ମହାରାଷ୍ଟ୍ର ରାଜନୀତିର ପିତାମହ ‘ପାୱାର’ଙ୍କ ରଣନୀତି ଆଗରେ ଫେଲ୍ ମାରିଲା ବିଜେପି ଚାଣକ୍ୟଙ୍କ ଚାଲ୍ । ଅଧାରେ ଅଟକିଲା ‘ଅପରେସନ ଲୋଟସ !

388

କନକ ବ୍ୟୁରୋ : ଫେଲ୍ ମାରିଲେ ଫଡ଼ନବିସ୍ । ଫ୍ଲୋର ଟେଷ୍ଟ ପୂର୍ବରୁ ପଛଘୁଞ୍ଚା ଦେଲେ ଫଡନବିସ୍ । ବହୁମତ ପୂର୍ବରୁ ହାତ ଟେକି ଦେଲେ ୩ ଦିନର ମୁଖ୍ୟମନ୍ତ୍ରୀ । ସୁପ୍ରିମକୋର୍ଟଙ୍କ ଫ୍ଲୋର ଟେଷ୍ଟ ରାୟ ପରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି ୭୮ ଘଣ୍ଟାର ମୁଖ୍ୟମନ୍ତ୍ରୀ । ଆଉ ଏହାସହ ରାଜନୀତିର ପିତାମହ କୁହାଯାଉଥିବା ପାୱାରଙ୍କ ରଣନୀତି ଆଗରେ ଫେଲ୍ ମାରିଛି ବିଜେପି ଚାଣକ୍ୟ ଅମିତ୍ ଶାହାଙ୍କ ଚାଲ ।

ଅନ୍ୟ ରାଜ୍ୟ ଗୁଡିକରେ ଆବଶ୍ୟକୀୟ ସଂଖ୍ୟା ନଥିଲେ ମଧ୍ୟ ବିଜେପି ସରକାର ଗଢିବାକୁ ଯେଉଁ ରଣନୀତି ଆପଣାଉଥିଲା ତାହା ମହାରାଷ୍ଟ୍ରରେ ମାତ୍ ଖାଇଗଲା । କାମ ଦେଲାନି ବିଜେପି ଚାଣକ୍ୟଙ୍କ ଚାଲ । ଆଉ ବିଜେପି ଚାଣକ୍ୟଙ୍କ ଚାଲକୁ ବିଫଳ କରିବା ପଛର ମୁଖ୍ୟ ପୁରୋଧା ଭାବେ ଉଭା ହୋଇଥିଲେ ମହାରାଷ୍ଟ ରାଜନୀତିର ପିତାମହ ଶରଦ ପାୱାର । ଯାହାଙ୍କ ସୁଚିନ୍ତିତ ରଣନୀତି ପାଇଁ ମହାରାଷ୍ଟ୍ର ମହାପରୀକ୍ଷାରେ ଫେଲ୍ ମାରିଲା ବିଜେପି ।

ପରିଣତ ବୟସରେ ପାୱାର ଦେଖାଇଲେ ଶରଦ । ନିର୍ବାଚନ ପୂର୍ବରୁ ହେଉ ବା ନିର୍ବାଚନ ଫଳାଫଳ ଆସିବା ପରେ ଦଳ ପାଇଁ ତ୍ରାଣକର୍ତ୍ତା ସାଜିଛନ୍ତି ପାୱାର । ନିର୍ବାଚନ ସମୟରେ ବର୍ଷାରେ ଓଦା ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ଠାରୁ ଆରମ୍ଭ କରି ନିର୍ବାଚନ ପରେ ପୁତୁରା ଅଜିତ ଏନସିପିକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବେଳେ ଦଳର ମେରୁଦଣ୍ଡ ହୋଇ ଛିଡା ହୋଇଥିଲେ ଶରଦ ।

ବିଧାନସଭା ଫଳାଫଳ ଆସିବା ପରେ ବିରୋଧୀ ଆସନରେ ବସିବାକୁ ମହାରାଷ୍ଟ୍ରବାସୀ ଏନସିପିକୁ ଭୋଟ ଦେଇଥିବା ଦର୍ଶାଇ ଚର୍ଚ୍ଚାରୁ ଦୂରେଇ ରହିଥିଲେ । ଆଉ ଶିବସେନା ବିଜେପିର ହାତ ଛାଡିବା କ୍ଷଣି ଚମକାଇ ଦେବା ଭଳି ଗୋଟି ଚାଳନା ଆରମ୍ଭ କରିଥିଲେ ପାୱାର । ଏପରିକି ସରକାର ଗଢିବାକୁ ଆବଶ୍ୟକ ବିଧାୟକଙ୍କ ସମର୍ଥନ ନଥିବା ଦର୍ଶାଇ ମାଷ୍ଟରଷ୍ଟ୍ରୋକ ମାରିଥିଲେ ରାଜନୀତିର ଏହି ପୋଖତ ଖେଳାଳି । ଯେଉଁଥିପାଇଁ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା । ଆଉ ଏହି ସୁଯୋଗକୁ ସତେ ଯେପରି ଅପେକ୍ଷା କରି ରହିଥିଲେ ଶରଦ । ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଶିବସେନାକୁ ସମର୍ଥନର ଲୋଭ ଦେଖାଇ ଆରମ୍ଭ ହୋଇଥିଲା ମୂଲଚାଲ । ବାରମ୍ବାର ଆଲୋଚନା ପରେ ଉଦ୍ଧବଙ୍କ ନେତୃତ୍ୱରେ ନଭେମ୍ବର ୨୩ରେ ସରକାର ଗଢିବାକୁ ସ୍ଥିର ହେଲା । କିନ୍ତୁ ସମର୍ଥନପତ୍ର ନେଇ ରାଜ୍ୟପାଳଙ୍କ ପାଖରେ ପହଞ୍ଚିବା ପୂର୍ବରୁ ବାଜି ପଲଟାଇ ଦେଇଥିଲେ ପୁତୁରା ଅଜିତ ପାୱାର ।

ଏନସିପିର ବିଧାୟକ ଦଳ ନେତା ଅଜିତ ପାୱାରଙ୍କୁ ସାଥୀ କରି ୨୩ ସକାଳୁ ହିଁ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ଦେବେନ୍ଦ୍ର । ଏପରିକି ମୋଦି ଓ ଶାହା ଯୋଡି ମଧ୍ୟ ଦେବେନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇ ମାଷ୍ଟରଷ୍ଟ୍ରୋକ ମାରିଥିବାର ପ୍ରମାଣ ଦେଇଥିଲେ । ଆଉ ଏହାସହ ବ୍ୟାକଫୁଟକୁ ଠେଲି ହୋଇଯାଇଥିଲା ଏନସିପି-କଂଗ୍ରେସ-ଶିବସେନା ମେଣ୍ଟ । କିନ୍ତୁ ଏହି ସମୟରେ ନିଜର ରାଜନୀତିକ ପରିପକ୍ୱତାର ପରିଚୟ ଦେଇଥିଲେ ପାୱାର । ପଛକୁ ହଟିନଯାଇ ଫ୍ରଣ୍ଟଫୁଟକୁ ଆସିଥିଲେ ପାୱାର । ଅଜିତ ପାୱାରଙ୍କ ସହ ଥିବା ବିଧାୟକଙ୍କୁ ପୁଣିଥରେ ଏନସିପି ଶିବିରକୁ ଆଣିବାକୁ ଦଳ ବଦଳ ଆଇନର ପାଠ ପଢାଇଥିଲେ ପାୱାର । ଯେଉଁଥିପାଇଁ ସକାଳେ ଅଜିତ ପାୱାରଙ୍କ ଶିବିରରେ ଥିବା ବିଧାୟକଙ୍କୁ ସନ୍ଧ୍ୟାରେ ପାୱାରଙ୍କ ପ୍ରେସମିଟରେ ଦେଖିବାକୁ ମିଳିଥିଲା । ଏତିକିରେ ଚୁପ ବସିନଥିଲେ ପାୱାର । ବିଧାୟକ ଦଳ ନେତା ପଦରୁ ଅଜିତଙ୍କୁ ବିଦା କରି ନିଜର ବିଶ୍ୱସନୀୟ ଜୟନ୍ତ ପାଟିଲଙ୍କୁ ଏହି ଦାୟିତ୍ୱ ଦେଇଥିଲେ । ଏପରିକି ବିଜେପି ସରକାର ଗଢିଥିଲେ ମଧ୍ୟ ଫ୍ଲୋର ଟେଷ୍ଟରେ ଫେଲ୍ ହେବ ବୋଲି ରୋକଠୋକ କହିବା ସହ ପଦ୍ମ ଶିବିରର ମନୋବଳ ଭାଙ୍ଗିବା ଆରମ୍ଭ କରିଥିଲେ ।

ଏସବୁ ଭିତରେ ସୋମବାର କଂଗ୍ରେସ-ଏନସିପି-ଶିବସେନା ସହ ସ୍ୱାଧୀନ ବିଧାୟକଙ୍କୁ ମିଶାଇ ମୋଟ ୧୬୨ ବିଧାୟକଙ୍କୁ ଏକାଠି କରି ପାୱାର ସୋ ଦେଖାଇଥିଲେ ଶରଦ । ଆଉ ଏଭଳି କରି ଶରଦ ସ୍ପଷ୍ଟ କରିଦେଇଥିଲେ ଯେ ବହୁମତ ବିଜେପି ପାଖରେ ନୁହେଁ ବରଂ କଂଗ୍ରେସ-ଏନସିପି-ଶିବସେନା ପାଖରେ ରହିଛି । ଏତିକିରେ ଅଟକି ନଥିଲେ ପାୱାର । ପୁତୁରା ଅଜିତଙ୍କୁ ପୁଣିଥରେ ଏନସିପିକୁ ଫେରାଇ ଆଣିବା ପାଇଁ କସରତ ଆରମ୍ଭ କରିଥିଲେ । ଦଳର ବରିଷ୍ଠ ନେତାଙ୍କୁ ଅଜିତଙ୍କ ସହ ଆଲୋଚନା କରିବାକୁ ପଠାଇଥିଲେ । ଆଉ ଏଥିରେ ମଧ୍ୟ ସଫଳ ହୋଇଥିଲେ ପାୱାର । ମହାରାଷ୍ଟ୍ରରେ ମେଣ୍ଟ ସରକାର ପାଇଁ ବାଟ ଫିଟିବା ପରେ ପୁଣିଥରେ ଦାଦାଙ୍କ ପାଖରେ ପହଞ୍ଚିଛନ୍ତି ପୁତୁରା ଅଜିତ । ଏଭଳି ଗୋଟିଏ ପରେ ଗୋଟିଏ ମାଷ୍ଟରଷ୍ଟ୍ରୋକ ମାରି ଶରଦ ନିଜର ପାୱାର ଦେଖାଇବା ସହ ବିଜେପିର ଅପରେସନ ଲୋଟସରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ।