଧୀ ଏହି ପଦ ସମ୍ଭାଳିଥିବା ବେଳେ ଏବେ ୩୭ ବର୍ଷ ପରେ ଦେଶ ଦ୍ୱିତୀୟ ମହିଳା ପ୍ରତିରକ୍ଷା ମନ୍ତ୍ରୀ ପାଇଛି । ତେବେ ଇନ୍ଦିରା ପ୍ରଧାନମନ୍ତ୍ରୀ ପଦ ସହ ଏହି ବିଭାଗକୁ ନିଜ ଅଧୀନରେ ରଖିଥିଲେ କିନ୍ତୁ ପୂର୍ଣ୍ଣକାଳୀନ ମନ୍ତ୍ରୀ ଭାବେ ନିର୍ମଳା ହେଉଛନ୍ତି ଦେଶର ପ୍ରଥମ ମହିଳା ପ୍ରତିରକ୍ଷା ମନ୍ତ୍ରୀ ।

ସୁଷମା ସ୍ୱରାଜ-

ବର୍ତ୍ତମାନର ବୈଦେଶିକ ବ୍ୟାପାର ମନ୍ତ୍ରୀ । ଦେଶର ଅନ୍ୟତମ ପ୍ରଭାବଶାଳୀ ମହିଳା ତଥା ସୁପ୍ରିମକୋର୍ଟର ଓକିଲ । ସୁଷମା ମଧ୍ୟ ଦେଶର ଦ୍ୱିତୀୟ ମହିଳା ବୈଦେଶିକ ମନ୍ତ୍ରୀ ଭାବେ ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହି ଦାୟିତ୍ୱରେ ଥିଲେ ।

ସୁଷମାଙ୍କ ରାଜନୈତିକ ଅଭିଜ୍ଞତା ବି ବେଶ ଅଧିକ । ସେ ୭ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ଓ ତିନିଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ୧୯୭୭ରେ ତାଙ୍କୁୁ ମାତ୍ର ୨୫ ବର୍ଷ ବୟସରେ ସେ ଦେଶର ସବୁଠୁ କନିଷ୍ଠ ମନ୍ତ୍ରୀ ଭାବେ କ୍ୟାବିନେଟ ପାହ୍ୟା ପାଇଥିଲେ ହରିୟାନା ସରକାରରେ । ୧୯୯୮ରେ ସେ ଦିଲ୍ଲୀର ପଞ୍ଚମ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଲାଭ କରିଛନ୍ତି ।

ସଂସ୍କୃତ ଓ ରାଜନୀତି ବିଜ୍ଞାନରେ ବ୍ୟାଚଲର ଡିଗ୍ରୀ ହାସଲ କରିଥିବା ସୁଷମା ପଞ୍ଜାବ ୟୁନିଭରିସିଟିରୁ ଲ’ ଶେଷ କରିଛନ୍ତି । ପରେ ୧୯୭୩ରେ ସେ ସୁପ୍ରିମକୋର୍ଟରେ ଆଇନଜିବୀ ପ୍ରାକ୍ଟିସ କରିଥିଲେ । ୨୦୧୪ ନିର୍ବାଚନରେ ସୁଷମା ପ୍ରାୟ ୪ଲକ୍ଷ ଭୋଟରେ ମଧ୍ୟ ପ୍ରଦେଶର ଭିଦିଶା ଆସନରୁ ବିଜୟୀ ହୋଇଛନ୍ତି । ଏହାପରେ ୨୦୧୪ରେ ସେ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମନ୍ତ୍ରୀପଦ ପାଇଥିଲେ ।

ସ୍ମୃତି ଜୁବୀନ ଈରାନୀ-

ବର୍ତ୍ତମାନର ସୂଚନା ଓ ପ୍ରସାରଣ ଏବଂ ବୟନ ଶିଳ୍ପ ମନ୍ତ୍ରୀ । ଜଣେ ପୂର୍ବତନ ମଡେଲ, ଟେଲିଭିଜନ ଅଭିନେତ୍ରୀ ଓ ପ୍ରଯୋଜିକା । ଗୁଜୁରାଟରୁ ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ସ୍ମୃତି । ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ସହ ତାଙ୍କ ପରିବାର ଯୋଡି ହୋଇଥିବାରୁ ପିଲା ଦିନୁ ସେ ମଧ୍ୟ ସଂଘ ସହ ଜଡିତ ।

୨୦୦୩ରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦିଅନ୍ତି ସ୍ମୃତି । ୨୦୦୪ରେ ମହାରାଷ୍ଟ୍ର ଯୁବ ଶାଖାର ଉପ-ସଭାପତି ହେଲେ । ସେହିବର୍ଷ ସାଧାରଣ ନିର୍ବାଚନରେ ଦିଲ୍ଲୀ ଚାନ୍ଦିନୀ ଚୌକ ଆସନରୁ ସେ ସାଂସଦ ଭାବେ ନିର୍ବାଚନ ଲଢ଼ିଥିଲେ ବି କପିଲ ଶିବଲଙ୍କ ଠାରୁ ପରାସ୍ତ ହୋଇଥିଲେ । ୨୦୧୧ରେ ସେ ଗୁଜୁରାଟରୁ ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି । ୨୦୧୪ରେ ଆମେଥୀରେ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ନିର୍ବାଚନ ଲଢ଼ି ସେ ଚର୍ଚ୍ଚାକୁ ଆସିଥିଲେ । ଯଦିଓ ସେ ପରାସ୍ତ ହୋଇଥିଲେ ତଥାପି ତାଙ୍କୁ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ମାନବସମ୍ବଳ ବିଭାଗ ମିଳିଥିଲା ।

ତେବେ ୨୦୧୬ କ୍ୟାବିନେଟ ଅଦଳବଦଳରେ ସ୍ମୃତିଙ୍କ ଠାରୁ ମାନବସମ୍ବଳ ବିଭାଗ କାଢ଼ି ନିଆଗଲା ଓ ତାଙ୍କୁ ବୟନ ଶିଳ୍ପ ବିଭାଗ ଦିଆଗଲା । ଶିକ୍ଷାଗତ ଯୋଗ୍ୟତା ଆଫିଡେଭିଟ ନେଇ ବିବାଦ ଉପୁଜିବା ଓ ଜେଏନୟୁ ଛାତ୍ର ରୋହିତ ବେମୁଲାଙ୍କ ମୃତ୍ୟୁ ବିବାଦ ପରେ ତାଙ୍କ ଠାରୁ ଏହି ବିଭାଗ କାଢ଼ି ନିଆଯାଇଥିଲା ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା । ୨୦୧୭ ଜୁଲାଇରେ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଭେଙ୍କିୟା ନାଇଡୁ ମନ୍ତ୍ରୀପଦରୁ ଇସ୍ତଫା ଦେବା ପରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ମିଳିଥିଲା ସ୍ମୃତିଙ୍କୁ । ସେବେଠାରୁ ସେ ଏହି ଦୁଇ ବିଭାଗର ଦାୟିତ୍ୱରେ ରହିଛନ୍ତି ।

ଉମା ଭାରତୀ-

କେନ୍ଦ୍ର କ୍ୟାବିନେଟରେ ପାନୀୟ ଜଳ ଓ ପରିମଳ ବିଭାଗ ମନ୍ତ୍ରୀ । ବିଭିନ୍ନ ସମୟରେ କୋଇଲା ଓ ଖଣିଜ ପରିବହନ, ମାନବସମ୍ବଳ, ପର୍ଯ୍ୟଟନ, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ଉମା ମଧ୍ୟ ମୋଦିଙ୍କ କ୍ୟାବିନେଟର ବେଶ ପ୍ରଭାବଶାଳୀ ମନ୍ତ୍ରୀ ।

୧୯୮୪ରେ ସେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଥମେ ବିଜୟ ରାଜେ ସିନ୍ଧିଆଙ୍କ ବିରୁଦ୍ଧରେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । କିନ୍ତୁ ୧୯୮୯ରେ ଖଜୁୁରାହୋ ଆସନରୁ ବିଜୟ ହାସଲ କରିବା ପରେ କ୍ରମାଗତ ଭାବେ ୧୯୯୧, ୧୯୯୬ ଓ ୧୯୯୮ରେ ଏହି ବିଜୟ ଲହର ଜାରୀ ରଖିଥିଲେ । ୧୯୯୧ରେ ସେ ଭୋପାଳରୁ ନିର୍ବାଚନ ଲଢ଼ିଥିଲେ ।

୨୦୧୪ରେ ନରେନ୍ଦ୍ର ମୋଦି ସରକାରରେ ଉମାଙ୍କୁ ମିଳିଥିଲା ଗୁରୁତ୍ୱପୁର୍ଣ୍ଣ ଜଳସଂପଦ ବିଭାଗ । ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ ଗଙ୍ଗା ସଫେଇ ଦାୟିତ୍ୱ ବି ଥିଲା ଉମାଙ୍କ ଉପରେ । ତେବେ ଆଜିର ମନ୍ତ୍ରିମଣ୍ଡଳ ଅଦଳବଦଳରେ ଉମାଙ୍କ ପାଖରୁ ଜଳ ସଂପଦ, ନଦୀ ପରିଚାଳନା ଓ ଗଙ୍ଗା ସଫେଇ ବିଭାଗ କାଢ଼ି ନିଆଯାଇ ତାଙ୍କୁ ପାନୀୟ ଜଳ ଓ ପରିମଳ ବିଭାଗ ମିଳିଛି । ଦୁଇଦିନ ପୂର୍ବରୁ ଉମା ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିବା ବେଳେ ଆଜି ତାଙ୍କ ବିଭାଗରେ ଅଦଳ ବଦଳ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ସ୍ୱଚ୍ଛ ଭାରତ ଓ ଘରେ ଘରେ ଶୌଚାଳୟ ବ୍ୟବହାର ପାଇଁ ଅପିଲ କରୁଥିବା ବେଳେ ଉମା ଭାରତୀ ଦକ୍ଷତାର ସହ ଏହି ବିଭାଗକୁ ତୁଲାଇବା ନେଇ ଆଶା କରାଯାଉଛି ।

ପୁରଷ କୈନ୍ଦ୍ରିକ ସମାଜରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଉନଥିବା କୁହାଯାଉଥିବା ବେଳେ କେନ୍ଦ୍ର କ୍ୟାବିନେଟରେ ମହିଳାଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିବା ପରେ ଦେଶ ନିର୍ମାଣରେ ମହିଳାଙ୍କ ଗୁରୁତ୍ୱ ବଢ଼ିବ ବୋଲି ଏକ ବାର୍ତ୍ତା ଯିବ ନିଶ୍ଚିତ ।